ରେଢ଼ାଖୋଲ: ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ରାମପୁର-ଗୋବିନ୍ଦପୁର ରାସ୍ତାର ପୋଡ଼ବଲାଣ୍ଡ ଗ୍ରାମ ନିକଟସ୍ଥ ରେଲୱେ ଓଭର ବ୍ରିଜ ନିକଟରେ ଏକ ବାଇକ ଓ ନଳକୂଅ ଖାନନ ଟ୍ରକ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ ଚାଳକ ଚାରମାଳ ଥାନା ଚୂଡ଼ାପୁଡୁଗ ଗ୍ରାମର ଲକ୍ଷିନ୍ଦ୍ର ମିର୍ଧା(୩୫)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ତାଙ୍କ ଶଳା ଭାଉଜ ଡଲି ମିର୍ଧା(୨୮) ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ବୁଧବାର ସକାଳୁ ଉଭୟେ ଏକ ବାଇକରେ ଅନୁଗୁଳ ଜିଲା ଅଙ୍ଗପଡା ଗ୍ରାମକୁ ଯାଉଥିବାବେଳେ ପୋଡାବଲାଣ୍ଡ ଗ୍ରାମ ନିକଟସ୍ଥ ରେଲୱେ ଓଭର ବ୍ରିଜ ନିକଟରେ ସମ୍ମୁଖ ଦିଗରୁ ଆସୁଥିବା ନଳକୂଅ ଖୋଳା ଟ୍ରକ ସହିତ ଧକ୍କା ହୋଇଥିଲା। ଖବର ପାଇ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମୃତ ଲକ୍ଷିନ୍ଦ୍ରଙ୍କ ଶଳା ଭାଉଜ ଡଲିଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ସ୍ଥାନ୍ତାନର କରାଯାଇଛି। ସେହିପରି ମୃତ ବାଇକ ଚାଳକ ଲକ୍ଷିନ୍ଦ୍ରଙ୍କ ମୃତଦେହ ଜବତ କରି ଶବ ବ୍ୟବଛେଦ କରାଇବା ପାଇଁ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି। ଏନେଇ ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ତଦନ୍ତ ଚଳାଇଛି।



