ନୂଆଦିଲ୍ଲୀ: ଯଦି ଆପଣଙ୍କ ଡିଟିଏଚ୍ କିମ୍ବା କେବୁଲ୍ ସେବାରେ ଆପଣ ସନ୍ତୁଷ୍ଟ ନୁହନ୍ତି ତେବେ ସେବାପ୍ରଦାନକାରୀ ସଂସ୍ଥା ବଦଳାଇ ପାରିବେ। ଏଥିପାଇଁ ସେଟ୍ ଟପ୍ ବକ୍ସ ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ। ଏ ସମ୍ପର୍କରେ ବିଚାରବିମର୍ଶ ଜାରି ରହିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଟ୍ରାଇର ଅଧ୍ୟକ୍ଷ ଆର ଏସ ଶର୍ମା କହିଛନ୍ତି। ଅପରପକ୍ଷରେ ଟ୍ରାଇର ଏହି ଯୋଜନାକୁ କେବୁଲ୍ ଅପରେଟର ଓ ଡିଟିଏଚ୍ ସେବା ପ୍ରଦାନକାରୀ ସଂସ୍ଥାମାନେ ବିରୋଧ କରିଛନ୍ତି। ସେମାନଙ୍କ ଯୁକ୍ତି ଅନୁଯାୟୀ, ସେବା ପ୍ରଦାନକାରୀ ସଂସ୍ଥାର ନିର୍ଦ୍ଦିଷ୍ଟ କୋଡ୍ ସେଟ୍ଟପ୍ ବକ୍ସରେ ଥାଏ। ତେଣୁ ସଂସ୍ଥା ପରିବର୍ତ୍ତନ କରିବା ଦ୍ୱାରା ସେଟ୍ଟପ୍ ବକ୍ସରେ ଥିବା ସଫ୍ଟୱେର ଜରିଆରେ ତଥ୍ୟ ଚୋରି ଓ ନକଲ ପରି ସମସ୍ୟା ସୃଷ୍ଟି ହେବ। ଏହି ସମସ୍ୟା ଦୂର କରିବା ପାଇଁ ଟ୍ରାଇ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଶ୍ରୀ ଶର୍ମା କହିଛନ୍ତି। ସେ କହିଛନ୍ତି ଯେ ପ୍ରଚଳିତ ସେଟ୍ ଟପ୍ ବକ୍ସ ବଦଳରେ ନୂଆ ବୈଷୟିକ ଜ୍ଞାନକୌଶଳଯୁକ୍ତ ସେଟ୍ଟପ୍ ବକ୍ସ ବିକଶିତ କରାଯିବ ଯେଉଁଥିରେ ସଫ୍ଟୱେର ପରିବର୍ତ୍ତନ କରାଯାଇପାରିବାର ସୁବିଧା ରହିବ। ତେଣୁ ସେବା ପ୍ରଦାନକାରୀ ସଂସ୍ଥା ନୂଆ ସଂଯୋଗ ଦେବା ପରେ ଉପଭୋକ୍ତାଙ୍କ ସେଟ୍ ଟପ୍ ବକ୍ସରେ ସେମାନଙ୍କ ନୂଆ ସଫ୍ଟୱେର ଓ କୋଡ୍ ଲୋଡ୍ କରିପାରିବେ। ଏଥିପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ସହିତ ପରାମର୍ଶ କରାଯାଉଥିବା ସେ ସୂଚନା ଦେଇଛନ୍ତି।
Popular Categories



