ମାଞ୍ଚେଷ୍ଟର: ଓଲ୍ଡ ଟ୍ରାଫୋର୍ଡରେ ଚାଲିଥିବା ଚତୁର୍ଥ ଟେଷ୍ଟର ପ୍ରଥମଦିନରେ ଭାରତ ଓ ଇଂଲଣ୍ଡ ସମ୍ମାନ ଭାଗ କରିଥିବା ବେଳେ ଗୁରୁବାର ଦ୍ବିତୀୟ ଦିନରେ ଘରୋଇ ଇଂଲଣ୍ଡ ପ୍ରାଧାନ୍ୟ ବିସ୍ତାର କରିଛି। ବେନ୍ ଷ୍ଟୋକ୍ସ ୫ଟି ୱିକେଟ୍ ନେବା ଫଳରେ ୨ୟ ଦିନରେ ଭାରତ ୯୪ ରନ୍ ଯୋଗକରି ବାକି ୬ଟି ୱିକେଟ୍ ହରାଇ ପ୍ରଥମ ଇନିଂସରେ ୩୫୮ ରନ୍କରି ଅଲ୍ଆଉଟ୍ ହୋଇ ଯାଇଥିଲା। ପରେ ଇଂଲଣ୍ଡର ଦୁଇ ଓପ୍ନର ବେନ୍ ଡକେଟ୍ ଓ ଜ୍ୟାକ୍ କ୍ରଲି ଚମତ୍କାର ବ୍ୟାଟିଂକରି ୩୨ ଓଭରରେ ୧୬୬ ରନ୍ ଯୋଗକରି ଦଳକୁ ବଡ଼ ସ୍କୋର୍ ଆଡ଼କୁ ନେବାର ପ୍ରୟାସ କରିଥିଲେ। ଉଭୟେ ଶତକରୁ ବଞ୍ଚିତ ହୋଇଥିଲେ ହେଁ ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଛନ୍ତି। ୨ୟ ଦିନ ଶେଷରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨ ୱିକେଟ୍ ହରାଇ ୨୨୫ ରନ୍ କରିପାରିଛି। ୮ ୱିକେଟ୍ ହାତରେ ଥାଇ ଇଂଲଣ୍ଡ ଆଉ ମାତ୍ର ୧୩୩ ରନ୍ ପଛେର ରହିଛି।
ଇଂଲଣ୍ଡ ଇନିଂସ ଆରମ୍ଭ କରିବା ପରେ ଏହାର ଦୁଇ ଓପ୍ନର ନିୟମିତ ଷ୍ଟ୍ରୋକ୍ ଖେଳିଥିଲେ। ବେନ୍ ଡକେଟ୍ ଓ ଜ୍ୟାକ୍ କ୍ରଲି ୧୯ଶ ଓଭରରେ ଦଳକୁ ସ୍କୋର୍କୁ ୧୦୦ ଟପାଇଥିଲେ। ମାତ୍ର ୪୬ ବଲ୍ରୁ ବାମହାତି ଡକେଟ୍ ଅର୍ଦ୍ଧଶତକ ପୂରଣ କରିଥିଲେ। କ୍ରଲି ଶୃଙ୍ଖଳାରେ ତାଙ୍କ ୨ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁହେଁ ୩୨ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ରହି ଦ୍ରୁତଗତିରେ ୧୬୬ ରନ୍ ଯୋଗକରି ଭାରତର ନିଦ ହଜାଇ ଦେଇଥିଲେ। ଡକେଟ୍-କ୍ରଲି ଓଭର ପିଛା ୫.୨ ହାରରେ ରନ୍ ସ୍କୋର୍ କରିଥିଲେ। ତେବେ ରବୀନ୍ଦ୍ର ଜାଡ଼େଜା ଏହି ଯୋଡ଼ି ଭାଙ୍ଗି ପାରିଥିଲେ। ଜ୍ୟାକ୍ କ୍ରଲି ୧୧୩ ବଲ୍ରୁ ଗୋଟିଏ ଛକା ଓ ୧୩ଟି ଚୌକା ସହ ୮୪ ରନ୍କରି ବିଦାୟ ନେଇଥିଲେ। ଆକ୍ରମଣାତ୍ମକ ବ୍ୟାଟିଂକରି ଚଳିତ ଶୃଙ୍ଖଳାରେ ବ୍ୟକ୍ତିଗତ ୨ୟ ଶତକ ଦ୍ବାରରେ ଥିବା ଡକେଟ୍ ଏଥିରୁ ବଞ୍ଚିତ ହୋଇଥିଲେ। ଏକ ସର୍ଟ ଓ ୱାଇଡ୍ ବଲ୍କୁ ମାରିବାକୁ ଯାଇ ଡକେଟ୍ ୱିକେଟ୍ ପଛରେ କ୍ୟାଚ୍ ଦେଇଥିଲେ। େବନ୍ ଡକେଟ୍ ୧୦୦ ବଲ୍ରୁ ୧୩ଟି ଚୌକା ସହ ଚିତ୍ତାକର୍ଷକ ୯୪ ରନ୍ କରିଥିଲେ। ତାଙ୍କୁ ଆଉଟ୍କରି ଅଂଶୁଲ କାମ୍ବୋଜ ପ୍ରଥମ ଟେଷ୍ଟ ୱିକେଟ୍ ହାସଲ କରିଥିଲେ। ଓଲି ପୋପ୍ ୨୦ ଓ ଜୋ ରୁଟ୍ ୧୧ ରନ୍କରି କ୍ରିଜ୍ରେ ଅଛନ୍ତି। ୩ୟ ଦିନ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି।
ପ୍ରଥମ ଦିନରେ ଭାରତ ପ୍ରଥମ ଇନିଂସରେ ୨୬୪ ରନ୍କରି ୪ଟି ୱିକେଟ୍ ହରାଇଥିଲା। ଏହାସହ ଶୃଙ୍ଖଳାରୁ ଋଷଭ ପନ୍ତଙ୍କ ପରି ମ୍ୟାଚ୍ ବିଜେତାଙ୍କୁ ମଧ୍ୟ ହରାଇଥିଲା। ଗୁରୁବାର ୨ୟ ଦିନରେ ଭାରତ ୯୪ ରନ୍ ଯୋଗକରି ବାକି ୬ଟି ୱିକେଟ୍ ହରାଇଥିଲା। ଅଧିନାୟକ ବେନ୍ ଷ୍ଟୋକ୍ସ ପଞ୍ଚମ ଥର ଟେଷ୍ଟମ୍ୟାଚ୍ର ଏକ ଇନିଂସରେ ୫ଟି ୱିକେଟ୍ ନେଇ ଭାରତର ପ୍ରଥମ ଇନିଂସ ସ୍କୋର୍କୁ ସୀମିତ ରଖି ପାରିଥିଲେ। ଦ୍ବିତୀୟ ଦିନର ଦ୍ବିତୀୟ ଓଭରରେ ଇଂଲଣ୍ଡକୁ ବଡ଼ ସଫଳତା ମିଳିଥିଲା। ଜୋଫ୍ରା ଆର୍ଚରଙ୍କ ମାରାତ୍ମକ ବଲ୍ରେ ରବୀନ୍ଦ୍ର ଜାଡ଼େଜା ସ୍ଲିପ୍ରେ କ୍ୟାଚ୍ ଦେଇଥିଲେ। ହ୍ୟାରୀ ବ୍ରୁକ୍ଙ୍କ ଦର୍ଶନୀୟ କ୍ୟାଚ୍ରେ ଆଉଟ୍ ହେବା ପୂର୍ବରୁ ବାମହାତି ଜାଡ଼େଜା ୪୦ ବଲ୍ରୁ ୨୦ ରନ୍ କରିଥିଲେ। ସାର୍ଦୁଳ ଠାକୁର ଓ ୱାଶିଂଟନ ସୁନ୍ଦର ଭଲ ବ୍ୟାଟିଂକରି ୪୮ ରନ୍ ଯୋଡ଼ିଥିଲେ। ଇଂଲଣ୍ଡ ମାଟିରେ ପୂର୍ବରୁ ୩ଟି ଅର୍ଦ୍ଧଶତକ ହାସଲ କରିଥିବା ସାର୍ଦୁଳ ୮୮ ବଲ୍ରୁ ୫ଟି ଚୌକା ସହ ୪୧ ରନ୍କରି ବିଦାୟ ନେଇଥିଲେ। ଏହାପରେ ସମସ୍ତଙ୍କୁ ଚକିତକରି ରଷଭ ପନ୍ତ ପଡ଼ିଆକୁ ଓହ୍ଲାଇଥିଲେ। ପାଦ ହାଡ଼ ଭାଙ୍ଗିବା ସତ୍ତ୍ବେ ପନ୍ତ୍ ବେଶ୍ କିଛି ସମୟ ବ୍ୟାଟିଂକରି ଅର୍ଦ୍ଧଶତକ ପୂରଣ କରିଥିଲେ। ୱାଶିଂଟନ ସୁନ୍ଦର ୯୦ ବଲ୍ ଖେଳି ୨ଟି ଚୌକା ସହ ୨୭ ରନ୍ କରିଥିଲେ। ଜୋଫ୍ରା ଆର୍ଚରଙ୍କ ବଲ୍ରେ ବୋଲ୍ଡ ହେବା ପୂର୍ବରୁ ପନ୍ତ ୭୫ ବଲ୍ରୁ ୨ଟି ଛକା ଓ ୩ଟି ଚୌକା ସହ ୫୪ ରନ୍ କରିଥିଲେ। ପନ୍ତଙ୍କୁ ଆଉଟ୍କରି ଆର୍ଚର ଚଳିତ ଶୃଙ୍ଖଳାରେ ୭ମ ୱିକେଟ୍ ନେଇଥିବା ବେଳେ ତାଙ୍କର ସମସ୍ତ ଶିକାର ବାମହାତି ବ୍ୟାଟ୍ସମ୍ୟାନ ଥିଲେ। ଭାରତର ଅନ୍ତିମ ୱିକେଟ୍ ଯଶପ୍ରୀତ ବୁମ୍ରା ହିଁ ଆର୍ଚରଙ୍କ ପ୍ରଥମ ଡାହାଣହାତି ଶିକାର ଥିଲେ। ବେନ୍ ଷ୍ଟୋକ୍ସ ୫ଟି ଓ ଜୋଫ୍ରା ଆର୍ଚର ୩ଟି ୱିକେଟ୍ ନେଇଥିଲେ।



