ପିଏମ ଶ୍ରୀ ଯୋଜନାରେ ସାମିଲ ହେଲା ଆଠଗଡ଼ ବ୍ଲକର ଏକମାତ୍ର ସାବିତ୍ରୀ ରଥ ବିଦ୍ୟାପୀଠ

ଆଠଗଡ଼: ଆଠଗଡ଼ ବ୍ଲକର ୩୪ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଏକମାତ୍ର ସମସରପୁରର ସାବିତ୍ରୀ ରଥ ବିଦ୍ୟାପୀଠ କେନ୍ଦ୍ର ସରକାରଙ୍କ ପିଏମ ଶ୍ରୀ ଯୋଜନାରେ ସାମିଲ ହୋଇଛି। ଏଥିପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ପୂର୍ବରୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ରୂପାନ୍ତରିକରଣ ଯୋଜନାରେ ଏହି ବିଦ୍ୟାଳୟଟି ସାମିଲ ହୋଇ ସ୍କୁଲର ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯାଇଥିଲା। ଏବେ ପିଏମ ଶ୍ରୀ ଯୋଜନାରେ ସାମିଲ ପାଇଁ ମନୋନୀତ ହେବା ପରେ ସାବିତ୍ରୀ ରଥ ବିଦ୍ୟାପୀଠରେ ରହିଥିବା ସମସ୍ତ ଅଭାବ ଅସୁବିଧା ଦୂର ହେବା ସହ ଏହା ଆଠଗଡ଼ ବ୍ଲକରେ ଏକ ଉନ୍ନତ ତଥା ଆଦର୍ଶ ବିଦ୍ୟାଳୟ ହୋଇପାରିବ ବୋଲି ସମସରପୁର ଗ୍ରାମବାସୀ ଆଶାପୋଷଣ କରିଛନ୍ତି।

ପିଏମ ଶ୍ରୀ ଯୋଜନା ଦ୍ବାରା ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଶ୍ରେଣୀଗୃହ ନିର୍ମାଣ, ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟାର୍ଥୀଙ୍କ ପାଇଁ ଅତ୍ୟାଧୁନିକ ଶୌଚାଳୟ, ବିଜ୍ଞାନାଗାର ଓ କମ୍ପ୍ୟୁଟର ଲ୍ୟାବର ଉନ୍ନତିକରଣ, କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି, ସ୍କୁଲର ଛାତ୍ରଛାତ୍ରୀଙ୍କ ବସିବା ପାଇଁ ନୂତନ ବେଞ୍ଚ ଡେସ୍କ ଓ ଅନ୍ୟାନ୍ୟ ଉପକରଣ ସହିତ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ। ଏଥିପାଇଁ ପିଏମ ଶ୍ରୀ ଯୋଜନାରେ ମୋଟ ପ୍ରାୟ ୨ କୋଟି ଟଙ୍କା ବ୍ୟୟ କରାଯିବାର ପ୍ରସ୍ତାବ ଥିବା ପ୍ରଧାନଶିକ୍ଷକ ଶଙ୍କର୍ଷଣ ସାହୁଙ୍କ ସୂତ୍ରରୁ ପ୍ରକାଶ।

Comments are closed.