ଭୁବନେଶ୍ବର : ସ୍ବାସ୍ଥ୍ୟକ୍ଷେତ୍ରରେ ଯୋଡ଼ି ହେବ ଆଉଏକ ନୂଆ ଫର୍ଦ । ଏଣିକି ଡାକ୍ତର କରିପାରିବେ ଡକ୍ଟରେଟ। ପ୍ରଥମଥର ଘର ପାଇଁ ସ୍ୱାସ୍ଥ୍ୟକ୍ଷେତ୍ରରେ ଏଭଳି ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପିଏଚଡି କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ଗ୍ରହଣ କରିଛି । ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଏନେଇ ସମସ୍ତ ରୂପରେଖ ଚୂଡ଼ାନ୍ତ କରିଛି। ଖୁବଶୀଘ୍ର ସ୍ବାସ୍ଥ୍ୟକ୍ଷେତ୍ରରେ ପିଏଚଡି ଆରମ୍ଭ ହେବ ବୋଲି ଜଣାପଡ଼ିଛି ।
ଓଡ଼ିଶାର ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ସହିତ ଅନୁବନ୍ଧିତ ଭେଷଜ, ନର୍ସିଂ ଏବଂ ଦନ୍ତ ମହାବିଦ୍ୟାଳୟରେ ଡାକ୍ତରମାନେ ପିଏଚଡି କରିପାରିବେ। ରାଜ୍ୟର ୩ଟି ପ୍ରମୁଖ ଭେଷଜ ମହାବିଦ୍ୟାଳୟ ଉତ୍କଳ, ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିଲେ ମଧ୍ୟ ଏଭଳି ପାଠ୍ୟକ୍ରମ ନଥିଲା । ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ହେବା ପରେ ସ୍ୱାସ୍ଥ୍ୟକ୍ଷେତ୍ରରେ ନୂଆ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ସେଥିମଧ୍ୟରୁ ପିଏଚଡି ଅନ୍ୟତମ। ପିଏଚଡି ପାଇଁ ସମସ୍ତ ଜ୍ଞାନକୌଶଳ ଏବଂ କାର୍ଯ୍ୟପନ୍ଥା ନିଦ୍ଧାରଣ ସରିଛି ।
ୟୁଜିସି ନିୟମାବଳୀ ଆଧାରରେ ସମସ୍ତ କାର୍ଯ୍ୟକ୍ରମ କରାଯିବ। ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ (ନେଟ୍)ରେ କୃତକାର୍ଯ୍ୟ ହେଲେ ଡାକ୍ତରମାନଙ୍କୁ ଏହି ସୁଯୋଗ ମିଳିବ ଓ ସେମାନେ ପିଏଚଡି କରିପାରିବେ। ଏହାଛଡ଼ା ଯେଉଁମାନେ ଏବେ ବିଭିନ୍ନ ଭେଷଜ, ଦନ୍ତ ଏବଂ ନର୍ସିଂ ମହାବିଦ୍ୟାଳୟରେ କାର୍ଯ୍ୟରତ ଓ ଚାକିରିରେ ଅଛନ୍ତି ସେମାନଙ୍କ ପାଇଁ ଏକ ନିର୍ଦିଷ୍ଟ ନିର୍ଦେଶନାମା ଜାରି କରାଯିବ। ସେହି ନିର୍ଦେଶନାମା ଆଧାରରେ ସେମାନେ ଆବେଦନ କରିପାରିବେ। ଏନେଇ ଏକ କମିଟି ଗଠନ ହେବ। ଏହି କମିଟି ଗୁଣବତ୍ତା ନିର୍ଦ୍ଧାରଣ କରି ପିଏଚଡି ନିମନ୍ତେ ଗାଇଡ ଏବଂ କେନ୍ଦ୍ର ସ୍ଥିର କରିବ । ଏହାପରେ ପିଏଚଡି ପାଇଁ ଅନୁମତି ମିଳିବ।
ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁ କହିଛନ୍ତି ଯେ ସ୍ଵାଧୀନତା ପରେ କୌଣସି ବିଶ୍ବବିଦ୍ୟାଳୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ପିଏଚଡି କାର୍ଯ୍ୟକ୍ରମ ନ ଥିଲା । ପ୍ରଥମ କରି ଏଭଳି କାର୍ଯ୍ୟକ୍ରମ କରାଯାଉଛି। ଖୁବଶୀଘ୍ର ବିଶ୍ବବିଦ୍ୟାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଘୋଷଣା କରାଯିବ।



