www.samajalive.in
Sunday, December 7, 2025
16.1 C
Bhubaneswar

ଜହର ପାଲଟିଛି ଦୟାନଦୀ ଜଳ, ୧୫ ଦିନରେ ଗଲାଣି ୪ ଜଣଙ୍କ ଜୀବନ

ପୁରୀ/ କଣାସ : ଜହର ପାଲଟିଗଲାଣି ଦୟାନଦୀ ଜଳ। ଦୂଷିତ ପାଣି ପିଇ ୧୫ ଦିନରେ ୪ ଜଣଙ୍କ ଜୀବନ ଗଲାଣି। ଝାଡ଼ାବାନ୍ତିରେ ଅନେକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ରାଜଧାନୀ ଭୁବନେଶ୍ଵରର ନର୍ଦମା ପାଣି ଗଙ୍ଗୁଆ ନାଳ ଦେଇ ଦୟାନଦୀରେ ମିଶୁଛି। ଏଥିଯୋଗୁଁ କଣାସ ଓ ପିପିଲି ବ୍ଳକର ଲକ୍ଷାଧିକ ଲୋକଙ୍କ ଜୀବନରେଖା ଦୟାନଦୀ ଜଳ ଦୂଷିତ ହୋଇଛି। ନଦୀ ପାଣି ବ୍ୟବହାର କରୁଥିବା ବହୁ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଶାସନର ଚରମ ଅବହେଳା ବିରୋଧରେ ବଡ଼ ଧରଣର ଜନ ଆନ୍ଦୋଳନ ମେଳି ବାନ୍ଧୁଛି। ପ୍ରୟାସ ସମେତ ଦୟା ଆନ୍ଦୋଳନ ସୁରକ୍ଷା ଅଭିଯାନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।  ୧୦ଟି ଗ୍ରାମର ଶତାଧ‌ିକ ଲୋକ ଅସୁସ୍ଥ ହୋଇ ପଡ଼ିଥିବା ପ୍ରୟାସ ସଭାପତି କୃଷ୍ଣ ଜଗଦେବ, ସମ୍ପାଦକ କାମାକ୍ଷା ପ୍ରଧାନ, ଦୟା ସୁରକ୍ଷା ଅଭିଯାନର ସଚ୍ଚିକାନ୍ତ ପ୍ରଧାନ, ଯୁଧୁଷ୍ଠିର ମହାପାତ୍ର, ମହାନଦୀ ସୁରକ୍ଷା ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଏବଂ କୃଷକ ନେତା ଅଶୋକ ପ୍ରଧାନ ଅଭିଯୋଗ କରିଛନ୍ତି।

ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ସାକ୍ଷାତ କରି ସେମାନେ ଦାବିପତ୍ର ପ୍ରଦାନ ସହ ତୁରନ୍ତ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ୪ଜଣ ଯଥା ଗୁରେଇ ସେଠୀ, ମାଗି ଦଳେଇ, ସଚଳା ସାହୁ ଏବଂ ସାରଥ ପ୍ରଧାନଙ୍କ ମୃତ୍ୟୁ ପାଇଁ ସେମାନେ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି। ଝାଡ଼ାବାନ୍ତି ବ୍ୟାପିବା ପରେ ନଦୀକୂଳରେ ବାସ କରୁଥିବା ଲୋକେ ଭୟଭୀତ ହୋଇ ପଡିଛନ୍ତି। ପ୍ରଦୂଷିତ ଜଳ ବ୍ୟବହାର ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଥ‌ିବା ଜଣାପଡ଼ିଛି। ଦୟାନଦୀ ଜଳ ସମ୍ପୂର୍ଣ୍ଣ ପ୍ରଦୂଷିତ ବୋଲି ଦର୍ଶାଇ ଏହା ବ୍ୟବହାର ନ‌କରିବାକୁ ଜିଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

- Advertisement -

କଣାସ ବ୍ଲକର ୪ଜଣଙ୍କ ଅକାଳ ମୃତ୍ୟୁ ପରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ ସେଠାକୁ ଯାଇ ନାହାନ୍ତି । ପ୍ରତ୍ୟେକ ଦିନ ୧୦ରୁ ୧୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ସେଥିରୁ କିଛି ଆକ୍ରାନ୍ତ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆକ୍ରାନ୍ତ ଲୋକଙ୍କୁ କଣାସ ସରକାରୀ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ମିଳୁନଥିବା ଅଭିଯୋଗ ହୋଇଛି। ତେଣୁ ବହୁ ଝାଡାବାନ୍ତି ଆକ୍ରାନ୍ତ ପୁରୀ ଓ ଭୁବନେଶ୍ଵର ଯାଇ ଚିକିତ୍ସିତ ହେଉଛନ୍ତି।

ପ୍ରଶାସନ ପକ୍ଷରୁ ସଂକ୍ରମିତ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ଏବେ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯଥେଷ୍ଟ ହେଉନାହିଁ। ତେଣୁ ଆବଶ୍ୟକତା ପୂରଣ ପାଇଁ ସ୍ଥାନୀୟ ଲୋକେ ଦୟାନ‌ଦୀର ପ୍ରଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। କେତେକ ସଙ୍ଗଠନ ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦୟାନଦୀରେ ବହୁ ସଂଖ୍ୟକ ମାଛ ମରି ଭାସୁଥିବା ଜଣାପଡ଼ିଛି। କଣାସ ବ୍ଲକର ବହୁ ଗ୍ରାମରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନଥିବାରୁ ସ୍ଥାନୀୟ ବାସୀ ଦୟାନଦୀ ଜଳ ବ୍ୟବହାର କରୁଛନ୍ତି। କେତେକ ଗ୍ରାମରେ ଜଟିଳ ସ୍ଵାସ୍ଥ୍ୟ ସମସ୍ୟା ଦେଖାଯାଉଥ‌ିବା ପ୍ରୟାସ ସଭାପତି କୃଷ୍ଣ ଜଗଦେବ ପ୍ରକାଶ କରିଛନ୍ତି। ଏହାର ସ୍ଥାୟୀ ପ୍ରତିକାର ପାଇଁ ବାରମ୍ବାର ଦାବି ସତ୍ତ୍ୱେ ଜିଲା ପ୍ରଶାସନ, ଗ୍ରାମ ଜଳ ଯୋଗାଣ ବିଭାଗ, ଜଳସମ୍ପଦ ବିଭାଗ ଏବଂ ଭୁବନେଶ୍ଵର ମହାନଗର ନିଗମ ଚୁପ୍ ବସିଛି। ଗଙ୍ଗୁଆ ନାଳର ପ୍ରଦୂଷିତ ଜଳ ଦୟାନଦୀକୁ ଛଡ଼ାଯିବା ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି ।

ଏହାଛଡା ଗଙ୍ଗୁଆ ନାଳରେ ଯଥାଶୀଘ୍ର ମଇଳା ପାଣି ବିଶୋଧନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଦାବି କରାଯାଇଛି। ସଂକ୍ରମିତ ଅଞ୍ଚଳକୁ ଅଧିକ ଡାକ୍ତରୀ ଦଳ ଏବଂ ଔଷଧ ପଠାଯିବା ସହ କଣାସ ଡାକ୍ତରଖାନାରେ ସ୍ବତନ୍ତ୍ର ୱାର୍ଡ ଖୋଲାଯାଇ ଝାଡାବାନ୍ତି ଆକ୍ରାନ୍ତଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ଦାବି ହେଉଛି। ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ସତ୍ୟାଗ୍ରହ କରାଯିବ ବୋଲି ଶ୍ରୀ ଜଗଦେବ ଚେତାବନୀ ଦେଇଛନ୍ତି। ପୁରୀ ସାଂସଦ ଡା. ସମ୍ବିତ କୁମାର ପାତ୍ର, ସତ୍ୟବାଦୀ ବିଧାୟକ ଓ ପ୍ରକାଶ ମିଶ୍ର, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ବେହେରା, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ରୁପଭାନୁ ମିଶ୍ର ଏବଂ ଉପ ଜିଲାପାଳ ରାଜ କିଶୋର ଜେନା ଝାଡାବାନ୍ତି ସଂକ୍ରମିତ ଅଞ୍ଚଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି।

ଏନେଇ ପୁରୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ରୂପଭାନୁ ମିଶ୍ର କହିଛନ୍ତି, ପୁରୀ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ବେହେରା, ଉପ-ଜିଲାପାଳ ରାଜ କିଶୋର ଜେନା ଏବଂ ସେ ନିଜେ ଡାଇରିଆ ପ୍ରଭାବିତ ଗ୍ରାମରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ। ଦୟା ନଦୀ ଜଳର ପ୍ରୟୋଗଶାଳା ପରୀକ୍ଷାରୁ ଜଣାପଡ଼ିଛି ଯେ ପାଣି ଦୂଷିତ ଏବଂ ବ୍ୟବହାର ପାଇଁ ଉପଯୁକ୍ତ ନୁହେଁ। ତେଣୁ ଦୟା ନଦୀର ପାଣି ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛୁ। ଅନ୍ୟପଟେ ଜିଲାପାଳ ତାଙ୍କ ଦାୟିତ୍ବରେ ଅବହେଳା କରିଥିବା ଅଭିଯୋଗ ଆଣି ସୋମବାର କଣାସ ଥାନାରେ ଦୟା ସୁରକ୍ଷା ଅଭିଯାନର କର୍ମୀ ସଚିକାନ୍ତ ପ୍ରଧାନ, କିସାନ ପଟ୍ଟନାୟକ, ଅଭିମନ୍ୟୁ ଭୋଇ, ଉମାକାନ୍ତ ସ୍ବାଇଁ, ସୁଦର୍ଶନ ଦାସ, ପ୍ରସନ୍ନ ବିଷୋୟୀ ପ୍ରମୁଖ ଅଭିଯୋଗ କରିବାସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories