ବାଲେଶ୍ବର : ଆକାଶ ମାର୍ଗରେ ପ୍ରତିରକ୍ଷା, ଅର୍ଥାତ ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ର ଆଦିକୁ ଧ୍ବଂସ କରିବାକୁ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା(ଡିଆରଡିଓ) ଦ୍ବାରା ଅତି ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବସ୍ଥା( ଭେରି ସର୍ଟ ରେଞ୍ଜ ଏୟାର ଡିଫେନସ ମିସାଇଲ ସିଷ୍ଟମ) ବିକଶିତ କରାଯାଇଛି।
ଶନିବାର ଚାନ୍ଦିପୁର ଉପକୂଳରେ ଏହି ବ୍ୟବସ୍ଥାର ତିନି ଥର ପରୀକ୍ଷାମୂଳକ ଉଡ଼ାଣ କରାଯାଇଥିଲା। ଏହି ଉଡ଼ାଣ ସଫଳ ହୋଇଥିବା ସୂଚନା ଦିଆଯାଇଛି। ଉଡ଼ାଣବେଳେ ଏହି ବ୍ୟବସ୍ଥା ଅଳ୍ପ ଉଚ୍ଚତାରେ ଥିବା ଉଚ୍ଚ ବେଗସମ୍ପନ୍ନ ଲକ୍ଷ୍ୟକୁ ସଫଳତାର ସହ ଧ୍ବଂସ କରିଥିଲା। ଏହି ବ୍ୟବସ୍ଥା ଭାରତୀୟ ସାମରିକ ବାହିନୀର ତିନି ଶାଖା, ସ୍ଥଳସେନା, ନୌସେନା ଓ ବାୟୁ ସେନା ପାଇଁ ଉଦ୍ଦିଷ୍ଟ।
ଏହା ମଧ୍ୟ ମଣିଷ ଦ୍ବାରା କୌଣସି ସ୍ଥାନକୁ ନିଆଯାଇପାରିବ। ଏହି ସଫଳ ପରୀକ୍ଷାମୂଳକ ଉଡ଼ାଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓର ବୈଜ୍ଞାନିକ, ସେନା ବାହିନୀ ଓ ସହଯୋଗୀ ଶିଳ୍ପ ସଂସ୍ଥାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।



