ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ନିବେଶକଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ନୂଆଦିଲ୍ଲୀରେ ଅନୁଷ୍ଠିତ ଅକ୍ଷୟ ଶକ୍ତି ରାଉଣ୍ଡ ଟେବୁଲ ବୈଠକରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
ଭୁବନେଶ୍ୱର : ନୂଆଦିଲ୍ଲୀରେ ହୋଇଥିବା ଅକ୍ଷୟ ଶକ୍ତି ରାଉଣ୍ଡ ଟେବୁଲ ବୈଠକରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧ୍ୟକ୍ଷତା କରିଥିଲେ। ସୋସାଇଟି ଫର ଲିଗାଲ ଆଣ୍ଡ ପଲିସି ରିସର୍ଚ୍ଚ ଓ ଇଡାମ ଇନଫ୍ରାଷ୍ଟ୍ରକ୍ଚରର ମିଳିତ ଆନୁକୂଲ୍ୟରେ କନଫରେନ୍ସର ଆୟୋଜନ ହୋଇଥିଲା। ଏହି ସମ୍ମିଳନୀରେ ଓଡ଼ିଶାର ବିଭାଗୀୟ ଅଧିକାରୀ, ପ୍ରତିନିଧି, ଶିଳ୍ପ ଏବଂ ନିବେଶକମାନେ ଏକାଠି ଯୋଗଦେଇଥିଲେ। ୨୩ ଟି କମ୍ପାନୀର ୩୪ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସୌର ବିଦ୍ୟୁତ, ପବନ ଶକ୍ତି, ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ ଏବଂ ବର୍ଜ୍ୟ ବସ୍ତୁରୁ ଶକ୍ତି ଉତ୍ପାଦନ କରୁଥିବା କମ୍ପାନୀ ଗୁଡ଼ିକ ପ୍ରମୁଖ ଥିଲେ।
ଓଡ଼ିଶାରେ ଥିବା ଅକ୍ଷୟ ଶକ୍ତିର ସୁଯୋଗ ତଥା ସମ୍ଭାବନାର ଅର୍ଥପୂର୍ଣ୍ଣ ବ୍ୟବହାର କରି ଘରୋଇ କମ୍ପାନୀର ଅଂଶଗ୍ରହଣକୁ ପ୍ରୋତ୍ସାହିତ ଏବଂ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସମ୍ମିଳନୀର ଲକ୍ଷ୍ୟ ରହିଛି। ଓଡ଼ିଶା ଆଜିର ସମୟରେ ସ୍ଵଚ୍ଛ ଶକ୍ତିର ବ୍ୟବହାର, ଉତ୍ପାଦନ ଏବଂ ବିକାଶକୁ ପ୍ରୋତ୍ସାହିତ କରୁଛି। ଓଡ଼ିଶା ରାଜ୍ୟ ଅକ୍ଷୟ ଶକ୍ତି ନୀତି, ୨୦୨୨ ମଧ୍ୟ ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ଭାସମାନ ସୌରଶକ୍ତି, ପମ୍ପଡ ଷ୍ଟୋରେଜ ପାୱାର(ପିଏସପି), ପବନ ଶକ୍ତି ଭଳି ନୂତନ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରିଛି।
ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଡିକାର୍ବୋନାଇଜେସନ୍ ଓ ଜଳବାୟୁ ଅନୁକୂଳ ଲକ୍ଷ୍ୟ ହାସଲରେ ଓଡ଼ିଶାର ଭୂମିକା ଉପରେ ଆଲୋକପାତ କରିଥିଲେ। ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ପୂରଣ ନିମନ୍ତେ ଓଡ଼ିଶା ୧୪୦ଗିଗାୱାଟର ସୌର ଏବଂ ଗ୍ରୀନ ହାଇଡ୍ରୋଜେନରୁ ପ୍ରସ୍ତୁତ ଅକ୍ଷୟ ଶକ୍ତି ଉତ୍ପାଦନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ଆହୁରି ମଧ୍ୟ କହିଥିଲେ ଯେ, ରାଜ୍ୟର ଅକ୍ଷୟ ଶକ୍ତି ନୀତିକୁ ସମୀକ୍ଷା କରି ଏହାକୁ ଆହୁରି ସୁଦୃଢ, ପୁଞ୍ଜିନିବେଶ ଅନୁକୂଳ ଓ ଗ୍ରାହକଙ୍କ ସ୍ଵାର୍ଥକୁ ଅଗ୍ରାଧିକାର ଦେଇ କରାଯାଇପାରିବ।
ସୋସାଇଟି ଫର ଲିଗାଲ ଆଣ୍ଡ ପଲିସି ରିସର୍ଚ୍ଚ, ଇଡାମ ଇନଫ୍ରାଷ୍ଟ୍ରକଚର ଓ ବରିଷ୍ଠ ଓକିଲ ସଞ୍ଜୟ ସେନ୍ ପ୍ରତିନିଧିମାନଙ୍କୁ ସ୍ବାଗତ କରିବା ସହ ବଜାର ବ୍ୟବସ୍ଥା ଓ ପୁଞ୍ଜିନିବେଶ ନିଷ୍ପତ୍ତି ଏବଂ ନିବେଶକଙ୍କ ସ୍ଵାର୍ଥ ରକ୍ଷା ମଧ୍ୟରେ ସମନ୍ଵୟ ରକ୍ଷା କରି ରାଜ୍ୟ ଏକ ଦୀର୍ଘମିଆଦୀ ଯୋଜନା, ଯାହା ବିଦ୍ୟୁତ ଉପଭୋକ୍ତାଙ୍କୁ ମଧ୍ୟ ସୁହାଇବ, ସେଇଭଳି ଯୋଜନା କରିବା ଉଚିତ ବୋଲି ଦର୍ଶାଇଥିଲେ। ଓଡ଼ିଶାରେ ଉତ୍ପାଦିତ ହେବାକୁ ଥିବା ଅକ୍ଷୟ ଶକ୍ତି ଭାରତର ସବୁଜ ବିଦ୍ୟୁତ ଲକ୍ଷ୍ୟ ପୂରଣରେ ମଧ୍ୟ ସହାୟକ ହେବ। ଇଡାମର ମ୍ୟାନେଜିଂ ଡ଼ାଇରେକ୍ଟର ଶ୍ରୀ ବଳୱନ୍ତ ଜୋଶୀ ଓଡ଼ିଶାର ନିୟାମକ ଭିତ୍ତିଭୂମି ଉପରେ ଆଲୋକପାତ କରିଥିଲେ।
ଶକ୍ତି କମ୍ପାନୀ ରିନିଉ ର ଚେୟାରମ୍ୟାନ ଶ୍ରୀ ସୁମନ୍ତ ସିହ୍ନା ଓଡ଼ିଶାର ତାପଜ ବିଦ୍ୟୁତ ଶକ୍ତିରୁ ସବୁଜ ତଥା ସ୍ଵଚ୍ଛ ବିଦ୍ୟୁତ ଶକ୍ତିକୁ ସ୍ଥାନାନ୍ତର ହେବା ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ ଏବଂ ଗ୍ରୀନ ହାଇଡ୍ରୋଜେନ ପ୍ରକଳ୍ପ ବିଷୟରେ ସରକାରଙ୍କ ଅଗ୍ରଗତି ବିଷୟରେ ଦୃଷ୍ଟିପାତ କରିଥିଲେ।
ଅକ୍ଷୟ ଶକ୍ତି ଉତ୍ପାଦନ କରୁଥିବା କମ୍ପାନୀ ଯଥା O2, ଓସିଅର, ହେକ୍ସା କ୍ଲଇମେଟ, ଆଦିତ୍ୟ ବିର୍ଲା ରିନେବୁଲ, ଜିନ୍ଦଲ ରିନେବୁଲ, ରି ସଷ୍ଟେନେବିଲିଟି, ଅଭଡ଼ା, ୱେଲସ୍ପୁନ, ଜେଏସଡବ୍ଲୁ , ପୂର୍ବ ଗ୍ରୀନ ପ୍ରଭୃତି କମ୍ପାନୀ ରାଜ୍ୟର ବିତରଣ ସୀମା ଏବଂ ଶୁଳ୍କ, ସହଜ ଜମି ଆବଣ୍ଟନ, ଏକକ ବ୍ୟାଙ୍କିଂ, ନିୟମାବଳୀରେ ସଂଶୋଧନ ଏବଂ ରାଜ୍ୟ ତରଫରୁ ସହାୟତା ବିଷୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସହ ଆଲୋଚନା କରିଥିଲେ।
Comments are closed.