ନୂଆଦିଲ୍ଳୀ: ପୁରାଣ ଯୁଗର ଏହି ଭାରତ ଦିନେ ସ୍ବର୍ଣ୍ଣପ୍ରସୂ ଥିଲା। ମାତ୍ର କନୌଜ ରାଜ୍ୟର ରାଜା ଜୟଚନ୍ଦ୍ର ଯେଉଁଦିନ ମହମ୍ମଦ ଘୋରିକୁ ଡାକି ଆଣି ଦିଲ୍ଲୀ ନରେଶ ପୃଥ୍ବୀରାଜଙ୍କ ଶିରଚ୍ଛେଦନ କରାଇଲେ (୨ୟ ତିଖେରି ଯୁଦ୍ଧ, ୧୧୯୨) ସେ ଦିନଠାରୁ ରାଣୀ ସଂଯୁକ୍ତାଙ୍କ ମଥାର ସିନ୍ଦୂର ଭୂଲୁଠିତ ହେଲା। ସ୍ବ ଦୁହିତାର ସେହି ଅକାଳ ବୈଧବ୍ୟର ଯନ୍ତ୍ରଣାରେ ଛଟପଟ ହୋଇ ଶ୍ରୀହୀନ ହୋଇଗଲା ଆମ ମାତୃଭୂମି। ମାଡ଼ି ଆସିଲେ ପଶ୍ଚିମରୁ ଯବନ ଦଳ। ୧୮୫୮ ପର୍ଯ୍ୟନ୍ତ ଚାଲିଲା ତାଙ୍କ ଶାସନ ସୌଖ୍ୟ। ତା’ପରେ ଆସିଲେ ଇଂରେଜ। ଗାନ୍ଧିଜୀଙ୍କ ନେତୃତ୍ବରେ ଲଢ଼ି, ଉଭୟ ହିନ୍ଦୁ ମୁସଲମାନ ଦେଶକୁ ସ୍ବାଧୀନତାର ଦ୍ବାରଦେଶରେ ପହଞ୍ଚାଇଲେ। ତା’ର ଅଳ୍ପକାଳ ପୂର୍ବୁ ଦେଖାଦେଲା ମୁସଲିମ ଲିଗ୍ ନାମକ ଏକ ଉପସର୍ଗ। ଜିନ୍ନାଙ୍କ ନେତୃତ୍ବରେ ସେ ଦାବି କଲା ଅନ୍ୟ ଏକ ସ୍ବାଧୀନ ଦେଶ ପାକିସ୍ତାନ। ଅଖଣ୍ଡ ଭାରତ ଦ୍ବିଖଣ୍ଡିତ ହେଲା। ଉଭୟ ପଟରେ ବହିଲା ରକ୍ତର ନଦୀ, ଯାହା ପଶ୍ଚିମର ସିନ୍ଧୁ ଓ ପୂର୍ବର ଗଙ୍ଗା ସ୍ରୋତରେ ମିଶି ବହିଗଲା ମହୋଦଧିକୁ। ସେ ଦିନର ରକ୍ତକ୍ଷରଣ ଆଜି ବି ଥମି ନାହିଁ। ଏବେ ଆମେ ଚାଲିଯିବା ପୁରାଣ ଯୁଗର ମହାଭାରତର କାହାଣୀକୁ। ସେଠାରେ ମଧ୍ୟ ଏହି ପରି ରକ୍ତକ୍ଷୟ ହୋଇଥିଲା, ଅନେକ ଅନେକ। ଗୋଟିଏ କଥା, ତା’ର ଏକ ଅଭୁଲା ଫର୍ଦ ହେଉଛି େଦ୍ରୗପଦୀ ବସ୍ତ୍ରହରଣ ଦ୍ୟୂତକ୍ରୀଡ଼ାରେ ପରାଜିତ ପାଣ୍ଡବ ଭ୍ରାତାଙ୍କ ସମ୍ମୁଖରେ, କୁରୁସଭା ତଳେ, ଦୁେର୍ଯ୍ୟାଧନର ଆଦେଶରେ ତା’ର ଅନୁଜ ଦୁଃଶାସନ ଚେଷ୍ଟାକଲା ପାଞ୍ଚାଳୀଙ୍କୁ ବିବସ୍ତ୍ର କରିବାପାଇଁ। ଏ ଅପମାନର ପ୍ରତିଶୋଧ ନେଇଥିଲେ ଦ୍ବିତୀୟ ପାଣ୍ଡବ ଭୀମ। କାରଣ ସେ ହିଁ କରିଥିଲେ ଦୁେର୍ଯ୍ୟାଧନର ଉରୁଭଙ୍ଗ। ସେ ମଧ୍ୟ ହତ୍ୟା କରିଥିଲେ ଦୁଃଶାସନକୁ। ଯେଉଁ ଦିନଠୁ ପାଞ୍ଚାଳୀଙ୍କୁ ବିବସ୍ତ୍ର କରିବାକୁ ଉଦ୍ୟମ କରିଥିଲା ଦୁଃଶାସନ (ନିଜ ବଂଶର ଭାଉଜଙ୍କୁ) ସେ ଦିନରୁ ସେ ତାଙ୍କ ଜୁଡ଼ାକୁ ମୁକୁଳା ରଖି ପ୍ରତିଜ୍ଞା କରିଥିଲେ- ଯେଉଁଦିନ ଦୁଃଶାସନର ହତ୍ୟାହେବ ସେହି ଦିନ ସେ ନିଜ କେଶ ବାନ୍ଧିବେ ତା’ର ରକ୍ତରେ। ଏହି ପ୍ରତିଜ୍ଞା ପୂର୍ଣ୍ଣ କରିଥିେଲ ସେହି ଭୀମ। ଏହି ଆଖ୍ୟାନକୁ କୁହାଯାଏ ‘ବେଣୀ ସଂହାର’। ଏହି ନାମଧାରୀ ଏକ ମନୋରମ ନାଟକରେ ସଂସ୍କୃତ କବି ଭଟ୍ଟ ନାରାୟଣ ବର୍ଣ୍ଣନା କରିଛନ୍ତି ସେହି ପ୍ରତିଶୋଧର ଗାଥାକୁ। (ସଂସ୍କୃତରେ ନାଟକକୁ ଦୃଶ୍ୟ କାବ୍ୟ ରୂପରେ ନାମିତ କରାଯାଏ।) କୁହାଯାଏ ଯେ ଇତିହାସ ସର୍ବଦା ନିଜକୁ ଦୋହରାଏ। ୫୦୦୦ରୁ ଅଧିକ ବର୍ଷ ତଳର ଏ କାହାଣୀର ନାଟକ ଆଜି ବି କିପରି ଅଭିନୀତ ହେଉଛି, ତାହା ଲକ୍ଷ୍ୟ କରନ୍ତୁ ବିଜ୍ଞ ପାଠକେ।
ଗତ ମାସ ୨୨ ତାରିଖ କାଶ୍ମୀରର ପର୍ଯ୍ୟଟନ କ୍ଷେତ୍ର ପହଲଗାଓଁଠାରେ ପୃଥିବୀ ଓ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ପର୍ଯ୍ୟଟକଗଣ ନିଜ ନିଜର ପୁତ୍ର, କନ୍ୟା ଓ ପତ୍ନୀ ପରିବେଷ୍ଟିତ ହୋଇ ଭୂସ୍ବର୍ଗ କାଶ୍ମୀରର ମନୋରମ ପ୍ରକୃତିକୁ ଉପଭୋଗ କରୁଥିବା ଅବସରରେ, ସେଦିନ ମାଡ଼ି ଆସିଲେ ପାକିସ୍ତାନୀ ଓ କାଶ୍ମୀରୀ ଦାନବ କେତେଜଣ। ସେମାନେ ଥିଲେ ପାକିସ୍ତାନ ପ୍ରାୟୋଜିତ କେତେଗୋଟି ସଂଗଠନ ଦ୍ବାରା ପ୍ରଶିକ୍ଷିତ ଦୁର୍ଦ୍ଧର୍ଷ ଆତଙ୍କବାଦୀ। ସଂଗଠନଗୁଡ଼ିକ ହେଲା ଲସ୍କର ଇ-ତୋଏବା, େଜୖସ-ଇ-ମହମ୍ମଦ, ହରକତ୍-ଉଲ-ଜିହାଦି-ଇସଲାମୀ, ହରକତ୍-ଉଲ-ମୁଜାହିଦ୍ଦିନ ଓ ହିଜବୁଲା ମୁଜାହିଦ୍ଦିନ। ଏମାନେ ସବୁ,କାଶ୍ମୀର ସମେତ ଭାରତର ଯେ କୌଣସି ସ୍ଥାନରେ ଉଗ୍ରବାଦୀ କାର୍ଯ୍ୟର ଯୋଜନା ଓ ପରିଚାଳନା କରନ୍ତି। ପହଲଗାଓଁ ହିଂସା ପାଇଁ ଟିଆର୍ଏଫ୍ ନିଜକୁ ଦାୟୀ କରିଛି। ଏହା ଏକ ଚାଲବାଜି। ମୂଳ ସଂଗଠନ ଲସ୍କର-ଇ-ତଏବାରୁ ଏହି ଏକାଉଣ୍ଟକୁ ‘ମନି ଟ୍ରାନ୍ସଫର’ ପାଇଁ ଏହା କରାଯାଇଛି। ଯେତେବେଳେ ଗୋଟିଏ ସଂଗଠନର ଏକାଉଣ୍ଟକୁ ଅଚଳ କରି ଦିଆଯାଏ, ସେତେବେଳେ ସେ ଅନ୍ୟ ନାମରେ ସଂଗଠନ ଗଢ଼େ। ଏହା ଆତଙ୍କୀ ଅଭ୍ୟାସ।
ପହଲଗାଓଁ ଆକ୍ରମଣ ଖବର ପାଇ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଆରବ ଗସ୍ତ ବାତିଲ କରି ଫେରି ଆସିଲେ ଏବଂ ସେହି ବିମାନ ବନ୍ଦରରେ ହିଁ ସୁରକ୍ଷା ପରାମର୍ଶଦାତା ଡୋଭାଲଙ୍କ ସହ ଏକ ଜରୁରୀ ବୈଠକ କଲେ। ଆଗ ସେ ୧୯୬୦ର ସିନ୍ଧୁ ଜଳବଣ୍ଟନ ଚୁକ୍ତି ରଦ୍ଦ କରିଦେଲେ। ଇଏ କି ବଡ଼ଭାଇପଣିଆ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁଙ୍କର? ଗୋଟିଏ ସାଧାରଣ ନଦୀ ସିନ୍ଧୁ ଯାହା ମୁଖ୍ୟତଃ ଜଳପାଏ ଭାରତର ବୃଷ୍ଟି ଓ ହିମବାହର ତରଳୁଥିବା ଅଂଶରୁ। ତହିଁରୁ ସେ ପାଇବ ୮୦ ପ୍ରତିଶତ ଜଳ ଆଉ ଭାରତ ମାତ୍ର ୨୦ ପ୍ରତିଶତ? ଭାରତର ଦର୍ଶନ ହେଲା- ‘ରକ୍ତ ଓ ପାଣି ଏକାସଂଗେ ବହିପାରିବନି’। ସିନ୍ଧୁ ଜଳଦ୍ବାରା ପାକିସ୍ତାନର ୮୦ ପ୍ରତିଶତ କୃଷି ପ୍ରଭାବିତ ହେବ। ଫଳରେ ଧାନ ଓ ଗହମ ଅମଳର ହ୍ରାସ ଘଟିବ। କିପରି ସେ ତିଷ୍ଠିବ। ବର୍ତ୍ତମାନ ଆମ ଦେଶରେ ଅଟା କିଲୋ ୪୦ ଟଙ୍କାରୁ ୫୦ ଟଙ୍କା। ମାତ୍ର ସେଠାରେ କିଲୋପ୍ରତି ଅଟା ଦର ୪୪୪ ଟଙ୍କା। ସିନ୍ଧୁ ଚୁକ୍ତି ବାତିଲ ହେଲେ ସେ କରିବ କ’ଣ? ଗରିବ ଲୋକଙ୍କ ପାଇଁ ତା’ର ଚିନ୍ତା ନାହିଁ। ପାକିସ୍ତାନରେ ମଧ୍ୟବିତ୍ତ ଶ୍ରେଣୀ ନାହାନ୍ତି। ଅଛନ୍ତି ୨୦ ପ୍ରତିଶତ ଧନିକ- ଏଥିରେ ଅଫିସର, ଜମିଦାର, ସେନା ଓ ବଡ଼ବଡ଼ ବ୍ୟବସାୟୀ ଅନ୍ତର୍ଭୁକ୍ତ, ଯିଏ ସରକାର ଗଢ଼ନ୍ତି ଓ ତାକୁ ନିୟନ୍ତ୍ରଣ କରନ୍ତି। ଅଥଚ ଏହାର ୮୦ ପ୍ରତିଶତ ଗରିବ, ଯେଉଁମାନେ ମୁସଲମାନ ଧର୍ମ, କାଶ୍ମୀର ବିଜୟ ଓ ଭାରତ ବିରୋଧୀ ଯୁଦ୍ଧ ପ୍ରଚାର ଦ୍ବାରା ତାଙ୍କ ପେଟର ଭୋକ ଏବଂ ପେଟରେ ବାଜୁଥିବା ଧନିକଙ୍କ ନାତର ବ୍ୟଥା ଅଚିରେ ଭୁଲି ଯାଆନ୍ତି।
ପାକିସ୍ତାନକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର କୁହାଯାଇ ନ ପାରେ। କାରଣ ଦେଶ ଗଠନର ୭୮ ବର୍ଷ ମଧ୍ୟରେ, ଅର୍ଦ୍ଧେକ ସମୟ କେବଳ ଫଉଜୀ ଶାସନ ଚାଲିଛି। ସ୍ବାଧୀନତାର ୯ ବର୍ଷ ପରେ ସେ ସମ୍ବିଧାନ ଗଢ଼ିଲା ୧୯୫୬ରେ। ୧୯୫୮ରେ ଏକଛତ୍ରବାଦୀ ଆୟୁବ ଖଁା ଆସି ତାକୁ ବାତିଲ କରିଦେଲେ। ଜନ ଅସନ୍ତୋଷ ହେତୁ ୧୯୬୯ରେ ସେ ପ୍ରଧାନ ସେନାପତି ୟାହ୍ୟା ଖାଁଙ୍କୁ କ୍ଷମତା ହସ୍ତାନ୍ତର କରି ବିଦାୟ ନେଲେ। ୧୯୭୦ରେ, ସ୍ବାଧୀନତାର ୨୩ ବର୍ଷ ପରେ, ପାକିସ୍ତାନର ପ୍ରଥମ ସାଧାରଣ ନିର୍ବାଚନ ହେଲା। ଏଥିରେ ପୂର୍ବ ପାକିସ୍ତାନର ମୁଜିବ୍-ଉର-ରହେମାନ (ଆୱାମି ଲିଗ) ବିଜୟୀ ହେଲେ। ମାତ୍ର ତାଙ୍କୁ କ୍ଷମତା ନଦେଇ, ଗିରଫ କରି ପାକିସ୍ତାନ ଜେଲକୁ ପଠାଇ ଦିଆଗଲା। ଏହା କ’ଣ ଗଣତନ୍ତ୍ର? ଫଳରେ ପାକିସ୍ତାନ ଦ୍ବିଖଣ୍ଡିତ ହୋଇ ବାଂଲାଦେଶ ଗଠିତ ହେଲା। କେହି ଚିନ୍ତା କଲା କି ପାକିସ୍ତାନ ସୃଷ୍ଟି ହୋଇ ଦ୍ବିଖଣ୍ଡିତ ହେବା ପର୍ଯ୍ୟନ୍ତ ସେଠାରେ ଗଣତନ୍ତ୍ର ନଥିଲା। ତେବେ ଗଣତନ୍ତ୍ରର ତଥାକଥିତ ଜନକ ଆମେରିକା କାହିଁକି ତାକୁ ଅର୍ଥ ଓ ସାମରିକ ସାହାଯ୍ୟ ଦେଇ ଚାଲିଥିଲା? ଯାହା ଫଳରେ ୧୯୬୫ରେ କାଶ୍ମୀର ହାସଲ ଲକ୍ଷ୍ୟରେ ସେ ଭାରତ ସହ ୨୧ଦିନ ବ୍ୟାପୀ ଏକ ଯୁଦ୍ଧ କରିପାରିଲା?
ଏବେ ଆମେ ଫେରିଯିବା ପହଲଗାଓଁ ର ହିନ୍ଦୁ ବଧ-ଭୂମି ସେହି ପର୍ଯ୍ୟଟନ କ୍ଷେତ୍ରକୁ। ଏ େକ୍ଷତ୍ର ଥିଲା ଏପରି ସ୍ଥଳ, ଯାହା ଗରିବ କାଶ୍ମୀରୀବାସୀଙ୍କ ପେଟକୁ ଯୋଗାଉଥିଲା ଦାନା। ସରକାରଙ୍କ ବହୁମୁଖୀ ଯୋଜନା ଫଳରେ କାଶ୍ମୀରରେ ନିର୍ମିତ ହେଲା କୋଟିକୋଟି ଟଙ୍କା ବ୍ୟୟରେ ଟନେଲ। ପ୍ରଥମକରି କାଶ୍ମୀରରେ ଚାଲିଲା ଟ୍ରେନ୍। ରାସ୍ତାଘାଟର ଉନ୍ନତ ହେଲା। ପର୍ଯ୍ୟଟନ ବ୍ୟବସାୟ ଭଲ ଚାଲିଲା। ମୁକ୍ତ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା। କାଶ୍ମୀରବାସୀଙ୍କ ଆର୍ଥିକ ସ୍ବାସ୍ଥ୍ୟର ଉନ୍ନତି ଘଟିଲା। ଏହା ଦେଖି ପାକ୍ ଅଧିକୃତ କାଶ୍ମୀରବାସୀ ପାକିସ୍ତାନ ବିରୋଧୀ ଆନ୍ଦୋଳନ କରିବାରୁ, ପାକିସ୍ତାନ ସରକାର ପୁନର୍ବାର ବେସାମରିକ ଲୋକଙ୍କୁ ନିଶାଣ କରି ହତ୍ୟା ଲୀଳା ଚଳାଇଲେ। ଏହା ଆରମ୍ଭ ହେଲା ପହଲଗାଓଁ ପରିବ୍ରାଜନ କ୍ଷେତ୍ରରୁ। ମାତ୍ର ଏହା ପୂର୍ବରୁ ପରିକଳ୍ପନା କରାଯାଇଥିଲା ପାକିସ୍ତାନୀ ସେନା ଦ୍ବାରା।
ପହଲଗାଓଁ ହତ୍ୟାକାଣ୍ଡର ଆରମ୍ଭ ମୂଳରେ ପାକ୍ ସେନାଧ୍ୟକ୍ଷ ଆସିଫ ମୁନିରଙ୍କ ଯୋଜନା ଥିଲା। ସେ ଜଣେ ମୌଳବାଦୀ। ଜନପ୍ରିୟତା ହରାଇଥିବା ସରିଫ ସରକାରଙ୍କୁ ହଟାଇ କ୍ଷମତା ଦଖଲ କରିବା ଥିଲା ତାଙ୍କର ସ୍ବପ୍ନ। ପହଲଗାଓଁ ହତ୍ୟାକାଣ୍ଡ ପୂର୍ବରୁ ସେ ଅନେକ ମୁସଲମାନ ଦେଶ ପରିଭ୍ରମଣରେ ଯାଇଥିଲେ କାହିଁକି? ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଉପୁଜିଲେ ସେମାନଙ୍କଠାରୁ ନୈତିକ, ଆର୍ଥିକ ଓ ସାମରିକ ସାହାଯ୍ୟ ହାସଲ କରିବା ଥିଲା ଉଦ୍ଦେଶ୍ୟ। ଏହି କାର୍ଯ୍ୟ କରିବା ପ୍ରଧାନମନ୍ତ୍ରୀଙ୍କ ଅଧିକାର ନା ସେନାପତିର? ଏପ୍ରିଲ ୧୭ ତାରିଖ ଇସଲାମ ସଂସ୍କୃତିର ଐତିହ୍ୟ ଓ ହିନ୍ଦୁଧର୍ମଠାରୁ ତାହା ଅତ୍ୟନ୍ତ ସ୍ପଷ୍ଟ ରୂପେ ଭିନ୍ନ ବୋଲି କହି ସେ ଏକ ଉତ୍ତେଜକ ଭାଷଣ ଦେଇଥିଲେ। ଏହାର ୫ ଦିନ ପରେ ପହଲଗାଓଁ ଠାରେ ୪ଜଣ ସନ୍ତ୍ରାସବାଦୀ ପରିଭ୍ରମଣକାରୀଙ୍କ ଧର୍ମ ପଚାରି ୨୬ ଜଣଙ୍କୁ ହତ୍ୟା କଲେ। ଏହା ହେଉଛି ମୁନିରଙ୍କ ଇସଲାମ ସଂସ୍କୃତି, ଯାହା ନିର୍ଦୋଷ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ପଛାଏ ନାହିଁ।
ଏପ୍ରିଲ ୨୨ ତାରିଖର ଏହି ହତ୍ୟାକାଣ୍ଡ ଜବାବରେ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ କଲା, ଯାହାର ନାଁ ‘ଅପରେସନ ସିନ୍ଦୂର’। ନିଜ ପତ୍ନୀ ପୁତ୍ରଙ୍କ ସମକକ୍ଷରେ ପୁରୁଷ ପରିବ୍ରାଜକଙ୍କୁ ମାରି, ଷଡ଼ବିଂଶ ସଂଖ୍ୟକ ହିନ୍ଦୁ ମହିଳାଙ୍କ ମଥାର ସିନ୍ଦୂରକୁ ପୋଛି ଦେଇଥିବା ସେହି ଘାତକଙ୍କ ପାଇଁ ମୃତ୍ୟୁଦଣ୍ଡ ମଧ୍ୟ ଯଥେଷ୍ଟ ନୁହଁ। ତେବେ ତାଙ୍କର ବିଚାର କରିବା ପାଇଁ ଅନ୍ୟ ତିନିସେନା ପୂର୍ଣ୍ଣ ପ୍ରସ୍ତୁତ ଥିଲେ। ବାୟୁସେନା ପାକିସ୍ତାନ ଭିତରେ ପଶି ତାହାର ଓ ପାକ୍ ଅଧିକୃତ କାଶ୍ମୀରର ୯ଟି ଆତଙ୍କୀ ଠିକଣାକୁ ଧ୍ବସ୍ତବିଧ୍ବସ୍ତ କରି ମାଟିରେ ମିଶାଇ ଦେଲେ। ବହୁ ଆତଙ୍କବାଦୀଙ୍କର ମୃତ୍ୟୁ ହେଲା।
ଆତଙ୍କବାଦ ହେଉଛି ପାକିସ୍ତାନର ରାଷ୍ଟ୍ରନୀତି। ଏ ମଧ୍ୟରେ ଏହି ଆତଙ୍କବାଦୀଙ୍କ ବିଶ୍ବବିଦ୍ୟାଳୟରୁ ହଜାରହଜାର ସଂଖ୍ୟାରେ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରାଯାଇଛି। ତେଣୁ ନିକଟ ଭବିଷ୍ୟତରେ ଭାରତ ସନ୍ତ୍ରାସବାଦ କବଳରୁ ମୁକୁଳିବାର ଆଶା ଦିଶୁନାହିଁ। କାରଣ ବଞ୍ଚିବାପାଇଁ ତାହା ସେମାନଙ୍କ ବୃତ୍ତି ହୋଇଗଲାଣି। ତେବେ ‘ଅପରେସନ ସିନ୍ଦୂର’ ବର୍ତ୍ତମାନ ପାଇଁ ତାଙ୍କ ପ୍ରାଦୁର୍ଭାବକୁ ଏକ ଶକ୍ତ ବ୍ରେକ ଦେବ। ୯ଟି ଆତଙ୍କବାଦୀ ଆଡ୍ଡାରେ ମରିଥିବା ୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀଙ୍କ କ୍ଷରିତ ରକ୍ତ ୨୬ଜଣ ବିଧବାଙ୍କ ବେଣୀସଂହାର କରିବାପାଇଁ ଯଥେଷ୍ଟ। ବେଣୀ ସଂହାର ନାଟକ କବି ଭଟ୍ଟନାରାୟଣ କାଗଜ ଓ କଲମରେ ଲେଖିଥିଲେ; ମାତ୍ର ମେ’ ସାତ ତାରିଖରେ ସନ୍ତ୍ରାସବାଦୀଙ୍କ ମାଟିରେ ଓ ସନ୍ତ୍ରାସବାଦୀଙ୍କ ରକ୍ତରେ ଯେଉଁ ନୂଆ ଭାରତର ‘ବେଣୀ ସଂହାର’ର ନାଟକ ଲେଖାଗଲା, ତାହା ଅନନ୍ୟ। ଆମେ ଆମ ସେନା ବିଭାଗ ନିକଟରେ ବହୁଧା ଋଣୀ।
ପହଲଗାଓଁ ପରେ ବେଣୀ ସଂହାର
Popular Categories



