www.samajalive.in
Sunday, December 7, 2025
26.1 C
Bhubaneswar

ସ୍ୱଦେଶୀ ସାମରିକତା ସଂକଟାପନ୍ନ

ମାୟାଧର ନାୟକ

ଖବରକାଗଜ ଶୀର୍ଷକରେ ଏବେ ହା…ହା…କାରର ହରଫ୍‌। ବହୁ କାନ୍ଦଣା, ଅନୁଦାନ ଘୋଷଣା। ଜାତୀୟ ପତାକାର ଅର୍ଦ୍ଧନମିତ ମୁଦ୍ରାରଚନା। ମାଳମାଳ ମହମବତିର ଦୁଃଖୀଚେହେରା ନେଇ ରାତିରେ ପୁଣି ନାଗରିକ ଦଳ, ନାନାସଂଗଠନର ଶୋଭାଯାତ୍ରା, ଦୋକାନବଜାର ବନ୍ଦର ବାତାବରଣ ସାରାଦେଶରେ ସୃଷ୍ଟି କରିଛି ଯେଉଁ ସାମାଜିକ ଶୋକାକୁଳତା, ତାକୁ ନେଇ ଗୋଟିଏ କଥା କିନ୍ତୁ ଭୁଲିଗଲେ ଚଳିବ ନାହିଁ। ସେ କଥା ଖଣ୍ଡା ଧାରଠୁଁ ଆହୁରି ଶାଣଦିଆ – ସେ କଥା ବନ୍ଧୁକର ସଂଗିନ ମୁନଠୁ ଆହୁରି ସାଂଘାତିକ। କଥାଟା ହେଉଛି – ଏ ଅସହାୟ ଶାସନରେ ଆମ ଦେଶର ସାମରିକତା ସଂପୂର୍ଣ୍ଣ ସଂକଟାପନ୍ନ। କହିବାକୁ କୁଣ୍ଠା ନାହିଁ ଯେ ଆମର ବୀର ସେନାବାହିନୀ ଆଗରେ ବର୍ତ୍ତମାନ ବିଶ୍ୱତ୍ରାସ ଉପୁଜାଇଥିବା ଆତଙ୍କବାଦ କିଛି ନୁହେଁ; କାରଣ ଗୋଟାଏ ଶୃଙ୍ଖଳିତ ପ୍ରଶିକ୍ଷିତ ସେନାବାହିନୀ ଗୋଟାଏ ମୁହୂର୍ତ୍ତରେ ମଧ୍ୟ ଆତଙ୍କରାଜକୁ ଆଖି ପିଛୁଳାକେ ମୂଳପୋଛ କରିଦେବାର ଶକ୍ତି ପ୍ରଦର୍ଶନ କରିପାରେ, ଯଦି ସେମାନଙ୍କୁ ରାଜନୈତିକ ଶାସନର ଛକାପଂଝା ଖେଳ ଭିତରେ ନି‌େ‌ର୍ଦଶ ପାଇବା ପାଇଁ ଆଦୌ କୌଣସି କୂଟନୀତିଜନିତ ବିଳମ୍ବିତ ବିଘ୍ନ ସୃଷ୍ଟି ନହୁଏ। ଗଭୀର କ୍ଷୋଭର ବିଷୟ ଯେ ବିନା ଯୁଦ୍ଧରେ ଆମର ସୈନ୍ୟମାନେ ଯଦି ସହିଦ୍‌ ହେବେ ଏବଂ ସେମାନଙ୍କ ପରିବାର ରାଜନେତା ଓ ଶାସକମାନଙ୍କର ତୁହାକୁତୁହା ଶୋକାର୍ତ୍ତ ଭାଷଣବାଜିର ସ୍ୱର ଶୁଣୁଥିବେ ତା’ହେଲେ ବିଚାରିବାକୁ ହେବ ଯେ ଏ ଦେଶ ଆଜି ସବୁଠୁ ଗୋଟାଏ ବଡ ଐତିହାସିକ ବିଡମ୍ବନାକୁ ସାମନା କରିବାକୁ ଯାଉଛି। ସହିଦ୍‌ ପରିବାରକୁ ଦଶଲକ୍ଷ, ପଚିଶ ଲକ୍ଷ କି ପଚାଶ ଲକ୍ଷ ଅନୁଦାନ ଯୋଗାଇଦେଇ ସରକାର ଯଦି ଭାବୁଥାନ୍ତି ଯେ ଏହାଦ୍ୱାରା ଜନସାଧାରଣଙ୍କ ଆଗରେ ଦେଶପ୍ରେମର ନଜିର ଛାଡିଗଲେ ତା’ହେଲେ ଏହା ତ ଅଲାଜୁକତାକୁ ଏକପ୍ରକାର ଅନ୍ଧ ଆଲିଙ୍ଗନ। ଯେଉଁଠି ଫିଲ୍ମ୍‌ ଷ୍ଟାରଠୁ ଆରମ୍ଭକରି କ୍ରିକେଟ୍‌ ଷ୍ଟାରମାନଙ୍କ ପର୍ଯ୍ୟନ୍ତ ଦିନକର ବିଜ୍ଞାପନୀ ପାଉଣା କୋଟିକୋଟି ଟଙ୍କା, ସେଠି ସହିଦ୍‌ ସୈନିକ ପରିବାରକୁ ଏ କେଇଟି ଲକ୍ଷ ଟଙ୍କାର ଅନୁଦାନ କ’ଣ ଏ ଦେଶର କୌଣସି ନାଗରିକଙ୍କ ଶ୍ରବଣେନ୍ଦ୍ରିୟ ପାଇଁ ଲଜ୍ଜାକର ନୁହେଁ ? ଧିକ୍‌! ଏ ନିର୍ଲଜ୍ଜ ଘୋଷଣା ଯେତେବେଳେ ଆମର ଲହୁଲୁହାଣ ସହିଦର ଶବ ହିମାଳୟର ବରଫଖଣ୍ଡଠାରୁ ବି ଆହୁରି ଶୀତଳ ହୋଇ ଆମକୁ ଉପହାସ କରୁଛି।
୪୪ ଜଣ ବୀରସେନା ଗୋଟିଏ ଆତଙ୍କବାଦୀ ସଂଗଠନର ବିସ୍ଫୋରକବୋଝେଇ ଗାଡିର ଅତର୍କିତ ଚଢଉରେ ଚଳୁ ହୋଇଗଲେ, ଅଥଚ ପୃଥିବୀର ସର୍ବବୃହତ୍‌ ଗଣତନ୍ତ୍ରର ଶାସନମୁଖ୍ୟ ଏ ଜଘନ୍ୟ ଆକ୍ରମଣର ଚରମ ପ୍ରତିଶୋଧ ନିଆଯିବ ବୋଲି ମାତ୍ର କେତୋଟି ଘଂଟାପରେ ଚିଲେଇବାରେ ଲାଗନ୍ତି। ଖବରକାଗଜର ପ୍ରଥମଫର୍ଦରେ ଆମର ସ୍ୱରାଷ୍ଟ୍ରମନ୍ତ୍ରୀ ସହିଦ ସେନାଙ୍କ କଫିନ୍‌ କାନ୍ଧେଇବାର ସଚିତ୍ର ବିବରଣୀ ଆଖିରେ ପଡୁଛି। ଏହାଦ୍ୱାରା ଗୋଟିଏ କଥା ହିଁ ମନକୁ ଆସୁଛି ଯେ ସାରାଦେଶ ଏକପ୍ରକାର ଅସହାୟ ଶାସନର ଶିକାର। ଏପରିକି ଆତଙ୍କବାଦୀ ସଂଗଠନ ତରଫରୁ ଏହା ଏଇ ଦଶକର ସବୁଠାରୁ ବଡ ସାମରିକ ବିପର୍ଯ୍ୟୟ ବୋଲି ସୂଚାଉଥିବା ଗଣମାଧ୍ୟମ ମଧ୍ୟ ଏବଠୁ ନିର୍ବାଚନ ବର୍ତ୍ତମାନ ସ୍ଥଗିତ ରହିପାରେ ବୋଲି ସଂବାଦ ପ୍ରକାଶ କରିବାପାଇଁ କୁଣ୍ଠିତ ହେଉନାହାନ୍ତି। ତା’ହେଲେ ଜନସାଧାରଣଙ୍କ ଆଗରେ କି ସତ୍ୟ ପ୍ରକାଶ କରାଯାଉଛି, ସହିଦଙ୍କ ପାଇଁ ସମ୍ମାନ ନା ଗୋଟାଏ ଅପାରଗ ଶାସନର ନିର୍ବାଚନ- କେଉଁଟା ବଡ ?
ଦେଶ କ’ଣ ସ୍ୱାଧୀନତାର ୭୩ବର୍ଷ ପରେବି ସେଇ ଗୋଲକଧନ୍ଦାରେ ଘୂରିବୁଲୁଛି ? ସୀମାନ୍ତରେ ଆମ ସୈନ୍ୟ ଶତ୍ରୁଘେରରେ ପ୍ରାଣମୂର୍ଚ୍ଛା ଲଢ଼ି ଯଦି ମୃତ୍ୟୁବରଣ କରିଥାନ୍ତେ, ତା’ହେଲେ ସେମାନଙ୍କ ବୀରତ୍ୱ ପାଇଁ ତୋପ ସଲାମୀ ଦେଇ ପତାକା ଅର୍ଦ୍ଧନମିତ କରି ତମାମ୍‌ ଦେଶ ନତମସ୍ତକ ଭାବରେ ନେଇଥାଆନ୍ତା ଆସନ୍ତାକାଲିର ବଜ୍ରଶପଥ। କ୍ରୋଧରୁ କୁହୁଳିଥାଆନ୍ତା କ୍ରାନ୍ତି। ବଂଧୁକନଳୀର ଧୂଆଁଧାରରୁ ନିର୍ଗତ ହୋଇଥାନ୍ତା ବିପ୍ଳବ, ଯାହାଆଗରେ ଯେକୌଣସି ଆତଙ୍କବାଦୀ ରାଷ୍ଟ୍ରର ଭଡାଟିଆ ବାହିନୀ ବରଡାପତ୍ର ପରି ଥରହର ହୋଇଉଠିଥାନ୍ତେ। ପୃଥିବୀରୁ ଆତଙ୍କବାଦରୂପକ ବିଷବୃକ୍ଷର ମୂଳୋତ୍ପାଟନ ପାଇଁ ସମଗ୍ର ବିଶ୍ୱବିବେକର ନିଦ୍ରାଭଙ୍ଗ ନିମନ୍ତେ ଶପଥବଦ୍ଧ ସେନାବାହିନୀର ଆତ୍ମବଳିଦାନ ଏକ ଚିରକାଳୀନ ଐତିହାସିକ ପ୍ରେରଣାର ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରୁଥାନ୍ତା। କିନ୍ତୁ ଏବେ ହେଉଛି କ’ଣ? ସହିଦର ସଂଗ୍ରାମୀ ସଂସ୍କୃତି ଆମର ଲୁହ ଚାହେଁ ନା ଲହୁବୋଳା ଅଂଗୀକାର ଚାହେଁ? ଏ ପ୍ରଶ୍ନ ଇତିହାସର ପ୍ରଶ୍ନ, ଆଜିର ଉପରଠାଉରିଆ ମନ୍ତବ୍ୟଦାତାମାନଙ୍କୁ। ଆମର ମୋଟାବେତନ ସହ ବିଭିନ୍ନ ଭତ୍ତା ଓ ସୁବିଧାସୁଯୋଗ ପାଉଥିବା ଗୁଇନ୍ଦାବିଭାଗର ବଡବଡ ଅଫିସରମାନେ କ’ଣ ଏ ପ୍ରକାର ଦୁର୍ଘଟଣା ଘଟିବା ପୂର୍ବରୁ କୌଣସି ପ୍ରକାର ସୁରାକ୍‌ ବା ସୂଚନାର ଛୋଟ ଚିରୁକୁଟିଟିଏ ସୁଦ୍ଧା ପାଇପାରିଲେନି? ତା’ହେଲେ ସେମାନେ କରୁଛନ୍ତି କ’ଣ? ଗାଦି ଉପରେ ବସିଥିବା ଆମ ଦେଶୀନେତାମାନେ ଏତେ ବେଶୀ ଅଶ୍ରୁ ବିସର୍ଜନ କରି ନିଜ ନିଜକୁ କ’ଣ ଦରଦୀମରମୀ ଜନପ୍ରତିନିଧି ବିଜ୍ଞପ୍ତି ଦେଇ ସବୁ କର୍ତ୍ତବ୍ୟ ଶେଷ ହୋଇଗଲା ବୋଲି ଭାବୁଛନ୍ତି କି?
