www.samajalive.in
Monday, December 8, 2025
14.1 C
Bhubaneswar

ରାଧାନାଥ ବାବୁଙ୍କ ସେବା,ତ୍ୟାଗ ଓ କର୍ମନିଷ୍ଠା ଅସାଧାରଣ

କଟକ : ଲୋକସେବକ ମଣ୍ଡଳର ପୂର୍ବତନ ସଭାପତି ତଥା ‘ସମାଜ’ର ପ୍ରାକ୍ତନ ସମ୍ପାଦକ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ମାନବଜାତି ପାଇଁ ତ୍ୟାଗ, ତିତିକ୍ଷା, ସେବା, ଉତ୍ସର୍ଗୀକୃତ ଭାବନା ଓ କର୍ମନିଷ୍ଠା ଆସାଧାରଣ। ତାଙ୍କର କୃଚ୍ଛ୍ର ସାଧନା ବଳରେ ଉତ୍କଳମଣି ଗୋପବନ୍ଧୁ ଦାସ ରୋପଣ କରିଥିବା ‘ସମାଜ’ରୂପୀ ଚାରାଟି ଆଜି ମହାଦ୍ରୁମରେ ପରିଣତ ହୋଇଛି। ଦୀର୍ଘ କର୍ମମୟ ଜୀବନ ଓ ସେବା ପାଇଁ ସେ ଚିରକାଳ ପ୍ରେରଣାଦାୟୀ ଆଲୋକସ୍ତମ୍ଭ ହୋଇରହିବେ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଶୁକ୍ରବାର ଅପରାହ୍ଣରେ ଗୋପବନ୍ଧୁ ଭବନସ୍ଥିତ ‘ସମାଜ’ ସମ୍ମିଳନୀ କକ୍ଷରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାରଙ୍କ ଅଧ୍ୟକ୍ଷତାରେ ଡକ୍ଟର ରଥଙ୍କ ୧୨୮ତମ ଜୟନ୍ତୀ ସମାରୋହରେ ପାଳିତ ହୋଇଛି। ଏଥିରେ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ଜଣେ ଅସାଧାରଣ ଦୂରଦ୍ରଷ୍ଟା। ସେ ତାଙ୍କର ଲକ୍ଷ୍ୟ ଓ ସ୍ବପ୍ନକୁ ପୂରଣ କରିବା ପାଇଁ ଉତ୍ତର ଦାୟାଦ ଭାବେ ରାଧାନାଥ ବାବୁଙ୍କୁ ବାଛିଥିଲେ। ରାଧାନାଥ ବାବୁ ନିଜର ଦାୟିତ୍ବବୋଧକୁ ଯାଥାର୍ଥ ଭାବେ ନିର୍ବାହ କରିଛନ୍ତି। ଫଳରେ ‘ସମାଜ’ ଗଣତନ୍ତ୍ରର ସଶକ୍ତ ଚତୁର୍ଥ ସ୍ତମ୍ଭ ଭାବେ ଅବିରତ କାର୍ଯ୍ୟ କରିଚାଲିଛି ଏବଂ ଓଡ଼ିଆ ଭାଷା ଓ ଅସ୍ମିତାର ଜାଗ୍ରତ ପ୍ରହରୀ ହୋଇ ରହିଛି । ମୁଖ୍ୟବକ୍ତା ପ୍ରଫେସର ଦେବକାନ୍ତ ମିଶ୍ର ରାଧାନାଥ ବାବୁଙ୍କୁ ଓଡ଼ିଆ ବୌଦ୍ଧିକତାର ଉଦ୍‌ଗାତା ଭାବେ ଅଭିହିତ କରି ଓଡ଼ିଆ ସାମ୍ବାଦିକତା କ୍ଷେତ୍ରକୁ କିପରି ଦିଶା ଦେଇଛନ୍ତି, ତାହାର ଅବତାରଣା କରିବା ସହ ‘ସମାଜ’କୁ ଏକ ଅନନ୍ୟ ବୌଦ୍ଧିକ ପ୍ରବାହ ବୋଲି ବର୍ଣ୍ଣନା କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ରାଧାନାଥ ବାବୁ କୌଣସି ବିଷୟ ଉପରେ କିଛି କହିବା ପୂର୍ବରୁ ପୂର୍ଣ୍ଣ ପ୍ରସ୍ତୁତ ହେଉଥିଲେ। ଫଳରେ ତାଙ୍କ କଥାର ଯଥାର୍ଥତା ପ୍ରତିପାଦିତ ହେଉଥିଲା। ଆଜି ‘ସମାଜ’ ଲୋକଙ୍କ ନିକଟରେ ଯେଉଁ ବିଶ୍ବସନୀୟତା ଅର୍ଜନ କରିଛି, ତାହା ରାଧାନାଥଙ୍କ ଯୋଗୁଁ ସମ୍ଭବପର ହୋଇପାରିଛି। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜକୁମାର କହିଲେ ଛୋଟରୁ ବଡ଼କୁ କେହି ସହଜରେ ଉତ୍ତୀର୍ଣ୍ଣ ହୁଅନ୍ତି ନାହିଁ; ସାଧାରଣରୁ ଅସାଧାରଣ ହୁଅନ୍ତି ନାହିଁ। ଜଣଙ୍କର ମହାନତା ଝଲସେ ତାଙ୍କର ତ୍ୟାଗ, ସାଧନା, ସେବା, କର୍ମପ୍ରବଣତା ଓ ଅଙ୍ଗୀକାରବଦ୍ଧତାରୁ। ବାବୁଜୀ ହେଉଛନ୍ତି ତାହାର ଏକ ନିଦର୍ଶନ। ତାଙ୍କର ଗୁଣାବଳୀରୁ ଆମେ କିଛି ଶିଖି ଜନ କଲ୍ୟାଣରେ ଲଗାଇପାରିଲେ, ତାହା ହେବ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ ସହ ରାଧାନାଥ ରଥଙ୍କୁ ଓଡ଼ିଶାର ଅନନ୍ୟ ଜନସେବକ ଓ ଓଡ଼ିଆ ସାମ୍ବାଦିକତା ଜଗତର ଅଗ୍ରଦୂତ ବୋଲି ମତବ୍ୟକ୍ତ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଜଣାଇଥିଲେ। ଏହି ଅବସରରେ ‘ସମାଜ’ର ପୂର୍ବତନ ସମ୍ପାଦକ କାନନ ବିହାରୀ ଦାଶ, ଡକ୍ଟର ସତ୍ୟ ରାୟ, ଡକ୍ଟର ପ୍ରମୋଦ କୁମାର ମହାପାତ୍ର ଓ ଲୋକସେବକ ମଣ୍ଡଳର ସଭାପତିଙ୍କ ପରାମର୍ଶଦାତା ରାମନାଥ ଝାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାଲିଯାତ୍ରାରେ ‘ସମାଜ’ ଷ୍ଟଲରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଗୋପାଳକୃଷ୍ଣ ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ‘ସମାଜ’ର ସମ୍ପାଦକ ତଥା କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ତପନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ ସହ ରାଧାନାଥ ବାବୁ ବହୁମୁଖୀ ପ୍ରତିଭାର ଅଧିକାରୀ ହୋଇ କିପରି ସବୁ କ୍ଷେତ୍ରରେ ନିଜର ପଦଚିହ୍ନ ଛାଡ଼ି ଯାଇଛନ୍ତି ମତବ୍ୟକ୍ତ କରିଥଲେ। ସଭାରେ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories