www.samajalive.in
Monday, December 8, 2025
14.1 C
Bhubaneswar

୧୫ ହଜାର କୋଟିର ସମ୍ପତ୍ତି ହରାଇବେ ସୈଫ୍‌ 

ନୂଆଦିଲ୍ଲୀ : ଅଭିନେତା ସୈଫ୍‌ ଅଲୀ ଖାଁଙ୍କ ଉପରକୁ ଡକାହକା ହୋଇ ବିପଦ ଆସିଛି। ଛୁରାମାଡ଼ରେ ଆହତ ସୈଫ୍‌ ଡାକ୍ତରଖାନାରୁ ଘରକୁ ଫେରିବା ପରେ ପୁଲିସ ଏହି ଘଟଣାର ତଦନ୍ତ ତ୍ବରାନ୍ବିତ କରିଛି। ଅପରପକ୍ଷରେ ୧୫ହଜାର କୋଟି ଟଙ୍କା ମୂଲ୍ୟର ପୈତୃକ ସମ୍ପତ୍ତିକୁ ନେଇ ଚାଲିଥିବା ପୁରୁଣା ମାମଲାରେ ତାଙ୍କୁ ବୁଧବାର ନୋଟିସ୍‌ ଜାରି ହୋଇଛି। ଏବେ ସରକାର ଏହି ସମ୍ପତ୍ତି ବାଜ୍ୟାପ୍ତ କରିବା ଆଶଙ୍କା ସୃଷ୍ଟି ହୋଇଛି। ଭୋପାଳର ନବାବଙ୍କ  ପରିବାର ମାଲିକାନାରେ ଥିବା ଐତିହାସିକ ସମ୍ପତ୍ତିକୁ ସରକାର ୧୯୪୭ ଦେଶାନ୍ତର ଆଧାରରେ ‘ଏନିମୀ ପ୍ରପର୍ଟି’  ବୋଲି ଦର୍ଶାଇଥିଲେ। ସରକାର ସେହି ଅନୁସାରେ ଏହି ଐତିହାସିକ ସମ୍ପତ୍ତିକୁ ନିଜ ଦଖଲକୁ ନେବା କଥା; କିନ୍ତୁ ଆଇନଗତ ବିବାଦ ଯୋଗୁଁ ଏହା ସମ୍ଭବ ହେଉନଥିଲା। ପଟୌଦି ପରିବାରଙ୍କ ଉଦ୍ୟମରେ ଏହା ଉପରେ ଅଦାଲତ ସ୍ଥଗିତାଦେଶ ଜାରି କରିଥିଲେ। ୨୦୧୫ରେ ମଧ୍ୟପ୍ରଦେଶ ହାଇକୋର୍ଟ ଏହି ସ୍ଥଗିତାଦେଶ ପ୍ରତ୍ୟାହାର କରିନେଇଥିଲେ। ସୈଫ୍‌ଙ୍କ ପରିବାର ପକ୍ଷରୁ ଏହାର ଚାଲେଞ୍ଜ କରାଯାଇଥିଲା। ସମ୍ପୃକ୍ତ ସମ୍ପତ୍ତିର ସ୍ବତ୍ବାଧିକାରୀ ହୋଇଥିବାରୁ ମାଲିକାନା ତାଙ୍କ ପରିବାରର ବୋଲି ସେମାନେ ଦର୍ଶାଇଥିଲେ। ତେବେ ୧୯୬୮ର ଏନ୍‌ମି ପ୍ରପର୍ଟି ଆଇନ ଆଧାରରେ ଏହି ସମ୍ପତ୍ତି ସରକାରଙ୍କର ହୋଇଥିବାରୁ ଏହାକୁ ବାଜ୍ୟାପ୍ତ କରିବା ପାଇଁ ସରକାର ଚାହୁଁଥିଲେ। କେନ୍ଦ୍ର ସରକାର ୨୦୧୭ରେ ଏନ୍‌ମି ର୍ପପର୍ଟି ଆଇନରେ ସଂଶୋଧନ ଆଣିଥିଲେ। ସେହି ଅନୁସାରେ ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ବିବେକ ଅଗ୍ରୱାଲ ଉକ୍ତ ମାମଲାରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଆସନ୍ତା ୩୦ ଦିନ ମଧ୍ୟରେ ଜବାବ ରଖିବାକୁ ନୋଟିସ ଜାରି କରିଛନ୍ତି। ଏଥିପାଇଁ ଏବେ ରାସ୍ତା ପରିଷ୍କାର ହୋଇଛି। ଏହି ସମ୍ପତ୍ତି ମଧ୍ୟରେ ରହିଛି ସୈଫ୍‌ଙ୍କ ପିଲାଦିନ ବିତିଥିବା ପ୍ରାସାଦ, ଫ୍ଲାଗ୍‌ ଷ୍ଟାଫ୍‌ ହାଉସ୍‌, ନୁର୍‌-ଉସ୍‌-ସବାଃ ପ୍ରାସାଦ, ଦର୍‌-ଉସ୍‌-ସଲାମ୍‌, ହବିବି ବଙ୍ଗଳା, ଅହମ୍ମଦାବାଦ ପ୍ରାସାଦ, କୋହେଫିଜା ସମ୍ପତ୍ତି ଇତ୍ୟାଦି। ଏଗୁଡ଼ିକ ସମ୍ପ୍ରତି ପଟୌଦି ନବାବ ପରିବାରର ଦାୟାଦ ଭାବେ ସୈଫ୍‌, ତାଙ୍କ ମା ଶର୍ମିଲା ଠାକୁର, ଭଉଣୀ ସବା ଅଲୀ ଖାଁ ଓ ସୋହା ଅଲୀ ଖାଁଙ୍କ ଅଧିକାରରେ ରହିଛି।
ଉଲ୍ଲେଖଯୋଗ୍ୟ ଯେ ଭାରତ ବିଭାଜନ ସମୟରେ ଦେଶ ଛାଡ଼ି ପାକିସ୍ତାନ ପଳାୟନ କରିଥିବା ଏବଂ ପାକିସ୍ତାନ ଓ ଚୀନ୍‌ ନାଗରିକତ୍ବ ଗ୍ରହଣ କରିଥିବା ବ୍ୟକ୍ତିବିଶେଷଙ୍କ ପରିବାରର ସମ୍ପତ୍ତିକୁ ଭାରତ ସରକାର ଏନ୍‌ମି ପ୍ରପର୍ଟି ବା ଶତ୍ରୁପକ୍ଷ ସମ୍ପତ୍ତି ଭାବେ ଘୋଷଣା କରିଛନ୍ତି। ୧୯୬୨ ଚୀନ୍‌-ଭାରତ ଯୁଦ୍ଧ ଓ ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ପରେ ଏହି ସମ୍ପତ୍ତି ଅଧିକାର ପାଇଁ ସରକାର ୧୯୬୮ରୁ ଆଇନ ପ୍ରଣୟନ କରିଛନ୍ତି। ୨୦୧୭ର ସଂଶୋଧିତ ଆଇନରେ ସରକାର ସମ୍ପୃକ୍ତ ସମ୍ପତ୍ତିର ସମ୍ପୂର୍ଣ୍ଣ ମାଲିକାନା ଜାହିର କରିପାରିବେ। ୨୦୨୪ ଏପ୍ରିଲ ସୁଦ୍ଧା ଭାରତରେ ଏଭଳି ୧୨ହଜାର ୬୧୧ଟି ସମ୍ପତ୍ତି ରହିଛି; ଯାହାର ମୋଟ ମୂଲ୍ୟ ୧ଲକ୍ଷ କୋଟି ଟଙ୍କା ହେବ। ୨୦୧୪ରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳଠାରେ ପଟୌଦି ପରିବାର ଦଖଲରେ ଥିବା ସମ୍ପତ୍ତିକୁ ସରକାର ଏନ୍‌ମି ପ୍ରପର୍ଟି ଭାବେ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଯେ ୧୯୪୭ରେ ବିଭାଜନ ପରିପ୍ରେକ୍ଷୀରେ ପଟୌଦିର ତତ୍କାଳୀନ ନବାବ ଅବିଦା ସୁଲତାନ ୧୯୫୦ରେ ପାକିସ୍ତାନ ଚାଲିଯାଇଥିଲେ। ଅବିଦାଙ୍କ ଭଉଣୀ ସାଜିଦା ସୁଲତାନ ଭାରତରେ ରହିଯାଇଥିଲେ। ସେ ନବାବ ଇଫ୍‌ତିକର ଅଲୀ ଖାଁ ପଟୌଦିଙ୍କୁ ବିବାହ କରି ସମସ୍ତ ସମ୍ପତ୍ତିର ଅଧିକାରୀ ହୋଇଥିଲେ। ତାଙ୍କର ନାତି ହେଉଛନ୍ତି ସୈଫ୍‌ ଅଲୀ ଖାଁ। ଅବିଦା ପାକିସ୍ତାନ ଚାଲିଯାଇଥିଲେ ମଧ୍ୟ ସାଜିଦା ଭାରତରେ ଥିଲେ ଏବଂ ସାଜିଦାଙ୍କ ବଂଶଧର ଭାବେ ସୈଫ୍‌ଙ୍କ ପରିବାର ସମ୍ପୃକ୍ତ ସମ୍ପତ୍ତି ଉପରେ ମାଲିକାନା ଦାବି କରୁଛନ୍ତି। ସୈଫ୍‌ ସମ୍ପ୍ରତି ଭୋପାଳର ଆଳଙ୍କାରିକ ନବାବ ପରିଗଣିତ ହେଉଛନ୍ତି। ତାଙ୍କ ପ୍ରାସାଦ ଭୋପାଳର କୋହେଫିଜା ଅଞ୍ଚଳରେ ରହିଛି। ଶେଷ ନବାବ ଥିଲେ ବାପା ମନସୁର ଅଲୀ ଖାଁ ଓ ତାଙ୍କର ୨୦୧୧ରେ ମୃତ୍ୟୁ ହୋଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories