ଜୋଟ କାର୍ଯ୍ୟକ୍ରମ ଆୟୋଜିତ
ସମ୍ବଲପୁର: ସ୍ଥାନୀୟ ବୁଢ଼ାରଜା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଓଡ଼ିଶା ସାମୟିକ କଳା ଓ କ୍ରୀଡା ଶିକ୍ଷକ ଏକତା ମଞ୍ଚର ଏକ ମହାମିଶ୍ରଣ ପର୍ବ ‘ଜୋଟ’ ଆୟୋଜିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ରାଜ୍ୟର ୩୦ଟି ଜିଲାର ପ୍ରାୟ ୫ ଶହ ଜଣ ସାମୟିକ କଳା ଓ କ୍ରୀଡା ଶିକ୍ଷକ ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ୨୦୧୩ ମସିହାରୁ ବିଦ୍ୟାଳୟ ମାନଙ୍କରେ ସ୍ୱଳ୍ପ ବେତନରେ କାର୍ଯ୍ୟରତ ଏହି ଶିକ୍ଷକ ମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା ଏବଂ ଅବହେଳା ମନୋଭାବକୁ କିପରି ଭାବରେ ସରକାର ସକରାତ୍ମକ ମନୋବୃତ୍ତି ସହିତ ବିଚାର କରି ଏହି ଶିକ୍ଷକ ମାନଙ୍କର ଭବିଷ୍ୟତକୁ ସୁଦୃଢ଼ କରିବା ସହିତ ଏହାର ସ୍ଥାୟୀତ୍ୱ ପ୍ରତି କିଭଳି ଯତ୍ନବାନ ହେବେ, ତାହା ଉପରେ ପୁଙ୍ଖାନୁପୁଙ୍ଖ ରୂପେ ସମସ୍ତ ଜିଲାରୁ ଆସିଥିବା ପ୍ରତିନିଧି ମାନେ ଆଲୋଚନା କରି ନିଜର ମନ୍ତବ୍ୟ ଉପସ୍ଥାପନା କରିଥିଲେ। ସେ ସମୟରେ ସରକାରଙ୍କ ପକ୍ଷରୁ ସ୍ଥାୟୀ ଚାକିରି ପ୍ରସଙ୍ଗରେ ଲଲିପପ ଦେବା ଭଳି କାର୍ଯ୍ୟ କରି କଳା ଓ କ୍ରୀଡା ଶିକ୍ଷକଙ୍କ ଏକତାକୁ ଭାଗଭାଗ କରି ଭାଙ୍ଗି ଦିଆଯାଇଥିବା ବେଳେ କୌଣସି ଦାବି ପୂରଣ କରାଯାଇ ନାହିଁ। ଏଣୁ ସମସ୍ତ ଦାବି ଗୁଡିକୁ ପୂରଣ ପାଇଁ ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଏକ ମିଳିତ ଦସ୍ତଖତ ଥିବା ଦାବିପତ୍ର ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ ପାଇଁ ସ୍ଥିରୀକୃତ କରାଯାଇଛି। ବରିଷ୍ଠ ସାମୟିକ କଳା ଶିକ୍ଷକ ପ୍ରମୋଦ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଲେ ରୁଦ୍ର ଦାଶ ସଭାପତିତ୍ୱ କରିଥିଲେ। କୃଷ୍ଣ ସୁଦାମ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଦିଲୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.