www.samajalive.in
Sunday, December 7, 2025
26.1 C
Bhubaneswar

ସୌମ୍ୟାଶ୍ରୀ କେମିତି ପାଇବେ ନ୍ୟାୟ !

ବାଲେଶ୍ୱର: ଅଧ୍ୟାପକଙ୍କ ନିର୍ଯାତନା ସହି ନ ପାରି ଆତ୍ମାହୁତି ଦେଇଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ପ୍ରଦାନ ପାଇଁ ବନ୍ଦ, ସଭା, ବିକ୍ଷୋଭ, ଭାଷଣବାଜି ଆଦି ଚାଲିଛି। ଏହାକୁ ନେଇ ସାରା ରାଜ୍ୟର ରାଜନୈତିକ ବାତାବରଣ ଉଷ୍ମ ରହିଛି। ସରକାର ଓ ବିଜେପି ପକ୍ଷରୁ ମଧ୍ୟ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ନିଶ୍ଚିତ ଭାବେ କଠୋର ଦଣ୍ଡ ମିଳିବ ବୋଲି ବାରମ୍ବାର ଦୃଢ଼ତାର ସହ ଘୋଷଣା କରାଯାଉଛି। ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଦୃଢ଼ତା ଦେଖାଉଛନ୍ତି। ମାତ୍ର ସବୁ ହୋହଲ୍ଲା ମଧ୍ୟରେ ସୌମ୍ୟାଶ୍ରୀଙ୍କୁ କେମିତି ନ୍ୟାୟ ଓ କେଉଁ ପ୍ରକାର ନ୍ୟାୟ ମିଳିବ ବୋଲି ପ୍ରଶ୍ନ ଉଠିଛି। କିଏ ଇସ୍ତଫା ଦେଲେ ବା କାହାର ବଦଳି ହେଲେ ଅଥବା ବହିଷ୍କାର କରାଗଲେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ମିଳିବ ନାହିଁ। ମାତ୍ର ଜନଆକ୍ରୋଶ ବଢ଼ୁଥିବାରୁ ଏଭଳି ପଦକ୍ଷେପ ବି ଜରୁରୀ। ତେବେ ସୌମ୍ୟାଶ୍ରୀ ନ୍ୟାୟ ପାଇବା ନେଇ ଉଠୁଛି ତଦନ୍ତ ଓ ଆଇନର କଥା। ଅଦାଲତର ବିଚାରପତି ହିଁ ନ୍ୟାୟ ଦେବେ। ଜନସାଧାରଣ, ସରକାର ବା ବିରୋଧୀ ଦଳ ଦେବେ ନାହିଁ। ବିଚାରପତି ଦେଖିବେ ଦଫା, ଦସ୍ତାବିଜ, ସାକ୍ଷ୍ୟ ଓ ପ୍ରମାଣ। ତେବେ ଏ ଯାଏ ମାମଲାର ତଦନ୍ତ କେଉଁ ବାଟରେ ଯାଉଛି ଓ ଅଭିଯୁକ୍ତଙ୍କ ବିରୋଧରେ କେଉଁ ସବୁ ଦଫା ଲାଗିଛି, ଅନୁଧ୍ୟାନ କରାଯିବା ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ବହିଷ୍କାର ସହ ପେନ୍‌ସନ୍‌ ବନ୍ଦ ପାଇଁ ଦାବି ଉଠୁଥିଲେ ବି ସରକାର ଉଦାସୀନ ରହିଛନ୍ତି। ସମ୍ପୃକ୍ତ ଥାନାଧିକାରୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନାହିଁ।

ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାଜନିତ ମାମଲାରେ ଏ ଯାଏ ମାତ୍ର ଦୁଇ ଜଣ ଅଭିଯୁକ୍ତ ଅଛନ୍ତି। କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ଅଧ୍ୟାପକ ସମୀର ସାହୁ। ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବାଲେଶ୍ୱରର ସହଦେବଖୁଣ୍ଟା ଥାନାରେ। ଲାଗିଛି ଭାରତୀୟ ନ୍ୟାୟ ସଂହିତାର ଦଫା ୭୫(୧), ସରପ୍ଲସ ୨, ୭୮, ୭୯, ୩୫୧(୨), ୧୦୮, ୩(୫)। ଏହା ମଧ୍ୟରେ ସବୁଠାରୁ କଠୋର ଦଣ୍ଡ ବିଧାନ ହେବାକୁ ଥିବା ଦଫା ହେଲା ୧୦୮। ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ବା ଏଥିପାଇଁ କାରଣ ହୋଇଥିବା ସମ୍ପୃକ୍ତ ଅପରାଧୀ ଏହି ଦଫାରେ ସର୍ବାଧିକ ୧୦ ବର୍ଷ କାରାଦଣ୍ଡ ଓ ଜୋରିମାନାର ବ୍ୟବସ୍ଥା ରହିଛି। ସେହିପରି ୭୫(୧), ସରପ୍ଲସ୨ ଦଫା ଯୌନ ନିର୍ଯାତନା ଅଭିଯୋଗ ପାଇଁ ଲାଗିଥାଏ। ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ଜୋରିମାନା ବ୍ୟବସ୍ଥା ରହିଛି। କାହା ପଛରେ ପଡ଼ି ହଇରାଣ କରିବା ଅଭିଯୋଗରେ ଲାଗୁଥିବା ଦଫା ୭୮ ଅନୁଯାୟୀ ଅଭିଯୁକ୍ତ ଦୋଷୀ ପ୍ରମାଣିତ ହେଲେ ୩ ବର୍ଷ କାରାଦଣ୍ଡ ଓ ଜୋରିମାନା ବ୍ୟବସ୍ଥା ରହିଛି। ସେହିପରି ମହିଳାଙ୍କୁ ଅଶାଳୀନ ଆଚରଣ ପାଇଁ ଲାଗୁଥିବା ଦଫା ୭୯ ଅନୁସାରେ ଅଭିଯୁକ୍ତ ଦୋଷୀ ପ୍ରମାଣିତ ହେଲେ ୩ ବର୍ଷ କାରାଦଣ୍ଡ ଓ ଜୋରିମାନା ବ୍ୟବସ୍ଥା ରହିଛି। କାହାଠାରୁ ଜୀବନରୁ ମାରିଦେବା ବା ଆକ୍ରମଣର ଧମକ ପାଇଥିବା ଅଭିଯୋଗରେ ଲାଗୁଥିବା ଦଫା ୩୫୧(୨) ଅନୁସାରେ ଅଭିଯୁକ୍ତ ଦୋଷୀ ପ୍ରମାଣିତ ହେଲେ ସର୍ବାଧିକ ୨ ବର୍ଷ କାରାଦଣ୍ଡ ହୋଇପାରେ। ଅନ୍ୟପକ୍ଷରେ କୌଣସି ଅପରାଧ ଘଟାଇବାକୁ ଏକାଧିକ ଲୋକକଙ୍କର ଉଦ୍ଦେଶ୍ୟ ଥିବା ଅଭିଯୋଗରେ ଲାଗିଥାଏ ଦଫା ୩(୫)। ଏ କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଯଦି ଜଣେ ବି ଅପରାଧ ଘଟାଇବ, ତେବେ ଏଥିପାଇଁ ଉଦ୍ଦେଶ୍ୟ ରଖିଥିବା ଅନ୍ୟ ସମସ୍ତେ ଦୋଷୀ ସାବ୍ୟସ୍ତ ହୋଇ ସମ୍ପୃକ୍ତ ଅପରାଧ ପାଇଁ ବିଚାରପତି ଦେବାକୁ ଥିବା ଦଣ୍ଡ ଭୋଗିବେ। ଏକ୍ଷେତ୍ରରେ ସର୍ବାଧିକ ଦଣ୍ଡ ହିଁ ୧୦ ବର୍ଷ ଦିଆଯାଇପାରିବ। ଛାତ୍ରୀଙ୍କ ମୃତ୍ୟୁ ପରେ ଦଫା ବଦଳିବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଯଦି ନରହତ୍ୟା ଭଳି ସଂଗୀନ ଦଫା ୧୦୧ ଓ ୧୦୩ ଲାଗୁ କରାଯାଏ, ତେବେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଦିଆଯାଇପାରେ।

- Advertisement -

ତେବେ ସବୁକିଛି ନିର୍ଭର କରୁଛି ପୁଲିସର ତଦନ୍ତ ଓ ଏହାକୁ ଅଦାଲତରେ ପ୍ରମାଣିତ କରିବା ଉପରେ। ପୁଲିସ କେତେ ଆନ୍ତରିକତାର ସହ ଏହି ଘଟଣାରେ ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚୁରା କରି କେଉଁ ତଥ୍ୟ ପାଇବ ତାହା ବଡ଼ କଥା। ପୁଲିସ ଏ ନେଇ ପ୍ରମାଣଜନିତ କାଗଜପତ୍ର ସଂଗ୍ରହ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ପୁଲିସ ଯଦି କଲେଜର ଅନ୍ତରୀଣ କମିଟିର ରିପୋର୍ଟକୁ ଆଧାର କରି ରିପୋର୍ଟ ଲେଖିବ, ତେବେ କଥା ସରିଲା। କାରଣ ସୌମ୍ୟାଶ୍ରୀଙ୍କ ବିରୋଧରେ ତଦନ୍ତ କମିଟି ସଭ୍ୟଙ୍କୁ କହିବା ପାଇଁ ଅଭିଯୁକ୍ତ ସମୀର ବହୁ ଛାତ୍ରୀଙ୍କୁ ପ୍ରଭାବିତ କରିଥିବା କେତେକ ଛାତ୍ରୀ ନାମ ଗୋପନ ରଖି କହିଛନ୍ତି। ସେହିପରି କମିଟି ରିପୋର୍ଟରେ ସମୀରଙ୍କ ଗୁଣଗାନ କରାଯାଇ ତାଙ୍କୁ ମହାପୁରୁଷ(ସମୀର ଚାଳିଶା) ଦର୍ଶାଯାଇଥିବା ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ତେଣୁ ପୁଲିସ ସେ କମିଟି ରିପୋର୍ଟକୁ ଗ୍ରହଣ ନ କରି ପୁଂଖାନୁପୁଂଖ ତଦନ୍ତ କରିବାକୁ ଦାବି ହେଉଛି। ଆଉ ଅଭିଯୁକ୍ତମାନେ ଛାତ୍ରୀଙ୍କ ବିରୋଧରେ କହିବେ ହିଁ କହିବେ ଓ ସେମାନଙ୍କ ଓକିଲ ମଧ୍ୟ ସେମାନଙ୍କୁ ଦୋଷମୁକ୍ତ କରିବା ପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କରିବେ। ତେଣୁ ପୁଲିସ ଉପଯୁକ୍ତ ତଦନ୍ତ କରି ବଳିଷ୍ଠ ପ୍ରମାଣ ସଂଗ୍ରହ କରିବା ଆବଶ୍ୟକ। ତେବେ ସଂପୃକ୍ତ ଥାନାର ଆଇଆଇସି ଓ ଏଏସ୍‌ପିଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଉଠିଥିବାବେଳେ ଅଭିଯୁକ୍ତ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ଚାକିରୀରୁ ବହିଷ୍କୃତ କରିବା ଲାଗି ଦାବି ଜୋରଦାର ହୋଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories