www.samajalive.in
Tuesday, December 9, 2025
19.1 C
Bhubaneswar

କେତେ ଗୁରୁତ୍ୱପୂର୍ଣ୍ଣ ଶାବରୀମାଲା ବିବାଦ?

ସୁଲଗ୍ନା ମହାନ୍ତି

ଆଜି ଶାବରୀମାଲା ବିବାଦ ପାଇଁ କେରଳ ଜଳୁଛି। କେରଳ ଆଉ ତାମିଲନାଡ଼ୁ ରାଜ୍ୟର ସୀମାନ୍ତରେ ରହୁଥିବାରୁ ମୁଁ ସବୁଦିନ ପ୍ରତ୍ୟକ୍ଷ ରୂପେ ଦେଖୁଛି ସାଧାରଣ ଜନତାଙ୍କ ଦୁଃଖ କ୍ରୋଧ ତଥା ଅଭିମାନ। ତେବେ ଆଜିର ରଚନାରେ ମୁଁ ଏଇ ବିବାଦକୁ ତିନିଟି ଭିନ୍ନ ପରିପ୍ରେକ୍ଷୀରୁ ବିଚାର କରି ନିଜ ମତ ରଖିବାକୁ ଚାହୁଁଛି।
ମୋର ପ୍ରଥମ କାରଣଟି ହୁଏତ ଅନେକ ଲୋକ ଆଗରୁ କହି ସାରିଥିବେ। ତେବେ ମୁଁ ପୁଣିଥରେ ସମସ୍ତଙ୍କୁ ମନେ ପକେଇଦେବାକୁ ଚାହେଁ ୨୦୧୮ ମସିହା ମେ ମାସ ସୁଦ୍ଧା ସମଗ୍ର ଭାରତରେ ୧୫,୭୮୦ଟି ବଳାତ୍କାର ମାମଲା ପୁଲିସ ପାଖକୁ ଆସିଥିଲା । କେବଳ କେରଳରେ ୨୦୧୮ ରେ ୩୦୮୮ଟି ବଳାତ୍କାର ହେଇଚି ଯା’ମଧ୍ୟରୁ ୧୧୦୧ ଜଣ ପୀଡିତା ହେଲେ ୧୮ବର୍ଷରୁ କମ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନ୍ୟାସନାଲ ଫେମିଲି ହେଲଥ ସର୍ଭେ (ଏନ୍‌ଏଚ୍‌ଏଫ୍‌ଏସ୍‌-୪)ଦ୍ୱାରା ହେଇଥିବା ସର୍ଭେକ୍ଷଣ ଦ୍ୱାରା ଜଣା ପଡିଛି ଯେ ଭାରତରେ ପ୍ରତି ତିନିଜଣ ମହିଳାଙ୍କ ଭିତରୁ ଜଣେ ଶାରୀରିକ ଓ ଯୌନ ହିଂସାର ଶିକାର ହେଉଛନ୍ତି ଓ ସେ ମଧ୍ୟରୁ ୩୦% ହିଂସା ଘଟୁଛି ତାଙ୍କ ନିଜ ଘରେ ।
ଏଇଭଳି ଏକ ଜଟିଳ ପରିସ୍ଥିତିରେ ଆମ ଦେଶରେ ବିବାଦ ଚାଲିଛି ଭଗବାନଙ୍କ ମନ୍ଦିରକୁ ମହିଳା ମାନେ ପ୍ରବେଶ କରିପାରିବେ କି ନାହିଁ । ସେଥିପାଇଁ ଚାଲିଛି ରାଜ୍ୟ ବନ୍ଦ, ଦେଶ ବନ୍ଦ ଆଉ ଦିନଦିନ ଧରି ବିକ୍ଷୋଭ। ମହିଳାମାନଙ୍କୁ ସମାନ ଅଧିକାର ଦେବାପାଇଁ ହରତାଳ। ତେବେ ମୋର ପ୍ରଶ୍ନ ହେଲା ଯେଉଁ ରାଜନୈତିକ ଦଳମାନେ ମହିଳାମାନଙ୍କୁ ଶାବରୀମାଲାର ଆୟାପ୍ପାନ ମନ୍ଦିରରେ ପ୍ରବେଶ କରେଇବାକୁ ଚାହୁଁଛନ୍ତି ଆଉ ସେଥିପାଇଁ ସାଧାରଣ ଜନତାଙ୍କ ନିତିଦିନିଆ ଜୀବନକୁ ବାଧାପ୍ରାପ୍ତ କରୁଛନ୍ତି ସେମାନେ କଣ ନିଜ ଛାତିରେ ହାତ ରଖି କହିପାରିବେ ଯେ ମହିଳାମାନେ ଏଇ ମନ୍ଦିରକୁ ପ୍ରବେଶ କଲେ ଦେଶରେ ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ସମସ୍ତ ହିଂସା ବନ୍ଦ ହେଇଯିବ । ଦେଶରେ ଘରୋଇ ହିଂସା, ବଳାତ୍କାର ଓ ଅନ୍ୟାନ୍ୟ ଯୌନ ଶୋଷଣର ପରିସମାପ୍ତି ଘଟିବ। ମହିଳା ଓ ପୁରୁଷ ସମାନ ଅଧିକାର ପାଇବେ । ଯଦି ଏହାର ଉତ୍ତର ନା ଦେବେ ଏଇ ବିବାଦକୁ ଏଇଠି ବନ୍ଦ କରାଯାଉ ।
ମୋର ଦ୍ବିତୀୟ କାରଣ କିଛି ପରିମାଣରେ ରାଜନୈତିକ, ଧାର୍ମିକ ତଥା ସାମାଜିକ । ପ୍ରତି ଧର୍ମରେ କିଛି ନା କିଛି ପ୍ରଥା ରହିଛି । ପ୍ରତି ମନ୍ଦିରର ନିଜର ପୌରାଣିକ ଗାଥା ରହିଛି । ଇସଲାମ ଧର୍ମରେ ମହିଳାମାନଙ୍କୁ ମସଜିଦ ଭିତରକୁ ଯିବାକୁ ଅନୁମତି ନାହିଁ। ସେଇଭଳି ଆୟାପ୍ପାନ ମନ୍ଦିର ଭିତରକୁ ଯିବାକୁ ୧୦-୫୦ ବର୍ଷ ବୟସର ମହିଳାମାନଙ୍କୁ ଅନୁମତି ନାହିଁ, କିନ୍ତୁ ମଜାର କଥା ହେଲା ଏଇ ଇସଲାମିକ ପ୍ରଥା ବିରୁଦ୍ଧରେ ଲଢ଼ୁଛନ୍ତି ହିନ୍ଦୁମାନେ ଓ ଏଇ ହିନ୍ଦୁପ୍ରଥା ବିରୁଦ୍ଧରେ ଲଢୁଛନ୍ତି ମୁସଲମାନମାନେ । ମୁସଲମାନ ମହିଳାମାନେ ମସଜିଦକୁ ନ ଯାଇ ପାରିବା ନିୟମକୁ ହିନ୍ଦୁମାନେ ରୂଢିବାଦୀ ପ୍ରଥା ବୋଲି କହୁଛନ୍ତି । ଏହା ବିରୁଦ୍ଧରେ ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ସଭାପତି ସ୍ୱାମୀ ଦତ୍ତାତ୍ରେୟ ସାଇ ସ୍ୱରୂପ ନାଥ ପିଟିସନ ଦାଏର କରିଛନ୍ତି । ସେମିତି ଶାବରୀମାଲା ପ୍ରଥା ବିରୁଦ୍ଧରେ ପିଟିସନଟି ପ୍ରଥମ ଥର ପାଇଁ ୨୦୦୬ରେ ନୌସାଦ ଅହମଦ ଖାନ (ଯୁବ ଆଇନଜୀବୀ ସଂଗଠନ ସଭାପତି)ଙ୍କ ସଭାପତିତ୍ୱରେ ଦାଏର ହେଇଛି । ମୁଁ ଏଇ ସବୁ ପ୍ରଥାର ସମର୍ଥନରେ ବା ବିପକ୍ଷରେ କହୁନାହିଁ, କିନ୍ତୁ ମୋ ପ୍ରଶ୍ନ ହେଲା ଆମେ କାହିଁକି ସବୁବେଳେ ଅନ୍ୟ ଧର୍ମର ପ୍ରଥା ଉପରେ ଅଙ୍ଗୁଳି ଉଠେଇବାକୁ ଆଗଭର । ଏଭଳି ଚିନ୍ତା ଆମର ନିଜ ଧର୍ମପାଇଁ, ଆମର ନିଜର କୁପ୍ରଥା ପାଇଁ କାହିଁକି କେବେ ଆସେନାହିଁ?
ବର୍ତ୍ତମାନ ଯାଏଁ ଯେତିକି ମହିଳା ଶାବରୀମାଲା ମନ୍ଦିରରେ ପଶିବାକୁ ଚେଷ୍ଟା କରିଛନ୍ତି ସେମାନେ ହୁଏତ ହିନ୍ଦୁ ନୁହନ୍ତି (ରେହାନା ଫାତିମା), ନଚେତ ସେମାନେ ସ୍ୱଘୋଷିତ ନାସ୍ତିକ । ବ୍ୟକ୍ତିଗତ ରୂପେ ମୁଁ ଯେତିକି କେରଳୀ ତଥା ତାମିଲ ସ୍ତ୍ରୀଲୋକଙ୍କୁ ଭେଟିଛି ସେମାନଙ୍କୁ ଲାଗୁଛି ଏଇ ବିବାଦ କେବଳ ରାଜନୈତିକ। ସେମାନଙ୍କ ବିଶ୍ୱାସ ଅନୁଯାୟୀ ଶାବରୀମାଲା ହେଲା ଏକ ତନ୍ତ୍ରପୀଠ। ପ୍ରଭୁ ଆୟାପ୍ପାନ ହେଲେ ଆଜନ୍ମ ବ୍ରହ୍ମଚାରୀ । ପୁନଶ୍ଚ ୨୦୦୬ରେ ପିଟିସନ କରିଥିବା ଅନ୍ୟ କେତେଜଣ ମହିଳା ଓକିଲ ଏବେ କହିଛନ୍ତି ଯେ ପିଟିସନ କରିବା ସମୟରେ ସେମାନେ ସେଇ ମନ୍ଦିରରେ ହେଉଥିବା ତାନ୍ତ୍ରିକ ପ୍ରଥା ବିଷୟରେ ଅଜ୍ଞ ଥିଲେ। ଏକଥା ଜାଣିଥିଲେ ସେମାନେ ଏଇ ପିଟିସନରେ ହସ୍ତାକ୍ଷର କରିନଥାନ୍ତେ । ତେବେ ଯାହା ହବା କଥା ତାହା ହୋଇ ଯାଇଛି । ଏବେ ପରସ୍ପରର ଧର୍ମ ଉପରେ ଅଙ୍ଗୁଳି ନି‌େ‌ର୍ଦଶ ନ କରି ଓ ବିବାଦକୁ ରାଜନୈତିକ ରୂପ ନ ଦେଇ ବାସ୍ତବିକତା ଉପରେ ବେଶୀ ନଜର ଦିଆଯାଉ ।
ମୋର ତୃତୀୟ କାରଣ ହେଲା “ଲିଙ୍ଗଗତ ସମାନତା” ଉକ୍ତିର ପରିଭାଷା ଓ ବ୍ୟବହାରକୁ ନେଇ । ଯଦି ଶାବରୀମାଲା ମନ୍ଦିରକୁ ମହିଳା ମାନଙ୍କ ପ୍ରବେଶ ନିଷେଧ କରାଯାଇଛି ତେବେ ଭାରତରେ ପାଞ୍ଚୋଟି ମନ୍ଦିର ଅଛି ଯାହା ଭିତରକୁ ପୁରୁଷଙ୍କ ପ୍ରବେଶ ନିଷେଧ। କେରଳର ଆତୁକଲ ଭଗବତୀ ମନ୍ଦିର, ଚାକୁଲତାକାବୁ ଭଗବତୀ ମନ୍ଦିର ଓ କନ୍ୟାକୁମାରୀ ମନ୍ଦିର, ରାଜସ୍ଥାନର ପୁଷ୍କର ବ୍ରହ୍ମା ମନ୍ଦିର ଓ ବିହାର ମୁଜାଫରପୁରର ମାତା ମନ୍ଦିରରେ ପୁରୁଷଙ୍କ ପ୍ରବେଶ ନିଷେଧ । ଏହା ବି ଏକ ପ୍ରକାର ତଥାକଥିତ ଲିଙ୍ଗଗତ ଅସମାନତା ନୁହେଁ କି? ଏହା ବିରୁଦ୍ଧରେ ଆମେ ଭବିଷ୍ୟତରେ କିଛି ପ୍ରତିବାଦ ଆଶା କରିପାରିବା କି? ବୋଧହୁଏ ନା । କାରଣ ଏହି ବିରୋଧ ପୁରୁଷଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ହେବ ଓ ପୁରୁଷଙ୍କ ପାଇଁ ଲଢ଼ିବାକୁ କେହି ବୋଧହୁଏ ଆଗ୍ରହୀ ନୁହନ୍ତି ।
କଥା ହେଲା ଯାହା କୁପ୍ରଥା ସେଗୁଡା ଦିନେ ନା ଦିନେ ବଦଳିଛି । ସତୀଦାହ, ବାଲ୍ୟ ବିବାହ, ଜାତିପ୍ରଥାରେ ପରିବର୍ତ୍ତନ ଆସିଛି ଧୀରେଧୀରେ । ଏମିତି ଅନେକ ପ୍ରଥା ଭବିଷ୍ୟତରେ ବି ବଦଳିବ। ତେବେ ବର୍ତ୍ତମାନର ପରିପ୍ରେକ୍ଷୀରେ ସରକାର ଯେଉଁଟା ସାମୂହିକ ବିକାଶ ପାଇଁ ଜରୁରୀ ତା’ ଉପରେ ଧ୍ୟାନନିବେଶ କରନ୍ତୁ। ଜନତାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଉପରେ ନଜର ଦିଅନ୍ତୁ । ନିଜ ଅହଂରେ ଅନ୍ଧ ହେଇ ରାଜନୀତିକୁ ଧର୍ମର ରୂପ ଦେଇ ଭକ୍ତଙ୍କ ଭିତରେ ଅଯଥା କନ୍ଦଳ ସୃଷ୍ଟି ନ କରନ୍ତୁ । ଏପଟେ ଜନତା ବି ନିଜ ଆଖିରୁ ଅଜ୍ଞାନର ପରଦା ହଟେଇ ସତ୍ୟକୁ ଦେଖନ୍ତୁ, ତାକୁ ଅନୁସରଣ କରନ୍ତୁ, ମହିଳାଙ୍କୁ ସମ୍ମାନ ଦିଅନ୍ତୁ, ଆଉ ଦେଖିବେ ଆପେଆପେ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଢିଉଠିବ ।
କୋଇମ୍ବାଟୁର, ତାମିଲନାଡୁ
sulagna2008@gmail.com

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories