ବେଙ୍ଗାଲୁରୁ: ଭାରତୀୟ ବାୟୁସେନାର ମିରାଜ ୨୦୦୦ ଯୁଦ୍ଧ ବିମାନ ଶୁକ୍ରବାର ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) ବିମାନ ବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି ।
ଏଚଏଏଲ ବିମାନ ବନ୍ଦର ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମିରେଜ୍ ୨୦୦୦ ଯୁଦ୍ଧ ବିମାନ ଶୁକ୍ରବାର ସକାଳେ ପରୀକ୍ଷାମୂଳକ ଭାବେ ଉଡ଼ାଣ କରାଯାଉଥିବା ବେଳେ ଦିନ ପ୍ରାୟ ସାଢେ ୧୦ଟା ବେଳେ ହଠାତ୍ ବିମାନରେ ବିସ୍ଫୋରଣ ହୋଇଥିଲା । ପରେ ବିମାନରେ ନିଆଁ ଲାଗି ତଳକୁ ଖସି ପଡିଥିଲା। ଫଳରେ ଘଟଣାସ୍ଥଳରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମୃତଦେହ ସମ୍ପୂର୍ଣ୍ଣ ଜଳି ଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ଓ ବିମାନ ବନ୍ଦର କର୍ତ୍ତୃପକ୍ଷ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ସ୍ଥାନୀୟବାସିନ୍ଦା ଏବଂ ବିମାନ ବନ୍ଦରରେ ଉପସ୍ଥିତ ଥିବା ଯାତ୍ରୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ସୂଚନାଯୋଗ୍ୟ, ସୋମବାର ଗୋରଖପୁର ବାୟୁସେନା ବିମାନ ବନ୍ଦରରୁ ଉଡାଣ ଭରିବା କିଛି ସମୟ ପରେ କୁଶୀନଗରର ହେତିମପୁର ଅଞ୍ଚଳରେ ଜାଗୁଆର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ନିଆଁ ଲାଗିଯିବା ଫଳରେ ଜାଗୁଆର ବିମାନଟି ସଂପୂର୍ଣ୍ଣ ରୂପେ ଜଳି ଯାଇଥିଲା । ଏହି ଦୁର୍ଘଟଣାରୁ ପାଇଲଟ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ । ପୂର୍ବରୁ ଗତ ଜୁନ୍ ମାସରେ ମଧ୍ୟ ସମାନ ଢ଼ଙ୍ଗରେ ଅନ୍ୟ ଏକ ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।



