www.samajalive.in
Tuesday, December 9, 2025
15.1 C
Bhubaneswar

ରବି ଋତୁ ପାଇଁ ମେ’ ପହିଲାରୁ ହେବ ଧାନକିଣା, ଜନପୋଷଣ କେନ୍ଦ୍ରରେ ମିଳିବ ପୁଷ୍ଟିଯୁକ୍ତ ଶସ୍ୟ

ଭୁବନେଶ୍ୱର : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭାଗୀୟ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ଅବସରରେ ରାଜ୍ୟରେ ଇ-କେୱାସି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶୁଭମ୍‌ ସକ୍‌ସେନା ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

- Advertisement -

ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ରାଜ୍ୟରେ ଜାରି ଖରିଫ ଧାନକିଣା ଋତୁରେ ଏ ପର୍ଯ୍ୟନ୍ତ ପ୍ରାୟ ୧୫ ଲକ୍ଷ ୬୫ ହଜାର ଚାଷୀଙ୍କ ଠାରୁ ୭୦ ଲକ୍ଷ ମେଟ୍ରିକ ଟନ ଧାନ କିଣାଯିବା ସହ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ପାଖାପାଖି ୧୫ ହଜାର ୬୧୩ କୋଟି ଟଙ୍କା ଓ ଇନପୁଟ ସହାୟତା ଭାବେ ୫୪୩୦ କୋଟି ଟଙ୍କା ଚାଷୀ ମାନଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି । ଏଥି ସହ ଆସନ୍ତା ରବି ଋତୁରେ ଧାନକିଣା ପ୍ରକ୍ରିୟା ଶୃଙ୍ଖଳିତ ହୋଇପାରିବ ଏ ନେଇ ବିଷଦ ଭାବେ ଆଲୋଚନା ହୋଇଛି । ରବି ଋତୁ ପାଇଁ ଆସନ୍ତା ମେ’ ପହିଲାରୁ ଏହି ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ଚଳିତ ମାସରୁ ଚାଷୀମାନଙ୍କର ପଞ୍ଜିକରଣ ଆରମ୍ଭ କରାଯିବା ନେଇ ଶ୍ରୀ ସିଂହ ସୂଚନା ଦେଇଥିଲେ । ସେହିଭଳି ଧାନକିଣାରୁ ଉତ୍ପାଦିତ ବଳକା ଚାଉଳକୁ ଭାରତୀୟ ଖାଦ୍ୟ ନିଗମକୁ ପ୍ରଦାନ କରିବା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ।

ରାଜ୍ୟରେ ଏ ପର୍ଯ୍ୟନ୍ତ ପ୍ରାୟ ୯୨ ପ୍ରତିଶତ ହିତାଧିକାରୀମାନଙ୍କ ଇ-କେୱାସି ପ୍ରକ୍ରିୟା ଶେଷ ହୋଇଛି । ଦୁର୍ବଳ ଇଣ୍ଟରନେଟ୍‌ ଥିବା ଅଞ୍ଚଳଗୁଡ଼ିକର ସରକାରୀ ସୁଲଭ ମୂଲ୍ୟ ଦୋକାନରେ ଇଣ୍ଟରନେଟ୍‌ର ସୁବନ୍ଦୋବସ୍ତ କରାଯାଇ ଇ-କେୱାସି ପ୍ରକ୍ରିୟା ଜାରି ରହିଛି । ସେଗୁଡ଼ିକ ମଧ୍ୟରୁ ୧୧୧ଟି ସୁଲଭ ମୂଲ୍ୟ ଦୋକାନରେ ଆବଶ୍ୟକୀୟ ଆଣ୍ଟିନା ଯୋଗାଇ ଦେଇ ଇ-କେୱାସି ପ୍ରକ୍ରିୟା ଜାରି ରହିଛି । ଏ ପର୍ଯ୍ୟନ୍ତ ପ୍ରକ୍ରିୟାରେ ସାମିଲ ହୋଇ ନଥିବା ପ୍ରାୟ ୩୦ ଲକ୍ଷ ୮୪ ହଜାର ହିତାଧିକାରୀଙ୍କ ସଂପର୍କରେ ତଥ୍ୟ ହାସଲ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକାରୀମାନେ ଘର ଘର ବୁଲି ସେମାନଙ୍କର ତଥ୍ୟ ହାସଲ କରିବେ ।

ଅନ୍ୟ ପକ୍ଷରେ ରାଜ୍ୟରେ ନିର୍ଦ୍ଦିଷ୍ଟ ୩୦ଟି ସରକାରୀ ସୁଲଭ ମୂଲ୍ୟ ଦୋକାନକୁ ଜନପୋଷଣ କେନ୍ଦ୍ର ଭାବେ ପରୀକ୍ଷାମୂଳକ ଭାବେ ରୂପାନ୍ତରିତ କରାଯାଇ ଏଠାରେ ରାସନ ସାମଗ୍ରୀ ସହ ପୁଷ୍ଟିଯୁକ୍ତ ଉତ୍ପାଦ ପ୍ରଦାନ କରିବାକୁ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଛି । ଉକ୍ତ କେନ୍ଦ୍ରଗୁଡ଼ିକରେ ଭାରତ ଉତ୍ପାଦ ବ୍ୟତୀତ ଆମ ରାଜ୍ୟର ମିଲେଟ୍‌ (ମାଣ୍ଡିଆ) ଭଳି ପୁଷ୍ଟିଶସ୍ୟ ପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଏଥି ନିମନ୍ତେ ଏକ ଟିମ୍‌ ଦେଶର ବିଭିନ୍ନ ରାଜ୍ୟର ଜନପୋଷଣ କେନ୍ଦ୍ରକୁ ପରିଦର୍ଶନରେ ଯାଇ ସେଗୁଡ଼ିକର କାର୍ଯ୍ୟପ୍ରଣାଳୀ ସଂପର୍କରେ ଅବଗତ ହେବେ । ସେହିଭଳି ରାଜ୍ୟରେ ଧାନକିଣା, ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ଠିକଣା ସମୟରେ ରାସନ ପ୍ରଦାନ ଉପରେ ଆଲୋଚନା ହୋଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories