www.samajalive.in
Monday, December 8, 2025
14.1 C
Bhubaneswar

ସୁବର୍ଣ୍ଣରେଖା ଓ ଜଳକାରେ ବନ୍ୟା

ବାଲେଶ୍ୱର/ଭୁବନେଶ୍ୱର: ଝାଡ଼ଖଣ୍ଡର ଚାନ୍ଦିଲ ବନ୍ଧରୁ ପାଣି ଛଡ଼ାଯାଇଥିବାରୁ ସୁବର୍ଣ୍ଣରେଖା ନଦୀରେ ପୁଣି ଭୟଙ୍କର ବନ୍ୟା ଆସି ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ବାଲେଶ୍ବରର ଭୋଗରାଇ, ଜଳେଶ୍ବର, ବସ୍ତା ଓ ବାଲିଆପାଳ ବ୍ଲକ ଅନ୍ତର୍ଗତ ୭୨ ପଞ୍ଚାୟତର ୭ ଶହରୁ ଅଧିକ ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ଶହ ଶହ ଗାଁ ପାଣି ଘେରରେ ରହିଛି। ବିଭିନ୍ନ ରାସ୍ତାରେ ଘାଇ ସୃଷ୍ଟି ହୋଇ ଶତାଧିକ ଗାଁ’କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜଳକା ନଦୀ ବନ୍ୟ​‌ାରେ ମଧ୍ୟ ବିସ୍ତୃତ ଅଞ୍ଚଳ ପ୍ରଭାବିତ ହୋଇଛି। ଝାଡ଼ଖଣ୍ଡ, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଏବଂ ଜଳକା ଜଳସ୍ତର ବୃଦ୍ଧି ପାଇଛି। ରାଜଘାଟରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଅପରାହ୍ଣ ସୁଦ୍ଧା ଜଳସ୍ତର ୧୧.୫୬ ମିଟର ରହିଛି। ବୁଢ଼ାବଳଙ୍ଗର ବିପଦ ସଙ୍କେତ ଏନଏଚ-୫ ଗୋବିନ୍ଦପୁରଠାରେ ୮.୧୩ ମିଟର ଥିବାବେଳେ ଜଳସ୍ତର ୬.୭୨ ମିଟର ରହିଛି। ମଥାନୀଠାରେ ଜଳକାର ବିପଦ ସଙ୍କେତ ୬.୫୦ ମିଟର ଥିବାବେଳେ ଜଳସ୍ତର ୬.୭୧ ମିଟର ଉପରେ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାରେ ଜଳସ୍ତର ସ୍ଥିର ଥିବାବେଳେ ଅନ୍ୟ ଦୁଇ ନଦୀରେ ହ୍ରାସ ପାଉଛି। ଆସନ୍ତାକାଲି ସକାଳ ସୁଦ୍ଧା ତିନି ନଦୀରେ ଜଳସ୍ତର କମିବା ସମ୍ଭାବନା ଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ତଳୁଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରିବା ଏବଂ ରିଲିଫ ଅପରେସନ ଜାରି ରଖିବାକୁ ବାଲେଶ୍ବର ଜିଲାପାଳଙ୍କୁ ନିର୍ଦେଶ ରହିଛି। ଜଣେ ଯନ୍ତ୍ରୀ ମୁଖ୍ୟ ଏବଂ ମୁଖ୍ୟ ଯନ୍ତ୍ରୀଙ୍କୁ ବାଲେଶ୍ବର ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ପଠାଯାଇଛି।
ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ତେବେ ଆଜି ଉପର ମୁଣ୍ଡରେ ବଡ଼ ବର୍ଷା ନଥିବା ଯୋଗୁଁ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ମନ୍ତ୍ରୀ କହିଛନ୍ତି। ଆଜି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ବିଭିନ୍ନ ଅଞ୍ଚଳକୁ ଯାଇ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଥିବାବେଳେ ମୋଟ ୨୯୧୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ତଳିଆ ଅଞ୍ଚଳର ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଉଲ୍ଲେଖନୀୟ ବିଷୟ ହେଲା, ୧୦ ଦିନ ପୂର୍ବରୁ ଅନୁରୂପ ଭାବେ ଚାନ୍ଦିଲ ବ୍ୟାରେଜ ପାଣି ଯୋଗୁଁ ସୁବର୍ଣ୍ଣରେଖାରେ ହୋଇଥିବା ବନ୍ୟାରେ ନଷ୍ଟ ରାସ୍ତାଘାଟର ମରାମତି ପୂର୍ବରୁ ପୁଣି ଆଉ ଏକ ବଡ଼ ବନ୍ୟା ଆସିଛି। ବିପନ୍ନ ଲୋକଙ୍କ ଘର ଭିତରେ ଏବେ ଆଣ୍ଠୁଏ ଉଚ୍ଚର ପାଣି। ରୋଷେଇ କରିବାକୁ ଜାଗା ଟିକିଏ ବି ନାହିଁ। ଗତକାଲି ଠାରୁ କେବଳ ଶୁଖିଲା ଖାଦ୍ୟ ଖାଇ ବହୁ ପରିବାର ରହିଥିବା ଜଣାଯାଇଛି। ତେବେ ଏହି ବନ୍ୟାରେ ଭୋଗରାଇ ଓ ବସ୍ତା ବ୍ଲକ ଅଞ୍ଚଳର ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଦୁଇ ବ୍ଲକରେ ୨୭ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ବି ପ୍ରକୃତରେ ୪୦ରୁ ଅଧିକ ପଞ୍ଚାୟତ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ରାସ୍ତା ଉପରେ ପାଣିର ସୁଅ ପଡ଼ିଥିବାବେଳେ ଲୋକେ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି। କିଛି ପରିବାର ଆଶ୍ରୟ ସ୍ଥଳକୁ ଆସୁ ନ ଥିବାବେଳେ କେତେକଙ୍କ ନିକଟରେ ଉଦ୍ଧାରକାରୀ ଦଳ ପହଞ୍ଚି ନ ଥିବା ଅଭିଯୋଗ ଉଠିଛି। ବନ୍ୟାର ଭୟାବହତା ଦୃଷ୍ଟିରୁ ଉଦ୍ଧାର ଓ ସହାୟତା କାମର ତଦାରଖ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆରଡିସି) ତଥା ବାଲେଶ୍ବରର ପୂର୍ବତନ ଜିଲାପାଳ ବି ପରମେଶ୍ବରନ ଆଜି ବାଲେଶ୍ବରରେ ପହଞ୍ଚି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସେ ଜିଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ଏନଡିଆରଏଫ, ଅଗ୍ନିଶମ ଓ ଓଡ୍ରାଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ବିଭାଗୀୟ ସମନ୍ବୟ ରକ୍ଷା ସହ ବନ୍ୟା ଦୁର୍ଗତଙ୍କୁ ତୁରନ୍ତ ଆବଶ୍ୟକ ସାହାଯ୍ୟ ଯୋଗାଇଦେବାକୁ ସେ ଜିଲାପାଳଙ୍କୁ କହିଛନ୍ତି।
ଅନ୍ୟପକ୍ଷରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଏବେ ସତର୍କ ସୂଚନାର ନିମ୍ନରେ, ୪.୪୦ ମିଟରରେ ପ୍ରବାହିତ ହେଉଥିବାବେଳେ ଜଳକା ନଦୀର ଜଳସ୍ତର ଏବେ ବି ବିପଦ ସୂଚନାର ଉପରେ ଅର୍ଥାତ ୬.୬୪ ମିଟରେ ସ୍ଥିର ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସା​ରେ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ପୁଣି ଏକ ଲଘୁଚାପ ଯୋଗୁଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ସମେତ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଉଛି। ବନ୍ୟା ସ୍ଥିତିର ସୁଧାର ଆସିବା ପୂର୍ବରୁ ଏହି ବର୍ଷା ହେଲେ କେବଳ ଉତ୍ତର ବାଲେଶ୍ବର ନୁହେଁ, ବରଂ ସମ୍ପୂର୍ଣ୍ଣ ଜିଲାରେ ଭୟଙ୍କର ସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories