www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରଥମ ବିଶ୍ୱଯୁଦ୍ଧ ଅମଳରୁ ଚାଲିଛି ଏହି ମାମଲା

ନୂଆଦିଲ୍ଳୀ: ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଦାଖଲ ହୋଇଛି ମାମଲା। ଇତିମଧ୍ୟରେ ୧୦୦ ବର୍ଷ ବିତିଗଲାଣି। ପୂର୍ବଜ ମରି ହଜି ଗଲେଣି। ତଥାପି ଚାଲିଛି ବିଚାରପକ୍ର୍ରିୟା। ପିଢ଼ି ପରେ ପିଢ଼ି ମାମଲାର ପକ୍ଷ ହୋଇ ଚାଲିଛନ୍ତି। ଏଭଳି ଏକ ଅଶ୍ରୁତପୂର୍ବ ଘଟଣା ଘଟିଛି ବିହାରର କୋଇଲୱାରରେ।
ପାଟ୍‍ନାଠାରୁ ୪୦ କିମି ଦୂର କୋଇଲୱାରର ଦରବାରୀ ସିଂହ ଓ ରାମ ଅବ୍‍ତାର ସିଂହଙ୍କ ମଧ୍ୟରେ ଏକ ଜମିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ବିବାଦର ସମାଧାନ ପାଇଁ ଉଭୟେ ଦ୍ୱାରସ୍ଥ ହୋଇଥିଲେ ଆରାର ଦୌରାଜଜ୍‍ କୋର୍ଟରେ। ତା’ ପରେ ଯାହା ହୋଇଛି ତାହା ପାଲଟି ଯାଇଛି ଇତିହାସ। ଇଂରେଜମାନେ ଦେଶ ଛାଡ଼ି ଚାଲି ଯାଇଛନ୍ତି। ଏହା ମଧ୍ୟରେ ଅନେକ ସରକାର ବଦଳିଛି। ଅନେକ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆସିଛନ୍ତି, ଯାଇଛନ୍ତି। କିନ୍ତୁ ମାମଲା ବିଚାରାଧୀନ ରହିଛି। ୧୯୧୪ରେ ମାମଲା ନଂ ଥିଲା ୭୩। ଏହା ମଧ୍ୟରେ ଦୁଇ ଦୁଇ ଥର ମାମଲାକୁ ପୁଣି ନୂଆ ଭାବେ ବିଚାର ପାଇଁ ଗ୍ରହଣ କରାଯାଇଛି। ୧୯୨୭ରେ ମାମଲା ନଂ ୮୪ରେ ଓ ପୁନର୍ବାର ୧୯୯୨ରେ ମାମଲା ନଂ ୩୬ରେ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ବିବାଦର ସମାଧାନ ହୋଇପାରୁନାହିଁ।
ମାମଲାର ବିବରଣୀରୁ ଜଣାପଡ଼ିଛି ଯେ ସେଠାରେ ଆଝାର ଖାନ୍‍ଙ୍କ ନାମରେ ୯ ଏକର ଜମି ରହିଥିଲା। ତାଙ୍କ ମୃତ୍ୟୁ ପରେ ଆଝାରଙ୍କ ପତ୍ନୀ ଜୈତୁନ ଜମି ଉପରେ ମାଲିକାନା ସ୍ୱତ୍ତ୍ୱ ଦାବି କଲେ। ଅପରପକ୍ଷରେ ଜମିର ମାଲିକାନା ଦାବି କଲେ ଆଝାରଙ୍କ ଝିଅ ସଲ୍‍ମା ଓ ଭଉଣୀ ବଦଲାନ୍‍। ଶେଷରେ ବିବାଦ ଗଲା ନ୍ୟାୟାଳୟକୁ। ୧୯୧୪ରେ ଏକ ମାମଲା ଆରା ସିିଭିଲ୍‍ କୋର୍ଟରେ ଦାଖଲ ହେଲା। ବ୍ରିଟିଶ ସରକାରଙ୍କ ଦ୍ୱାରା ପରିଚାଳିତ କୋର୍ଟ ତିନି ଜଣଙ୍କ ମଧ୍ୟରେ ଜମି ଭାଗବଣ୍ଟା ପାଇଁ ନିର୍ଦେଶ ଦେଲେ। କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଜୈତୁନ୍‍ଙ୍କ ଭାଗକୁ ଗଲା ଜମିର ୨୫%। ବାକି ୭୫% ପଡ଼ିଲା ସଲ୍‍ମା ଓ ବଦଲାନ୍‍ଙ୍କ ଭାଗରେ। ଏହା ମଝିରେ ଆସିଲା ରାମ ଅବତାର ନାମକ ଆଉ ଜଣେ ଚରିତ୍ର। ଆଝାରଙ୍କଠାରୁ ସେ ତିନି ଏକର ଜମି କିଣିଛନ୍ତି ବୋଲି ଦାବି କଲେ। ମାମଲା ପୁଣି କୋର୍ଟକୁ ଗଲା। ଜୈତୁନ୍‍ ରାମ ଅବତାରଙ୍କ ବିରୋଧରେ କୋର୍ଟରେ ମାମଲା ଦାଏର କଲେ। ଅପରପକ୍ଷରେ ରାମ ଅବତାର ପୁଣି ଏକ ମାମଲା ଦାଏର କଲେ ଦରବାରୀ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ। ଏହି ମାମଲାରେ ଦରବାରୀ ସିଂହ ଥିଲେ ସେହି ବ୍ୟକ୍ତି ଯିଏ ସଲମା ଓ ବଦଲାନ୍‍ଙ୍କଠାରୁ ତିନି ଏକର ଜମି କିଣିଥିବା ଦାବି କରିଥିଲେ। ଜଟିଳତା ଯୋଗୁଁ ମାମଲା ଗଡ଼ି ଚାଲିଲା। ଇତିମଧ୍ୟରେ ଭାରତ ସ୍ୱାଧୀନ ହୋଇସାରିଥିଲା। ଭାରତ ଭାଗ ହୋଇ ପାକିସ୍ତାନ ସୃଷ୍ଟି ହୋଇସାରିଥିଲା। ଜୈତୁନ୍‍ଙ୍କ ଦେହାନ୍ତ ହୋଇସାରିଥିଲା। ଆଝାରଙ୍କ ଉତ୍ତରାଧିକାରୀମାନେ ଭାରତ ଛାଡ଼ି ପାକିସ୍ତାନ ଚାଲି ଯାଇଥିଲେ।
ହଠାତ୍‍ ପୁଣି ଥରେ ମାମଲାର ଶୁଣାଣି ଆରମ୍ଭ ହେଲା। ସେତେବେଳକୁ କୋଏଲୱାର ମ୍ୟୁନିସିପାଲିଟି ମର୍ଯ୍ୟାଦା ପାଇସାରିଥିଲା। ସେହି ବିବାଦୀୟ ଜମିର ମୂଲ୍ୟ ଏକର ପିଛା ୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ତେଣୁ ଜମି ମାମଲା ସମାଧାନ ହେବା ପରିବର୍ତ୍ତେ ବଢ଼ି ଚାଲିଲା। ଏବେ ମାମଲାର ମୁଦାଲା ଅଛନ୍ତି ଦରବାରୀଙ୍କ ଦାୟାଦ ୪୫ ବର୍ଷ ବୟସ୍କ ଅତୁଲ୍‍ ସିଂହ । କୋର୍ଟଙ୍କ ପରାମର୍ଶ ଅନୁଯାୟୀ ବୁଝାମଣା କରିବା ପାଇଁ ଅତୁଲ୍‍ ପ୍ରସ୍ତୁତ ଅଛନ୍ତି। କିନ୍ତୁ ରାମ ଅବତାରଙ୍କ ଦାୟାଦ ଏଥିରେ ରାଜି ନୁହନ୍ତି।
ମାମଲାର ଫାଇଲ୍‍ର ଉଚ୍ଚତା ୧ ଫୁଟ୍‍ ପର୍ଯ୍ୟନ୍ତ ବଢ଼ି ଯାଇଛି। ଧୂଳିପୂର୍ଣ୍ଣ ସେହି ଫାଇଲ୍‍ର କାଗଜର ମାନ ମଧ୍ୟ ନଷ୍ଟ ହୋଇସାରିଲାଣି। ତାହା ଆଉ ପଢ଼ିବା ଅବସ୍ଥାରେ ନାହିଁ। କେତେକ କାଗଜକୁ ପୋକ କାଟିସାରିଲେଣି।
ପୂର୍ବରୁ ତ୍ୱରିତ ସୂଚନା ପ୍ରେରଣ ପାଇଁ କେବଳ ଟେଲିଗ୍ରାମ୍‍ ହିଁ ଥିଲା ଶ୍ରେଷ୍ଠ ସାଧନ। ତେଣୁ ଶୁଣାଣି ତାରିଖ ବିଷୟରେ ଓକିଲ ସେମାନଙ୍କ ମହକିଲ୍‍ଙ୍କୁ ଜଣାଇବା ଓ ୧୫ କିମି ଦୂର କୋର୍ଟକୁ ଆସିବାର ସମୟ ଭିତରେ ଶୁଣାଣି ତାରିଖ ଅତିବାହିତ ହୋଇ ଯାଉଥିଲା।
ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଅନୁଯାୟୀ ମାମଲା ତଳ କୋର୍ଟରୁ ଜିଲା କୋର୍ଟ ଦେଇ ହାଇକୋର୍ଟ ଓ ଶେଷରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବା କଥା। କିନ୍ତୁ ଏହି ମାମଲା ୧୦୪ ବର୍ଷ ଧରି କେବଳ ତଳ କୋର୍ଟରେ ହିଁ ପଡ଼ି ରହିିଛି। ତଳ କୋର୍ଟରେ ନା କୌଣସି ନିଷ୍ପତ୍ତି ହୋଇପାରୁଛି, ନା ଆଗକୁ ବଢ଼ୁଛି। ଦୁଇ ପରିବାରର ପରବର୍ତ୍ତୀ ପିଢ଼ି ସେମାନଙ୍କ ଜୀବନର ବହୁ ମୂଲ୍ୟ ସମୟ କେବଳ ମାମଲାର ଶୁଣାଣିକୁ ଅପେକ୍ଷା କରି କରି ବିତି ଯାଇଛି। ମାମଲା କେତେଦିନ ଚାଲିବ ତାହା ଅଜଣା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories