ଭୁବନେଶ୍ବର : ଠିକାଦାରଙ୍କଠୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା । କୋରାପୁଟ ଜିଲା ଲମତାପୁଟ ବ୍ଲକରେ ନିୟୋଜିତ ସୁଚିସ୍ମିତା ବିଲ୍ ପାସ୍ କରାଇ ଦେବା ପାଇଁ ଠିକାଦାରଙ୍କଠୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବରୁ ୫ ହଜାର ଟଙ୍କା ନେଇସାରିଥିଲେ । ତେବେ ମଙ୍ଗଳବାର ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଲାଞ୍ଚ ନେବା ସମୟରେ ସହକାରୀ ଯନ୍ତ୍ରୀଙ୍କୁ ଧରିଛି ।
ବିଲ୍ ପାସ୍ କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏଇ ସୁଚିସ୍ମିତା । ପୂର୍ବରୁ ଠିକାଦାର ତାଙ୍କୁ ୫ ହଜାର ଟଙ୍କା ଦେଇସାରିଥିଲେ । ଆଉ ୧୦ ହଜାର ଟଙ୍କା ନମିଳିଲେ ବିଲ୍ ପାସ୍ କରିବେ ନାହିଁ ବୋଲି ସହକାରୀ ଯନ୍ତ୍ରୀ କହିବା ପରେ ଠିକାଦାର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଯୋଜନା ପ୍ରକାର ଆଜି ସହକାରୀ ଯନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ପହଞ୍ଚି ଠିକାଦାର ଆଉ ୮ ହଜାର ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ। ଏହି ଘଟଣାରେ କୋରାପୁଟ ପୁଲିସରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।



