www.samajalive.in
Tuesday, December 9, 2025
26.1 C
Bhubaneswar

କଳିଙ୍ଗ ଷ୍ଟାଡିଅମରେ ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର ଉଦ୍‌ଘାଟିତ, ବ୍ୟାଡମିଣ୍ଟନ ଜଗତରେ ବିଶ୍ବ ମଞ୍ଚରେ ପରିଚିତ ହେବ ଓଡିଶା

ଭୁବନେଶ୍ୱର :ଆଜି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ  ଭାରତ ଗୋପୀଚନ୍ଦ ଓଡିଶା ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ଡଃ ହିମନ୍ତ ବିଶ୍ବଶର୍ମା ଏବଂ ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳୀ ପୁଲେଲା ଗୋପୀଚନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ  ୭୭ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିବା ଏହି ଇଣ୍ଡୋର ହାଇ ପରଫରମାନ୍‌ସ ସେଣ୍ଟରରେ ୪୦୦ ଦର୍ଶକଙ୍କ ପାଇଁ ବସିବା ସୁବିଧା ସହିତ ୮ଟି ଶୀତତାପ ନିୟନ୍ତ୍ରିତ ବ୍ୟାଡମିଣ୍ଟନ କୋର୍ଟ ରହିଛି । ଏଥିରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନର ସୁବିଧା କରାଯାଇଛି । ଏଥିସହିତ ଏହି ସେଣ୍ଟରରେ ୩୬ ଜଣ ଖେଳାଳୀ ରହିଲା ଭଳି ଅତ୍ୟାଧୁନିକ ସୁବିଧାସୁଯୋଗ ମଧ୍ୟ ବିକଶିତ କରାଯାଇଛି । ୨୦୦ ସିଟ୍‌ ବିଶିଷ୍ଟ ଏକ ଆମ୍ଫିଥିଏଟର ସହିତ ଏହି ସେଣ୍ଟରଟିକୁ ବ୍ୟାଡମିଣ୍ଟନ ସଟଲକକ୍ ସଦୃଶ୍ୟ  ନିର୍ମାଣ କରାଯାଇଛି ।
ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ପୁଲେଲା ଗୋପୀଚନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନ ଏବଂ ଡାଲମିଆ ଭାରତ ଗ୍ରୁପର ସହଯୋଗରେ ଭୁବନେଶ୍ବରରେ  ଏହି ସେଣ୍ଟର ପ୍ରତିଷ୍ଠା ଦ୍ବାରା ଓଡିଶାର ଯୁବ ବ୍ୟାଡମିଣ୍ଟନ ଖେଳାଳୀ ମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ସୁଯୋଗ ସୃଷ୍ଟି ହେଲା। ଆମ ଦେଶର ଯୁବ ବ୍ୟାଡମିଣ୍ଟନ ଖେଳାଳୀ ମାନେ ହେଉଛନ୍ତି ଆମର ଗର୍ବ ଓ ଗୌରବ।   ସେମାନେ ସେମାନଙ୍କର ଅଦମ୍ୟ ପ୍ରଚେଷ୍ଟା ବଳରେ କ୍ରୀଡା କ୍ଷେତ୍ରରେ ବିଶ୍ବ ମଞ୍ଚରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଦେଶକୁ ଗୌରବାନ୍ବିତ କରିଛନ୍ତି।  ଆଜି ଉଦ୍‌ଘାଟିତ ହୋଇଥିବା ଏହି ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟରରେ ଉତ୍ତମ ପ୍ରଶିକ୍ଷଣ ସହ ଖେଳାଳୀ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିଛି । ଆଗାମୀ ଦିନରେ ବ୍ୟାଡମିଣ୍ଟନ ଜଗତରେ ଓଡିଶା ବିଶ୍ବ ମଞ୍ଚରେ ଏହି ସେଣ୍ଟର ଜରିଆରେ ପରିଚିତ ହେବ ବୋଲି ସେ କହିଥିଲେ।
ଏହି ସେଣ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆସାମର ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଡଃ ହିମନ୍ତ ବିଶ୍ବଶର୍ମା, ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳୀ ପଦ୍ମଭୂଷଣ ପୁଲେଲା ଗୋପୀଚନ୍ଦ ଏବଂ ଡାଲମିଆ ଭାରତ ଗ୍ରୁପର ସିଇଓ ଶ୍ରୀ ପି.ୱାଇ ଡାଲମିଆ  ଓ ଏମ୍‌.ଡି ଶ୍ରୀ ଗୌତମ ଡାଲମିଆଙ୍କ ସହଯୋଗ ଓ ଉଦ୍ୟମ ପାଇଁ ଧନ୍ୟବାଦ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆସାମର ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଡଃ ହିମନ୍ତ ବିଶ୍ବଶର୍ମା କହିଥିଲେ ଯେ ଏହି ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର କେବଳ ଭାରତବର୍ଷ ପାଇଁ ନୁହେଁ, ବିଶ୍ବ କ୍ରୀଡା ଜଗତ ପାଇଁ ଏକ ଉଲ୍ଲେଖନୀୟ ମାଇଲ ଷ୍ଟୋନ । ଏହି ସେଣ୍ଟର ଭାରତରେ ବ୍ୟାଡମିଣ୍ଟନ ଖେଳକୁ ନୂଆ ଶିଖରକୁ ନେବ।
ଏହି ସେଣ୍ଟର ପ୍ରତିଷ୍ଠାରେ ସମସ୍ତ ସହଯୋଗ ଯୋଗାଇ ଦେଇଥିବାରୁ ସେ ଓଡିଶା ସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଓ ଦିଗ୍‌ଦର୍ଶନରେ ଭାରତ ବର୍ତ୍ତମାନ କ୍ରୀଡାର ପାୱାର ହାଉସ୍‌ରେ ପରିଣତ ହୋଇଛି । କ୍ରୀଡାକୁ ନେଇ ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି, ଏହି ସେଣ୍ଟର ଆଗାମୀ ଦିନରେ ତାହା ପୂରଣ କରିବାରେ ସହାୟକ ହେବା ସହିତ ଓଡିଶାରେ ବ୍ୟାଡମିଣ୍ଟନ ଖେଳର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଆମ ଦେଶରେ ଉଭୟ ସରକାର ଓ ଜନସାଧାରଣଙ୍କ ମିଳିତ ସହଯୋଗରେ କ୍ରୀଡାର ବିକାଶ ହେଉଛି ବୋଲି ସେ କହିଥିଲେ ।
ଏହି ସେଣ୍ଟର ପାଇଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେଇ ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳୀ  ପୁଲେଲା ଗୋପୀଚନ୍ଦ ଓଡିଶାରେ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାରଙ୍କର ପ୍ରଗତିଶୀଳ ଚିନ୍ତାଧାରାର ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଆଗାମୀ ଦିନରେ ଏହି କେନ୍ଦ୍ରରୁ ଅନେକ ପ୍ରତିଭାବାନ୍‌ ଖେଳାଳୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ କରିବେ।
କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡା ଓ ଯୁବସେବା ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ବାଗତ ଭାଷଣ ଦେଇଥିଲେ।
ଡାଲମିଆ ଭାରତ ଗ୍ରୁପର ସିଇଓ ପି.ୱାଇ ଡାଲମିଆ ମଧ୍ୟ ତାଙ୍କ ଅଭିଭାଷଣରେ ଓଡିଶାରେ କ୍ରୀଡାର ବିକାଶ ପାଇଁ ତାଙ୍କ ସଂସ୍ଥାର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । କ୍ରୀଡା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଏକାମ୍ର ବିଧାୟକ ବାବୁ ସିଂହ, ଭାରତ ଡାଲମିଆ ଗ୍ରୁପର ଏମ୍‌ଡି   ଗୌତମ ଡାଲମିଆ ଏବଂ ଓଡିଶା ରାଜ୍ୟ  ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ଥିଲେ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories