କଟକ: କଳିଙ୍ଗ ଷ୍ଟାଡ଼ିୟମ ହକି ଗ୍ରାଉଣ୍ଡରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ୨୦୨୪-୨୫ ଭୁବନେଶ୍ବର ଭେନ୍ୟୁ ମ୍ୟାଚ ଆରମ୍ଭ ହୋଇଛି। ଶନିବାର ମହିଳା ବିଭାଗ ମ୍ୟାଚରେ ଭାରତ ୩-୨ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ଏହି ବିଜୟ ସହ ଭାରତ ୩ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ଇଂଲଣ୍ଡ ପଞ୍ଚମ ମ୍ୟାଚରୁ ଚତୁର୍ଥ ପରାଜୟ ଭୋଗିଛି।
୬ ମିନିଟ୍ରେ ଭାରତ ପକ୍ଷରୁ ବୈଷ୍ଣବୀ ବିଥାଲ ପାଖଲେ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୧୨ ମିନିଟ୍ରେ ଇଂଲଣ୍ଡ ଗୋଲ ବରାବର କରିନେଇଥିଲା। ଦଳ ପକ୍ଷରୁ ବ୍ରାଉନ ଡ୍ରାର୍ସି ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ୨୫ମିନିଟ୍ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଦୀପିକା ଗୋଲରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରିଥିଲେ। ଇଂଲଣ୍ଡ ଗୋଲ ବରାବର କରିବାକୁ ଘନଘନ ଆକ୍ରମଣ କରି ମଧ୍ୟ ବିଫଳ ହୋଇଥିଲ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା।
ତୃତୀୟ କ୍ବାର୍ଟର ତଥା ଖେଳର ୪୨ ମିନିଟ୍ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଗୋଲ ଦେବାେର ବିଫଳ ହୋଇଥିଲା। ତୃତୀୟ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ଅନ୍ତିମ କ୍ବାର୍ଟରରେ ଇଂଲଣ୍ଡ ଗୋଲ ବରାବର କରିବାକୁ ଜୋରଦାର ଉଦ୍ୟମ କରିଥିଲା। ୫୮ ମିନିଟ୍ରେ ଇଂଲଣ୍ଡ ପକ୍ଷରୁ ଫିଓନା କ୍ଲାର୍କନେସ୍ ଗୋଲ ଦେଇ ମ୍ୟାଚକୁ ୨-୨ ବରାବର କରିଥିଲେ। ଗୋଲ ବରାବର ରଖିବାକୁ ଭାରତ ବେଶି ସମୟ ସୁଯୋଗ ଦେଇନଲା। ୫୯ ମିନିଟ୍ରେ ଭାରତ ପକ୍ଷରୁ ନବନୀତ କୌର ଗୋଲ ଦେଇ ଦଳକୁ ୩-୨ରେ ଆଗୁଆ କରିଥିଲେ। ଇଂଲଣ୍ଡ ଶେଷ ସେକେଣ୍ଡ ପର୍ଯ୍ୟନ୍ତ ଗୋଲ ବରାବର କରିବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲା। ରବିବାର ସ୍ପେନ-ଜମାନୀ ସହ ଓ ଭାରତୀୟ ମହିଳା ଦଳ ଇଂଲଣ୍ଡ ସହିତ ଦ୍ବିତୀୟ ଚରଣ ମ୍ୟାଚ ଖେଳିବେ।
ଜର୍ମାନୀକୁ ହରାଇଲା ସ୍ପେନ
କଳିଙ୍ଗ ଷ୍ଟାଡ଼ିୟମରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକିରେ ଶନିବାର ମହିଳା ବିଭାଗ ମ୍ୟାଚରେ ସ୍ପେନ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ପ୍ରଥମ ଓ ଦ୍ବିତୀୟ କ୍ବାର୍ଟର ଖେଳ ଗୋଲଶୂନ୍ୟ ରହିଥିଲା। ୪୩ ମିନିଟ୍ରେ ସ୍ପେନ ପକ୍ଷରୁ ପେଚାମ ଇଷ୍ଟଲ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୪୬ ମିନିଟ୍ରେ ଜର୍ମାନୀ ପକ୍ଷରୁ ଶୋଫି ସେଚ୍ୱେବ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ଖେଳର ୫୬ମିନିଟ୍ରେ ସ୍ପେନ ପକ୍ଷରୁ ଆଗୁଲୋ ବେର୍ଟା ଗୋଲ ଦେଇ ଦଳକୁ ୨-୧ରେ ବିଜୟୀ କରାଇଥିଲେ। ପ୍ରତିଯୋଗିତାରେ ସ୍ପେନର ଏହା ଦ୍ବିତୀୟ ବିଜୟ ହୋଇଥିବାବେଳେ ଜର୍ମାନୀର ଚତୁର୍ଥ ପରାଜୟ।



