www.samajalive.in
Sunday, December 7, 2025
26.1 C
Bhubaneswar

୨୪ ଯାଏ ବଜ୍ରପାତ-ବର୍ଷା: ଆଜିଠୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ବର : ପଶ୍ଚିମାଝଡ଼ ପ୍ରଭାବରେ ଦୁଇଦିନ ହେଲା ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଗୁରୁବାର ରାତିରେ ଭୁବନେଶ୍ବର ସମେତ କଟକ, କେନ୍ଦୁଝର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ‌ଢେଙ୍କାନାଳ, ରାଉରକେଲା, ‌ଖୋର୍ଦ୍ଧା , ଅନୁଗୋଳ, ପୁରୀ ଏବଂ ଜଗତସିଂହପୁର ଜିଲାର ଅନେକ ସ୍ଥାନରେ ବର୍ଷା ହୋଇଛି। ଆଠଗଡ଼ରେ ସର୍ବାଧିକ ବର୍ଷା ୪୫ମି.ମି ବର୍ଷା ହୋଇଥିବାବେଳେ ଘସିପୁରା ୪୧.୪, ଭଣ୍ଡାରିପୋଖରୀ ୩୮, ଆନନ୍ଦପୁର ୩୩.୪, ଝୁମ୍ପୁରା ୩୦.୨, ଭୁବନେଶ୍ବର ୨୨.୨ ଏବଂ କଟକରେ ୫ମି.ମି ବର୍ଷା ହୋଇଛି। ଶୁକ୍ରବାର ଅପରାହ୍ଣରେ ଅନୁଗୋଳର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇଥିଲା। ଅନୁରୂପ ଭାବେ କେନ୍ଦ୍ରାପଡ଼ାର ରାଜନଗର ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବାବେଳେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିଥିଲା।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ଯେ, ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ବର ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଘଣ୍ଟା ପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଉପରୋକ୍ତ ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଡିସେମ୍ବରରେ ଅଦିନିଆ ବର୍ଷା ଯୋଗୁଁ ୧୬ଜିଲାରେ ଧାନ ଓ ପରିବା ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ବର୍ତ୍ତମାନର ଅଦିନିଆ ବର୍ଷା ରବି ଫସଲା ବ୍ୟାପକ କ୍ଷତି କରିଥିବା ଚାଷୀ ଅଭିଯୋଗ କରିଛନ୍ତି। ଚଣା, ମୁଗ, କୋଳଥ, ବିରି ଆଦି ରବି ଜାତୀୟ ଫସଲ ଜମିରେ ରହିଛି। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଏବଂ କେନ୍ଦୁଝରରେ ଝଡ଼ବର୍ଷାର ସମ୍ଭାବନା ଥିବାରୁ ରବି ଫସଲ ପ୍ରଭାବିତ ହେବା ସହିତ ଗଛଡାଳ ଭାଙ୍ଗିପାରେ। ଲୋକେ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷା ଦ୍ବାରା ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି। ଶୁକ୍ରବାର ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୩୫.୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ୩୫, ମାଲକାନଗିରି ୩୫.୩, ବଲାଙ୍ଗିର ୩୫, ଭବାନୀପାଟଣା ୩୫.୫, ଝାରସୁଗୁଡ଼ା ୩୫.୨, ଭୁବନେଶ୍ବର ୩୩.୩ ଏବଂ କଟକରେ ୩୧.୨ଡିଗ୍ରୀ ରହିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories