ତେହରାନ: ଇସ୍ରାଏଲ ଓ ଇରାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଇରାନ ବିଜୟୀ ହୋଇଛି ବୋଲି ତେହରାନ ଦାବି କରିଛି। ଗୁରୁବାର ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନି କହିଛନ୍ତି ଯେ ଇସ୍ରାଏଲ ବିରୋଧରେ ହୋଇଥିବା ଯୁଦ୍ଧରେ ତାଙ୍କ ଦେଶ ବିଜୟୀ ହୋଇଛି। ଆଉ ଏହି ଯୁଦ୍ଧର ମଝିରେ ନିଜକୁ ସାମିଲ କରିଥିବା ଆମେରିକା ମୁହଁରେ ଇରାନ ଶକ୍ତ ଚାପୁଡା ମାରିବାରେ ସମର୍ଥ ହୋଇଛି ବୋଲି ସେ କହିଛନ୍ତି। ଇସ୍ରାଏଲ-ଇରାନ ଯୁଦ୍ଧର ଅସ୍ତ୍ରବିରତି ପରେ ଗୁରୁବାର ଦେଶବାସୀଙ୍କୁ ସମ୍ବୋଧନ କାଳରେ ଖାମେନେଇ ଏପରି କହିଛନ୍ତି। ଦେଶବାସୀଙ୍କୁ ନିଜର ଟେଲିଭିଜନ୍ ବାର୍ତ୍ତାରେ ଖାମେନି କହିଛନ୍ତି ଯେ କାତାରସ୍ଥିତ ଆମେରିକାର ବାୟୁସେନା ଘାଟି ଉପରେ ଇରାନ ଯେଉଁ ଆକ୍ରମଣ କରିଥିଲା ତାହା ୱାଶିଂଟନ ମୁହଁରେ ଏକ ଚାପୁଡା ମାରିବା ସଦୃଶ। ଇସ୍ରାଏଲ ବିରୋଧୀ ଯୁଦ୍ଧରେ ଇରାନ ବିଜୟୀ ହୋଇଥିବାରୁ ଖାମେନି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଖାମେନି କହିଛନ୍ତି ଯେ ଇସ୍ରାଏଲ ପ୍ରତ୍ୟକ୍ଷ ଯୁଦ୍ଧ ଆରମ୍ଭ କରିଥିବାବେଳେ ଇରାନ ଏହାର କଡା ଜବାବ ଦେଇଥିଲା। ଇରାନର ପ୍ରତି ଆକ୍ରମଣରେ ଇସ୍ରାଏଲ୍ ବିଚଳିତ ହୋଇପଡି ଆମେରିକାର ଶରଣ ନେଇଥିଲା। ଆମେରିକା ଅନୁଭବ କରିଥିଲା ଯେ ଇରାନର ଆକ୍ରମଣକୁ ରୋକା ନ ଗଲେ ଇହୁଦି ସମ୍ପ୍ରଦାୟ ମୂଳପୋଛ ହୋଇଯିବ। ତେଣୁ ଇହୁଦି ସମ୍ପ୍ରଦାୟକୁ ବଞ୍ଚାଇବା ଲାଗି ଆମେରିକା ଏହି ଯୁଦ୍ଧରେ ହସ୍ତକ୍ଷେପ କରିଥିଲା। ଆମେରିକା ଯୁଦ୍ଧରେ ହସ୍ତକ୍ଷେପ କରି ଇରାନ ଉପରେ ଆକ୍ରମଣ କରିଥିବାବେଳେ ଇସଲାମିକ ରିପବ୍ଲିକ ଏହାର କଡା ଜବାବ ଦେଇଥିଲା। ଖାମେନେଇ ଚେତାବନୀ ଦେଇଛନ୍ତି ଯେ ଇସ୍ରାଏଲ ଓ ଆମେରିକା ଯଦି ଆଗକୁ ଆଉ କୌଣସି ଆକ୍ରମଣ କରନ୍ତି ତେବେ ଚରମ ପରିଣାମ ଭୋଗିବେ ା ଇସ୍ରାଏଲ ସହିତ ଯୁଦ୍ଧ ଲାଗି ରହିଥିବାବେଳେ ଖାମେନେଇ ଏକ ପ୍ରକାର ନିଖୋଜ ଥିଲେ। ଯୁଦ୍ଧ ବନ୍ଦ ହେବା ପରେ ସେ ସର୍ବସାଧାରଣରେ ଦେଖାଯାଇଛନ୍ତି।



