ଶୀତ ଋତୁ ପରେ ଏବଂ ଫସଲ ଅମଳର ଆରମ୍ଭରେ ବସନ୍ତ ପଞ୍ଚମୀ ଉତ୍ସବ ପାଳନ କରାଯାଏ । ଚଳିତ ବର୍ଷ ଫେବୃଆରୀ ୧୦ ତାରିଖ ହେଉଛି ବସନ୍ତ ପଞ୍ଚମୀ । ଏହି ଦିନ ମା’ ସରସ୍ବତୀଙ୍କ ବିଶେଷ ପୂଜା କରାଯାଏ । ମା’ ସରସ୍ବତୀ ବିଦ୍ୟା ଏବଂ ବୁଦ୍ଧିର ଦେବୀ ବୋଲି ବିଶ୍ବାସ କରାଯାଏ । ବସନ୍ତ ପଞ୍ଚମୀ ଦିନ ମା’ ସରସ୍ବତୀଙ୍କ ଠାରୁ ବିଦ୍ୟା, ବୁଦ୍ଧି, କଳା ଓ ଜ୍ଞାନର ଭିକ୍ଷା କରାଯାଏ ।
ଏହି ଦିନ ଲୋକେ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥାଆନ୍ତି । ହଳଦିଆ ରଙ୍ଗ ବସନ୍ତର ପ୍ରତୀକ ବୋଲି କୁହାଯାଏ । ବସନ୍ତ ଋତୁକୁ ସବୁ ଋତୁ ଠାରୁ ବଡ ବୋଲି ମାନ୍ୟତା ମିଳିଛି । ଏହି ଋତୁର ପ୍ରବଳ ଖରା ଓ ଥଣ୍ଡା ହୋଇନଥାଏ । ଏହା ସହ ବର୍ଷା ମଧ୍ୟ ହୋଇନଥାଏ । ଗଛରେ ପତ୍ର ଓ ଫୁଲ ଧରିଥାଏ । ବସନ୍ତ ପଞ୍ଚମୀ ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥିବା କାରଣରୁ ସୂର୍ଯ୍ୟ କିରଣ ହଳଦିଆ ରଙ୍ଗ ହୋଇଥାଏ ।



