www.samajalive.in
Sunday, December 7, 2025
26.1 C
Bhubaneswar

ବ୍ରହ୍ମଚେତନା ପରିଷଦ ପକ୍ଷରୁ ଧରିତ୍ରୀ ମାତା ପାଇଁ ରବିବାର କାର୍ଯ୍ୟକ୍ରମ: ଚାରାରୋପଣ ଓ ହବିଷ୍ୟାଳିଙ୍କୁ ବସ୍ତ୍ର ପ୍ରଦାନ 

ପିପିଲି:ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବ୍ରହ୍ମଚେତନା ପରିଷଦ ପକ୍ଷରୁ ‘ଧରିତ୍ରୀ ମାତା ପାଇଁ ରବିବାର’ ନାମରେ ଏକ ସମୟୋପଯୋଗୀ କାର୍ଯ୍ୟକ୍ରମ ଆଜି ପିପିଲି ବ୍ଳକ ଅନ୍ତର୍ଗତ ରାଜତେଇ ଗ୍ରାମର ବାଲିପଡ଼ିଆସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ଦିର ବେଢା ଚତୁଃପାର୍ଶ୍ବ ସମେତ ପୋଖରୀକୁ ସଫେଇ କରାଯାଇଥିଲା।

ଏହି ଅବସରରେ ସେଠାରେ ଅନୁଷ୍ଠିତ ସଚେତନତା ସଭାରେ ବ୍ରହ୍ମଚେତନା ପରିଷଦର ସଂପାଦକ କବି ସୁକାନ୍ତ ଚନ୍ଦ୍ର ନନ୍ଦ ଯୋଗଦେଇ ସବୁଜକୋଠରୀ ପ୍ରଭାବ, ଜଳବାୟୁ ବରିବର୍ତ୍ତନ, ଜଙ୍ଗଲଜମିର ହ୍ରାସ, ଦୃତ ଶିଳ୍ପାୟନ, ଅବକ୍ଷୟମୁଖୀ କୃଷିକ୍ଷେତ୍ର, ପ୍ରଦୂଷିତ ଜଳସଂପଦ ଆଦି ବହୁବିଧ ସମସ୍ୟା ଦ୍ୱାରା ସଂପ୍ରତି ଧରିତ୍ରୀ ମାତା କବଳିତ ବୋଲି ପ୍ରକାଶ କରିଥିଲେ। ପ୍ରଗତିର ଦ୍ୱାହି ଦେଇ ଜଳାଶ୍ରୟ, ଚାଷଜମି, ଜଙ୍ଗଲ, ବିବିଧ ଜୀବଜନ୍ତୁଙ୍କ ପ୍ରତି ଯେଉଁ ଅବିଚାର କରାଯାଉଛି ସେଥିପାଇଁ ମାନବ ସମାଜ ସଂପୂର୍ଣ୍ଣ ଭାବେ ଦାୟୀ।

- Advertisement -

ଏହି ସବୁ ସମସ୍ୟା ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଇ ସେମାନଙ୍କ ସହଯୋଗରେ ଧରଣୀରାଣୀର ସୁରକ୍ଷା ପାଇଁ ପରିଷଦ ପକ୍ଷରୁ ‘ଧରିତ୍ରୀ ମାତା ପାଇଁ ରବିବାର’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ସଂପର୍କରେ ସେ ପ୍ରକାଶ କରିଥିଲେ। ପରିଷଦ ପକ୍ଷରୁ ଅଦ୍ୟାବଧି ୧୬ ହଜାର ୫ଶହ ଚାରାରୋପଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୪ହଜାର ୩୬୦ ବୃକ୍ଷକୁ ବଞ୍ଚାଇ ରଖାଯାଇଥିବା ସଂପର୍କରେ ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ମିଶ୍ର ସୂଚନା ଦେଇଥିଲେ।

ଏହି ଅବସରରେ ପରିବେଶ ସୁରକ୍ଷା ନିମନ୍ତେ ନିରନ୍ତର ଭାବେ ବୃକ୍ଷରୋପଣ କରିଆସୁଥିବା ୫ଜଣ ବୃକ୍ଷପ୍ରେମୀଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ଏଥିସହ ଉକ୍ତ ମନ୍ଦିରରେ କାର୍ତ୍ତିକବ୍ରତ ପାଳନ କରୁଥିବା ୨୦ଜଣ ହବିଷ୍ୟାଳିଙ୍କୁ ବସ୍ତ୍ର ଓ ଫଳ ବଣ୍ଟନ କରାଯାଇଥିଲା। ପରିଷଦର ସହସଂପାଦକ କୃଷ୍ଣଚନ୍ଦ୍ର ନାଥ, କୋଷାଧ୍ୟକ୍ଷ ହୃଷିକେଶ ନନ୍ଦ, ସଭ୍ୟ ଶିବବ୍ରତ ମହାନ୍ତି, ବାଦଲ ରଥ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ରାଜତେଇ, ଖଟୁଆ ବ୍ରହ୍ମପୁର, କସରଦା ଆଦି ଗ୍ରାମରେ ଆମ୍ବ, ବଉଳ, ନିମ୍ବ, ପିଜୁଳି ଆଦି ଚାରାରୋପଣ କରାଯାଇଥିଲା।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories