ସାଥୀଙ୍କ ମନ ବୁଝିବାର ସହଜ ଉପାୟ
ସମ୍ପର୍କର ସୂତାଖିଅ ବେଳେବେଳେ ଅଡୁଆ ହୋଇଯାଏ। ଏହାର ଯଦି ତୁରନ୍ତ ସମାଧାନ କରାନଯାଏ ତେବେ ଘରେ ଅଶାନ୍ତି ବ୍ୟାପିବା ସ୍ୱାଭାବିକ। ଯଦି ଆପଣଙ୍କ ସମ୍ପର୍କରେ ଏପରି କିଛି ଅନୁଭବ କରୁଛନ୍ତି, ତେବେ ସାଥୀଙ୍କ ମନକୁ ପଢିବା ନିହାତି ଜରୁରୀ। ଏହା ସହିତ କେତେକ ଦିଗକୁ ଦୃଷ୍ଟି ଦିଅନ୍ତୁ-
କୌଣସି କଥାବାର୍ତ୍ତା ଉପରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରନ୍ତୁନାହିଁ। ପ୍ରଥମେ ସାଥୀଙ୍କ ମନରେ କ’ଣ ଅଛି ବାରିବା ପରେ ନିଜ କଥା ଜଣାଇବା ଉଚିତ।
ସମ୍ପର୍କରେ କିଛି ସମସ୍ୟା ଆସିଲେ ଜଣେ ଚୁପ୍ ରହିଯିବା ଖୁବ୍ ଭଲ। ଯଦି ଆପଣ ଚୁପ୍ ରହି କେବଳ ସାଥୀଙ୍କ କଥା ଶୁଣନ୍ତି, ତେବେ ତାଙ୍କ ମନର ବିଦ୍ରୋହ ଭଲଭାବେ ଜାଣିପାରିବେ।
ଅନେକେ ରାଗିଗଲେ ଗୁମ୍ସୁମ ହୋଇ ବସିଯା’ନ୍ତି ନଚେତ ଘରର ଗୋଟିଏ କୋଣରୁ ବାହାରନ୍ତି ନାହିଁ। ସାଥୀଙ୍କର ଏହି ଲକ୍ଷଣ ଧ୍ୟାନ ସହକାରେ ଲକ୍ଷ୍ୟ କରନ୍ତୁ। ଫଳରେ ସେ ଅବସାଦରେ ଅଛନ୍ତି ବୋଲି ତୁରନ୍ତ ଜାଣିପାରିବେ।
ବହୁବାର ମଣିଷର ହାବଭାବ ମନ, ମସ୍ତିଷ୍କର ପ୍ରତିକ୍ରିୟା ସମ୍ପର୍କରେ ଜଣାଇଦିଏ। ଏଥିପ୍ରତି ସାମାନ୍ୟ ଦୃଷ୍ଟି ଦେଇ ଆପଣ ସାଥୀଙ୍କ ମନୋଭାବ ବୁଝିପାରିବେ। ଯଦି ପତି ଅଫିସ୍ରୁ ଫେରି ସିଧା ସୋଫା ଉପରେ ବସିପଡନ୍ତି, ଜାଣିନିଅନ୍ତୁ ସେ ଖୁବ୍ କ୍ଳାନ୍ତ ଏବଂ ଏକୁଟିଆ କିଛି ସମୟ ରହିବାକୁ ଇଚ୍ଛା କରୁଛନ୍ତି। ଏପରି ସ୍ଥିତିରେ ତାଙ୍କୁ ତୁରନ୍ତ କୌଣସି ଆଲୋଚନାରେ ସାମିଲ ନକରି ପରିସ୍ଥିତି ହାଲ୍କା କରିବାକୁ ଚେଷ୍ଟା କରନ୍ତୁ।