ଆମେ ଏପରି ଅପାରଗ ଶାସନର ଧାରାବାହିକ ଭୋଟର ହେବାକୁ ରାଜି ହେଉଥିବା ଆଉ କେତେକାଳ? ସୈନ୍ୟଙ୍କ ଖଣ୍ଡବିଖଣ୍ଡିତ ଶରୀରାଂଶର ଛବିକୁ କେତେକ ଘୃଣ୍ୟବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ସାରାଦେଶରେ ଆଗୁଆ ଯୁଦ୍ଧ ଉତ୍ତେଜନା ସୃଷ୍ଟି କରୁଛନ୍ତି। ଏହା ଦେଶଦ୍ରୋହୀ କାର୍ଯ୍ୟକଳାପ, ହୁସିଆର! ଏ ଲୁଚାଣିଆ ଶତ୍ରୁକୁ ଦମନ କର। ସୁରକ୍ଷାରେ ତ୍ରୁଟି ବୋଲି ପୂର୍ବତନ ‘ର’ ମୁଖ୍ୟ କହିଛନ୍ତି। ଏହା ସତ୍ୟ ହୋଇଥିଲେ ସାଂଘାତିକ। ଯେଉଁ ବୀରସେନାବର୍ଗ ଶାସକ-ଶୋଷକ-ରାଜନେତା ଏବଂ ଭିନ୍ନଭିନ୍ନ ବିଭାଗୀୟ ମୁଖ୍ୟ କର୍ମକର୍ତ୍ତାମାନଙ୍କ ସମେତ ଭି.ଆଇ.ପି.ମାନଙ୍କୁ ସୁରକ୍ଷାବଳୟ ଯୋଗାଇ ଏ ଦେଶରେ ଘଡିଘଡି ନିଜକୁ ନିୟୋଜିତ କରିବାପାଇଁ ପଛଘୁଂଚା ଦିଅନ୍ତିନାହିଁ ଆଜି ସେମାନଙ୍କ ସୁରକ୍ଷା ବ୍ୟବସ୍ଥାର ସୂତ୍ରଗୁଡ଼ିକୁ କଡ଼ାକଡ଼ି କରିବା ପାଇଁ ଆମେ ଏଥର ବଦ୍ଧପରିକର ହେବା ବାଂଛନୀୟ।
ଏ ମାଟି କୁଟିଳ କୁବେରମାନଙ୍କର ମୁନାଫାର ମଞ୍ଜି ବୁଣିବା ପାଇଁ ଫୁଙ୍ଗୁଳା ଫସଲ କିଆରି ନୁହେଁ। ତାରବାଡ ଆରପଟେ ଯେତେବେଳେ ଶତ୍ରୁ ଶିବିରର ନିଷ୍ପ୍ରଦୀପ, ସେତେବେଳେ ଏ ଦେଶର ମାଟି ଓ ଘାଟିରେ ଆତଙ୍କବାଦୀ ସଂଗଠନର ଆତସବାଜି ଆମର ନିଦ ଉଡାଇବାକୁ କ’ଣ ଯଥେଷ୍ଟ ନୁହେଁ? କେବଳ ଯବାନ ଜାଗିଲେ ହେବନାହିଁ। ଜବାବ ଚାହୁଁଥିବା ଏ ଜାତିର ଶତକୋଟି ସନ୍ତାନ ବି ଜାଗି ଉଠିବା ଦରକାର।
ଶେଷରେ କବି ଗିରିଜା ବଳୀୟାରସିଂହଙ୍କ ଗୋଟିଏ କବିତାର ଧାଡ଼ିକୁ ମୁଁ ଏଠାରେ ପ୍ରଶ୍ନ ରୂପରେ ଉତ୍‌ଥାପନ କରୁଛି : ‘ଏ ଦେଶରେ ଫୁଲ କ’ଣ ଶେଷରେ ଇତିହାସର କବର ଉପରେ ଚଢ଼ାହେବାକୁ ହିଁ ଫୁଟିଥାଏ କେବଳ?’
ଯାଜପୁରରୋଡ, ଯାଜପୁର

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories