ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଯଶବନ୍ତ ବର୍ମାଙ୍କ ଘରୁ ବିପୁଳ ପରିମାଣରୁ ଅଧା ପୋଡା ୫୦୦ ଟଙ୍କିଆ ନୋଟ ମିଳିବା ଘଟଣାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବା ଲାଗି ସୁପ୍ରିମକୋର୍ଟ ମନା କରିଛନ୍ତି। ଟଙ୍କା ମିଳିବା ଘଟଣା ଉପରେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତି ଆଭ୍ୟନ୍ତରୀଣ କମିଟି ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛି। ତଦନ୍ତ କମିଟିର ସବିଶେଷ ରିପୋର୍ଟକୁ ସାର୍ବଜନୀନ କରିବା ଲାଗି ସୂଚନା ଅଧିକାର ଆଇନ (ଆରଟିଆଇ) ମାଧ୍ୟମରେ ଆବେଦନ କରାଯାଇଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ସୂଚନା ଅଧିକାର କର୍ମୀ ଅମୃତପାଲ ସିଂହ ଖାଲସା ମେ ୯ ତାରିଖରେ ତଦନ୍ତ ରିପୋର୍ଟ ପାଇବା ଲାଗି ଆବେଦନ କରିଥିଲେ। ଅମୃତପାଲଙ୍କ ଆବେଦନକୁ ମେ ୨୧ରେ ସୁପ୍ରିମକୋର୍ଟଙ୍କ କେନ୍ଦ୍ରୀୟ ସାଧାରଣ ସୂଚନା ଅଧିକାରୀ (ସିପିଆଇଓ) ଅଗ୍ରାହ୍ୟ କରିଦେଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ତଦନ୍ତ ରିପୋର୍ଟକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପୂର୍ବକ ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି। ପ୍ରଧାନ ବିଚାରପତି ଲେଖିଥିବା ଉକ୍ତ ଚିଠିର ନକଲ ପ୍ରଦାନ ଲାଗି ଅମୃତପାଲ
ମଧ୍ୟ ଆବେଦନ କରିଥିଲେ। ମାତ୍ର ଉକ୍ତ ଚିଠିର ନକଲ ଦେବାକୁ ମଧ୍ୟ ସିପିଆଇଓ ମନା କରିଛନ୍ତି। ଆରଟିଆଇ ଆଇନ ୨୦୦୫ ଅନୁଯାୟୀ ତଦନ୍ତ ରିପୋର୍ଟ ପାଇବା ପରେ ଅମୃତପାଲ ଏହାକୁ ସାର୍ବଜନୀନ କରିବାକୁ ଚାହଁୁଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଅମୃତପାଲଙ୍କ ଆବେଦନ ଉପରେ ଜବାବ ଦେଇ ସିପିଆଇଓ ଲେଖିଛନ୍ତି ଯେ ନ୍ୟାୟପାଳିକାର ସ୍ବାଧୀନତା, ସମାନତା ପରୀକ୍ଷା, ଗୋପୀନୀୟ କାର୍ଯ୍ୟରେ ବାଧା ସୃଷ୍ଟି, ବ୍ୟକ୍ତିଗତ ଗୋପନୀୟତା ଅଧିକାର କାରଣରୁ ଏହି ରିପୋର୍ଟ ପ୍ରଦାନ କରାଯାଇପାରିବ ନାହିଁ।
ତଦନ୍ତ ରିପୋର୍ଟ ଦିଆଯିବା ପରେ ବିଚାରପତି ବର୍ମାଙ୍କ ବରୋଧରେ ଫୌଜଦାରୀ ମାମଲା ରୁଜୁ ଲାଗି ଆବଶ୍ୟକ ନ୍ୟାୟିକ ନିର୍ଦେଶନାମା ଦେବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରାଯାଇଥିଲାବେଳେ ଏହାକୁ ମଧ୍ୟ ଅଗ୍ରାହ୍ୟ କରିଦିଆଯାଇଥିଲା। ଓକିଲ ମ୍ୟାଥ୍ୟୁସ୍ ଜେ ନେନ୍ଦୁମପରା ଓ ଅନ୍ୟ ତିନି ଜଣଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଆବେଦନ ପୂର୍ବକ ଫୌଜଦାରୀ ମାମଲା ରୁଜୁ ଲାଗି ଅନୁମତି ଲୋଡାଯାଇଥିଲା। ମାତ୍ର ଏପରି ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିବା ସହ ଏ ସମ୍ପର୍କରେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ମାର୍ଚ୍ଚ ୧୪ରେ ବିଚାରପତି ବର୍ମାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ନିଆଁ ଲାଗିବା ପରେ ପୋଡା ଟଙ୍କା ଉଦ୍ଧାର ହୋଇଥିଲା। ଏହି ଘଟଣା ଦେଶବ୍ୟାପୀ ଚର୍ଚ୍ଚା ହେବା ପରେ ସୁପ୍ରିମକୋର୍ଟ ଟଙ୍କା ଉଦ୍ଧାର ସମ୍ପର୍କିତ ଫଟୋ ଜାରି କରିଥିଲେ। ମାର୍ଚ୍ଚ ୨୨ରେ ସୁପ୍ରିମକୋର୍ଟ ଘଟଣାର ତଦନ୍ତ ପାଇଁ ତିନି ଜଣିଆ ବିଚାରପତି କମିଟି ଗଠନ କରିଥିଲେ। କମିଟି ମେ ୮ରେ ଏହାର ରିପୋର୍ଟ ଦେଇଥିଲେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ତଦନ୍ତ କମିଟିର ରିପୋର୍ଟକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇବା ସହ ଏହା ଉପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ କହିଛନ୍ତି। ବାସଭବନରୁ ପୋଡା ଟଙ୍କା ଜବତ ଘଟଣା ପରେ ବିଚାରପତି ବର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଛି।
ବିଚାରପତି ବର୍ମାଙ୍କ ଘରୁ ଟଙ୍କା ମିଳିବା ଘଟଣା; ‘ତଦନ୍ତ ରିପୋର୍ଟ ସାର୍ବଜନୀନ ହେବନି’
Popular Categories



