www.samajalive.in
Wednesday, December 10, 2025
17.1 C
Bhubaneswar

ପୋପ୍‌ ଫ୍ରାନ୍‌ସିସଙ୍କ ବିୟୋଗ: ତିନି ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରିବ ଭାରତ

ନୂଆଦିଲ୍ଲୀ: ସୋମବାର ପରଲୋକ ହୋଇଥିବା ପୋପ୍ ପୋପ୍‌ ଫ୍ରାନ୍‌ସିସଙ୍କ ପ୍ରତି ସମ୍ମାନ ସ୍ୱରୂପ ଭାରତ ତିନି ଦିନିଆ ରାଷ୍ଟ୍ର ଶୋକ ପାଳନ ନେଇ ଘୋଷଣା କରିଛି। ୨୨ ଏବଂ ୨୩ ଏପ୍ରିଲରେ ସାରା ଦେଶରେ ଶୋକ ପାଳନ କରାଯିବ ଏବଂ ପୋପ୍‌ଙ୍କ ଅନ୍ତିମ ସଂସ୍କାର ଦିନ ମଧ୍ୟ ଶୋକ ପାଳନ କରାଯିବ।

ଖ୍ରୀଷ୍ଟୀୟ ଜଗତର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନସିସ୍‌ଙ୍କର ସୋମବାର ୮୮ ବର୍ଷ ବୟସରେ ୨୧ ଏପ୍ରିଲ୍, ୨୦୨୫(ସୋମବାର)ରେ ପରଲୋକ ହୋଇଥିଲା। ତାଙ୍କୁ ସମ୍ମାନ ପ୍ରଦାନ କରାଯିବା ସ୍ୱରୂପ ସମଗ୍ର ଭାରତରେ ତିନି ଦିନିଆ ରାଷ୍ଟ୍ର ଶୋକ ପାଳନ କରାଯିବ। ୨୨ ଏପ୍ରିଲ୍, ୨୦୨୫(ମଙ୍ଗଳବାର) ଏବଂ ୨୩ ଏପ୍ରିଲ୍ ୨୦୨୫(ବୁଧବାର) ଦୁଇ ଦିନ ରାଷ୍ଟ୍ରାୟ ଶୋକ। ଅନ୍ତିମ ସଂସ୍କାର ଦିନ ଗୋଟିଏ ଦିନ ରାଷ୍ଟ୍ରାୟ ଶୋକ ପାଳନ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ (ଏମଏଚଏ) ଏକ ବିବୃତ୍ତିରେ କହିଛି।

- Advertisement -

ଗୃହ ମନ୍ତ୍ରଣାଳୟ ଜାରି କରିଥିବା  ବିବୃତ୍ତି ଅନୁଯାୟୀ ରାଷ୍ଟ୍ରାୟ ଶୋକ ପାଳନ ସମୟରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ଏବଂ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ।

ପୋପ୍‌ ଫ୍ରାନ୍‌ସିସ ୧୯୩୬ ଡିସେମ୍ବର ୧୭ରେ ଆର୍ଜେଣ୍ଟିନାର ବୁଏନ୍ସ ଏରିଜ୍‌ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଅସଲ ନାମ ଜର୍ଜ ମାରିଓ ବୋର୍ଗୋଗ୍‌ଲିଓ ଥିଲା। ବାଲ୍ୟକାଳରେ ଦୀର୍ଘ ଦିନର ଅସୁସ୍ଥତାରୁ ସୁସ୍ଥ ହେବାପରେ ସେ ୧୯୫୮ରେ ‘ସୋସାଇଟି ଅଫ୍‌ ଜେସସ୍‌’ ସଂସ୍ଥାରେ ଯୋଗ ଦେଇଥିଲେ।। ୧୯୬୯ରେ ସେ କ୍ୟାଥୋଲିକ୍‌ ପାଦ୍ରୀ ନିଯୁକ୍ତ ହୋଇଥିବାବେଳେ ୧୯୭୩ରୁ ୧୯୭୯ ପର୍ଯ୍ୟନ୍ତ ଆର୍ଜେଣ୍ଟିନାରେ ଜେସଟ୍‌ସ ପ୍ରୋଭିନ୍ସିଆଲ ସୁପିରିୟର ଦାୟିତ୍ବ ତୁଲାଇଥିଲେ। ୧୯୯୮ର ସେ ବୁଏନ୍ସ ଏରିଜ୍‌ର ଆର୍କବିଶପ ନିଯୁକ୍ତ ହୋଇଥିଲେ। ୨୦୦୧ରେ ତତ୍କାଳୀନ ପୋପ୍‌ ଜନ ପଲ୍‌ ଦ୍ବିତୀୟ ତାଙ୍କୁ କାର୍ଡିନାଲ ପଦରେ ନିଯୁକ୍ତି ଦେଇଥିଲେ।

୨୦୧୩ ଫେବୃଆରୀ ୨୮ରେ ଷୋଡଶ ବେନେଡିକ୍ଟ ପୋପ୍‌ ପଦରୁ ଇସ୍ତଫା ଦେଇଥିବାବେଳେ ମାର୍ଚ୍ଚ ୧୩ରେ ତାଙ୍କୁ ପୋପ୍‌ ପଦରେ ନିଯୁକ୍ତି ମିଳିଥିଲା। ପୋପ୍‌ ହେବାପରେ ସେ ନିଜ ନାମ ଫ୍ରାନ୍‌ସିସ୍‌କୁ ପରିବର୍ତ୍ତନ କରିଥିଲେ। ଦୀର୍ଘ ୧୨ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଚାରିଟି ଧର୍ମ ପୁସ୍ତିକା ରଚନା କରିଥିବାବେଳେ ବିଭିନ୍ନ ରାଷ୍ଟ୍ରରେ ୯୦୦ରୁ ଅଧିକ ପାଦ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି। ପରବର୍ତ୍ତୀ ପୋପ୍‌ ନିଯୁକ୍ତିି ପର୍ଯ୍ୟନ୍ତ କେଭିନ ଫାରେଲ ଏହି ଦାୟିତ୍ବ ତୁଲାଇବେ ବୋଲି ଜଣାପଡିଛି।

ପୋପ୍‌ ଫ୍ରାନ୍‌ସିସଙ୍କ ମୃତ୍ୟୁ ପରେ, ଭାଟିକାନ୍ ଏକ ପୁରୁଣା ରୋମାନ୍ ପରମ୍ପରା “ନୋଭେଣ୍ଡିଆଲ୍” ନାମକ ନଅ ଦିନିଆ ଶୋକ ଅବଧି ଘୋଷଣା କରିଛି। ଏହି ସମୟ ପରେ କାର୍ଡିନାଲ୍ସମାନେ ପରବର୍ତ୍ତୀ ପୋପ୍ ଚୟନ କରିବା ପାଇଁ ଏକ ସମ୍ମିଳନୀରେ ଏକାଠି ହେବେ।

ସୂଚନାଯୋଗ୍ୟ ନିମୋନିଆ ଏବଂ ବ୍ରୋଙ୍କାଇଟିସ ଭଳି ରୋଗରେ ଆକ୍ରାନ୍ତ ହୋଇ ପ୍ରାୟ ପାଞ୍ଚ ସପ୍ତାହ ଡାକ୍ତରଖାନାରେ ଚିକିିତ୍ସିତ ହେବାପରେ ସେ ମାର୍ଚ୍ଚ ୨୩ରେ ସୁସ୍ଥ ହୋଇ ଫେରିଥିଲେ। ତେବେ ଡାକ୍ତର ତାଙ୍କୁ ଦୁଇମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। ପୋପ୍‌ ଚଳିତମାସ ୧୯ରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍‌ସଙ୍କୁ ସାକ୍ଷାତ କରିଥିବାବେଳେ ଇଷ୍ଟର ପର୍ବ ଉପଲକ୍ଷେ ଭଟିକାନରେ ସମବେତ ହୋଇଥିବା ଶ୍ରଦ୍ଧାଳୁଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ପୋପ୍‌ଙ୍କ ଅନ୍ତିମ ଇଚ୍ଛା ଅନୁଯାୟୀ ତାଙ୍କୁ ଇଟାଲୀର ରାଜଧାନୀ ରୋମସ୍ଥିତ ସାନ୍ତା ମାରିଆ ମାଗିଓର ବାସିଲିକା ଠାରେ କବର ଦିଆଯିବ। ବିଗତ ଶହେ ବର୍ଷ ମଧ୍ୟରେ ଭାଟିକାନ୍‌ ବାହାରେ କବର ଦିଆଯିବାରେ ସେ ପ୍ରଥମ ପୋପ୍‌ ହେବେ। ସାଧାରଣତଃ ପୋପ୍‌ମାନଙ୍କୁ ଭଟିକାନସ୍ଥିତ ସେଣ୍ଟ ପିଟର୍ସ ବାଲିସିକା ଚର୍ଚ୍ଚ ପରିସରରେ କବର ଦିଆଯାଇଥାଏ। ଅପରପକ୍ଷରେ ପରମ୍ପରା ଅନୁଯାୟୀ ପୋପ୍‌ଙ୍କ ନିମନ୍ତେ ତିନିଟି କଫିନ୍‌ର ବ୍ୟବସ୍ଥା କରାଯାଉଥିବାବେଳେ ତାଙ୍କ ପାଇଁ କେବଳ ଗୋଟିଏ କଫିନ୍‌ ବ୍ୟବସ୍ଥା କରିବାକୁ ଫ୍ରାନ୍‌ସିସ୍‌ ପୂର୍ବରୁ ନିର୍ଦେଶ ଦେଇସାରିଛନ୍ତି।

ପୋପ୍‌ଙ୍କ ପରଲୋକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ବ୍ରିଟେନର ମହାରାଜା ଚାର୍ଲସ ତୃତୀୟ, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ବର ଅଧିକାଂଶ ରାଷ୍ଟ୍ରମୁଖ୍ୟ ଗଭୀର ଶୋକପ୍ରକାଶ କରିଛନ୍ତି। ପ୍ରଚଳିତ ପରମ୍ପରା ଅନୁଯାୟୀ ଭଟିକାନ୍‌ର ପ୍ରଶାସନିକ ମୁଖ୍ୟ ପୋପ୍‌ଙ୍କ ନାମ ତିନିଥର ଉଚ୍ଚାରଣ କରିଥାନ୍ତି। ଯଦି କୌଣସି ପ୍ରତ୍ୟୁତ୍ତର ନ ମିଳେ, ତେବେ ପୋପ୍‌ଙ୍କୁ ମୃତ ଘୋଷଣା କରାଯିବା ସହ ଭଟିକାନ ଟିଭି ଚ୍ୟାନେଲରେ ଏହି ସମ୍ବାଦ ପ୍ରସାରଣ କରାଯାଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories