ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ
କଳାପଥର (ବାଙ୍କୀ): ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା, ପ୍ରବୀଣ ସାମ୍ବାଦିକ ତଥା ବାଙ୍କୀର ବରପୁତ୍ର ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜନ୍ମଜୟନ୍ତୀ ନିଜସ୍ୱ ଜନ୍ମଭୂମି ବାଙ୍କୀ ଉପଖଣ୍ଡର ବୈଦ୍ୟେଶ୍ୱର ଗ୍ରାମରେ ପାଳିତ ହୋଇଯାଇଛି। ପ୍ରତ୍ୟୁଷରୁ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପ୍ରଭାତ ଫେରିରେ ଆସି ସ୍ଥାନୀୟ ବିଦ୍ୟାରତ୍ନ ଛକ ସ୍ଥିତ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ନିକଟରେ ଏକତ୍ରିତ ହୋଇଥିଲେ। ପରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଦ୍ଵାରା ମାଲ୍ୟାର୍ପଣ କରାଯିବା ପରେ ଛାତ୍ରଛାତ୍ରୀ ମାନେ ଶୋଭାଯାତ୍ରାରେ ବୈଦ୍ୟେଶ୍ୱର ଗ୍ରାମ ପରିକ୍ରମା କରି ପଣ୍ଡିତ ବିଦ୍ୟାରତ୍ନଙ୍କ ଜନ୍ମ ସ୍ଥାନ ବ୍ରଜବିହାରିପୁର ଠାରେ ସମ୍ମିଳିତ ହୋଇଥିଲେ। ଉକ୍ତ ସ୍ଥାନରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ପଣ୍ଡିତ ବିଦ୍ୟାରତ୍ନଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହି ଅବସରରେ ବୈଦ୍ୟଶ୍ୱର +୨ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ବାଙ୍କୀ ଭାରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାଳି ଚରଣ ତ୍ରିପାଠୀଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଛି।
ଏଥିରେ ସରପଞ୍ଚ ସୁରଞ୍ଜନ ପଣ୍ଡା ସଭାପତିତ୍ୱ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, କଟକ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଜୟନ୍ତୀ ସଭାରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ସାହିତ୍ୟ ସାଧନା ଓ ଓଡ଼ିଆ ଭାଷା ସାହିତ୍ୟକୁ ଅନବଦ୍ୟ ଅବଦାନ ଚିରସ୍ମରଣୀୟ ବୋଲି କହିଥିଲେ। ଏହା ସହ ସମ୍ବଲପୁର ହିତୈଷିଣୀ ସମ୍ବାଦପତ୍ରର ସମ୍ପାଦକ ଭାବେ ଓଡ଼ିଆ ଭାଷା ସୁରକ୍ଷା ପାଇଁ ତାଙ୍କର ଅନବଦ୍ୟ ପ୍ରୟାସ ପରବର୍ତ୍ତୀ ସମୟରେ ଜନମାନସରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ।
Comments are closed.