ମୁମ୍ବଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଭେଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ। ଶାସକ ମେଣ୍ଟରେ ଯୋଗ ଦେବା ଲାଗି ଉଦ୍ଧବଙ୍କୁ ଫଡନବିସ ପ୍ରସ୍ତାବ ଦେବାର ଦିନକ ପରେ ଏହି ସାକ୍ଷାତ ହୋଇଛି। ଗୁରୁବାର ମହାରାଷ୍ଟ୍ର ବିଧାନ ପରିଷଦର ଅଧ୍ୟକ୍ଷ ରାମ ସିନ୍ଦେଙ୍କ କୋଠରିରେ ଫଡନବିସଙ୍କୁ ଉଦ୍ଧବ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ୨୦ମିନିଟ୍ ଧରି ଆଲୋଚନା ହୋଇଥିଲା। ଏହି ସମୟରେ ଉଦ୍ଧବଙ୍କ ସହିତ ତାଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ଉପସ୍ଥିତ ଥିଲେ। ଆଦିତ୍ୟ କହିଛନ୍ତି ଯେ ସାକ୍ଷାତ କାଳରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟର ତିନି ଭାଷା ନୀତି ଲାଗୁ କରାଯିବାକୁ ବିରୋଧ କରି ବିଭିନ୍ନ ସାମ୍ବାଦିକମାନେ ଲେଖିଥିବା ପ୍ରବନ୍ଧର ନକଲ ମୁଖ୍ୟମନ୍ତ୍ରୀ ଫଡନବିସଙ୍କୁ ଦିଆଯାଇଛି। ଏହା ସହିତ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା।
ଏହା ପୂର୍ବରୁ ବୁଧବାର ରାଜ୍ୟ ବିଧାନସଭା ପରିଷଦରେ ବିରୋଧୀ ଦଳ ନେତା ଆମ୍ବାଦାସ ଦାନଭେଙ୍କ ବିଦାୟକାଳୀନ ଉତ୍ସବ ସମୟରେ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ଫଡନବିସ ଶାସକ ଦଳ ମେଣ୍ଟକୁ ଆସିବା ଲାଗି ପ୍ରସ୍ତାବ ଦେଇଥିଲେ। ଫଡନବିସ କହିଥିଲେ ଯେ ୨୦୨୯ ପର୍ଯ୍ୟନ୍ତ ଆମେ କ୍ଷମତାରୁ ହଟିବାର ନାହିଁ। ତେଣୁ ଏହି ସମୟ ମଧ୍ୟରେ ଯଦି ତୁମେ ଚାହଁ ତେବେ ଶାସକ ମେଣ୍ଟରେ ଯୋଗ ଦେଇପାରିବ। ଏହି ନିଷ୍ପତ୍ତି ତୁମ ଉପରେ ନିର୍ଭର କରେ। ଫଡନବିସଙ୍କ ଏପରି ପ୍ରସ୍ତାବ ସମ୍ପର୍କରେ ସାମ୍ବାଦିକମାନେ ଉଦ୍ଧବଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ଉଦ୍ଧବ କହିଥିଲେ ଯାହା ଚାଲିଛି ତାକୁ ଚାଲିବାକୁ ଦିଅ। କେତେକ କଥାକୁ ଆମକୁ ହାଲକା ଭାବେ ନେବାକୁ ପଡିବ। ଉଦ୍ଧବ ଠାକରେ ପୂର୍ବରୁ ବିଜେପିର ସହଯୋଗୀ ଦଳ ଥିଲେ। ମାତ୍ର ଏବେ ସେ କଂଗ୍ରେସ ଓ ଏନସିପି ସହିତ ବିରୋଧୀ ମେଣ୍ଟରେ ରହିଛନ୍ତି।
ଅନ୍ୟପଟେ ଉଦ୍ଧବଙ୍କୁ ପରିହାସ କରିବା ଆଳରେ ପଡନବିସ ଯେଉଁ ପ୍ରସ୍ତାବ ଦେଇଥିଲେ ତାହା ଶାସକ ମେଣ୍ଟର ସହଯୋଗୀ ଦଳ ଶିବସେନା ତଥା ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପ୍ରତି ଅନ୍ୟ ଏକ ବାର୍ତ୍ତା େଦଉଛି। କାରଣ ଏକନାଥ ସିନ୍ଦେ ଶିବସେନାର ବିଭାଜନ କରିବା ପୂର୍ବକ ବିଜେପିକୁ କ୍ଷମତାକୁ ଫେରାଇ ଆଣିଥିଲେ। ୨୦୨୨ରେ ସିନ୍ଦେଙ୍କ ବିଦ୍ରୋହ ଯୋଗୁଁ ଶିବସେନାର ବିଭାଜନ ହୋଇଥିଲା ଓ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ହଟିଥିଲେ। ଏହା ପରେ ଏକନାଥ ବିଜେପି ସହଯୋଗରେ ସରକାର ଗଠନ କରିବା ପୂର୍ବକ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ୨୦୨୪ରେ ବିଜେପି, ଶିବସେନା ଓ ଏନସିପି (ମହାୟୁତି ମେଣ୍ଟ) ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟିବାକୁ ପଡିଥିଲା। ନିଜର ଅନିଚ୍ଛା ସତ୍ତ୍ବେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡି ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ଫଡନବିସ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଅନିଚ୍ଛା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ଛାଡିଥିବା ଏକନାଥ ଅନେକ ସମୟରେ ସରକାର ବିରୋଧରେ ବିଦ୍ରୋହ କରିଆସୁଛନ୍ତି। ତେଣୁ ଫଡନବିସ ଉଦ୍ଧବଙ୍କୁ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ପରୋକ୍ଷରେ ଏକନାଥଙ୍କ ପାଇଁ ଏକ ଚେତାବନୀ ହୋଇଛି।
ସରକାରରେ ଯୋଗଦେବ ଶିବସେନା (ୟୁବିଟି) !
Popular Categories



