କଟକ : ବିଭିନ୍ନ ମୌଳିକ ଦାବି ନେଇ ଓଡିଶା ପୁଲିସ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦୀର୍ଘଦିନ ହେବ ଦାବି କରାଯାଇଆସୁଛି। ଏହାକୁ ନେଇ ସଂଘ ଫେବୃଆରୀ ପହିଲାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲା। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ନିମନ୍ତେ ଗୃହ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯିବାରୁ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା ବୋଲି ଗୁରୁବାର ଓପିଏ କନ୍ଫରେନ୍ସ ହଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ସତ୍ୟଜିତ ମିଶ୍ର ସୂଚନା ଦେଇଛନ୍ତି। ଫେବୃଆରୀ ୫ତାରିଖରେ ସଚିବାଳୟରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ। ଯଦି ଉକ୍ତ ବୈଠକରୁ କୌଣସି ସୁଫଳ ନ ମିଳେ ତେବେ ଫେବୃଆରୀ ୬ରୁ ସଂଘର ସଦସ୍ୟମାନେ କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗଦେବେ। ଏଥିସହ ୧୦ ତାରିଖରୁ ସମୂହ ଛୁଟିରେ ରହିବା ଲାଗି ଆବେଦନ କରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି ସମ୍ମିଳନୀରେ ସାଧାରଣ ସମ୍ପାଦକ ବିଭୁ ଦାସ ବର୍ଦ୍ଧନ, ଉପସଭାପତି କ୍ଷିତିଶ୍ ଚନ୍ଦ୍ର ତ୍ରିପାଠୀ, କୋଷାଧକ୍ଷ କେଦାର କୁମାର ସାମନ୍ତରାୟ, ଉମେଶ ଚନ୍ଦ୍ର ସାହୁ, ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥଲେ।
Popular Categories



