ମଣ୍ଢେରରେ ଝାମୁ ଯାତ୍ରା

ସମ୍ବଲପୁର: ସମ୍ବଲପୁରର ଉପକଣ୍ଠସ୍ଥ ଯୁଯୁମୁରା ବ୍ଲକର ମୁଣ୍ଢେର ଗ୍ରାମରେ ଝାମୁ ଯାତ୍ରା ଆୟୋଜିତ ହୋଇଯାଇଛି। ହିନ୍ଦୁ ସନାତନ ଧର୍ମରେ ବର୍ଷ ତମାମ ବିଭିନ୍ନ ସମୟରେ ଭକ୍ତ ମାନେ ଦେବାଦେବୀଙ୍କୁ ଉପାସନା ଓ ଆରାଧନା କରୁଥିବା ବେଳେ ସେମାନଙ୍କର ବିଶ୍ୱାସ ରହିଛି ଯେ, ନିଷ୍ଠା ଓ ଭକ୍ତିର ସହକା ଉପାସନା କରିଲେ ମନୋସ୍କାମନା ପୂରଣ ହୋଇଥାଏ। ଏଭଳି ଏକ ଅତୁଟ ବିଶ୍ୱାସ ଝାମୁ ଯାତ୍ରାରେ ମଧ୍ୟ ଭକ୍ତ ମାନଙ୍କ ରହିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝାମୁ ଯାତ୍ରା ଆୟୋଜିତ ହେଉଥିବା ବେଳେ ମୁଣ୍ଢେର ଗ୍ରାମର ଇନ୍ଦିରା କଲୋନୀରେ ପିଢ଼ି ପରେ ପିଢ଼ି ଧରି ଏହି ଯାତ୍ରା ପ୍ରତି ବର୍ଷ ଆୟୋଜିତ ହୋଇ ଆସୁଛି। ଗ୍ରାମବାସୀ ମାନେ ମିଳିତ ଭାବରେ ଏହି ଯାତ୍ରା ଆୟୋଜନ କରୁଛନ୍ତି। ଗ୍ରାମବାସୀଙ୍କ ବିଶ୍ୱାସ ଅନୁଯାୟୀ, ଝାମୁ ଯାତ୍ରାରେ ମାଁ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରି ଆରାଧନା କରିବା ପରେ ମାଁ ଗ୍ରାମ ତଥା ସଂସାରର ମଙ୍ଗଳ କରିଥାନ୍ତି। ଏହା ସହିତ ମାଁ ଙ୍କ ନିକଟରେ ଝାମୁ ଯାତ୍ରା ଅବସରରେ କୌଣସି ମନୋସ୍କାମନା କରିଲେ, ମାଁ ତାକୁ ପୁରଣ କରିଥାନ୍ତି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଶତାଧିକ ବର୍ଷ ପୁରୁଣା ଏହି ଝାମୁ ଯାତ୍ରା ପାଇଁ ସକାଳୁ ଭକ୍ତଙ୍କ ଆଗମନ ହୋଇଥିବା ବେଳେ ମାଁ ମଙ୍ଗଳାଙ୍କ ସ୍ୱତନ୍ତ୍ର ପୂଜା ପରେ ବରୁଆ ମାନେ ଗ୍ରାମରେ ଯାତ୍ରା ପାଇଁ ସ୍ୱତନ୍ତ୍ର ରୂପେ ପ୍ରସ୍ତୁତ ହୋଇଥିବା ଅଗ୍ନିକୁଣ୍ଡରେ ଖାଲି ପାଦରେ ଚାଲିଥିଲେ। ଝାମୁ ଯାତ୍ରା ମାଧ୍ୟମରେ ଭକ୍ତଙ୍କ ମନୋସ୍କାମନା ପୁରଣ ହେଉଥିବା ବେଳେ ଅଞ୍ଚଳର ମଙ୍ଗଳ ମଧ୍ୟ ହେଉଥିବାରୁ ପ୍ରବଳ ଭିଡ ହୋଇଥାଏ ବୋଲି ଆୟୋଜକ ମାନେ କହିଛନ୍ତି।

Comments are closed.