‘ସୁଭଦ୍ରା’ ପାଇଁ ଆଧାର କେନ୍ଦ୍ରରେ ଜମୁଛି ଭିଡ, ଶୋଷଣର ଶିକାର ସାଜୁଛନ୍ତି ହିତାଧିକାରୀ

ବାସୁଦେବପୁର: ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆଧାର କେନ୍ଦ୍ରମାନଙ୍କରେ ଜମୁଛି ନାହିଁ ନଥିବା ଭିଡ। କେତେକ ଆଧାର କେନ୍ଦ୍ରରେ ଶୋଷଣର ଶିକାର ସାଜୁଛନ୍ତି ହିତାଧିକାରୀ। ବାସୁଦେବପୁର ଥାନା ଅଧିନ ଇରମ ପଞ୍ଚାୟତର ରଥପଦା ଠାରେ ଥିବା ମାହେଶ୍ୱରୀ କମନ ସର୍ଭିସ ସେଣ୍ଟରରେ ଭିଡ ଜମୁଥିବା ବେଳେ ଏହାର ପରିଚାଳକ ସୁଭଦ୍ରା ଯୋଜନା ପାଇଁ ଆଧାର ନମ୍ବର ସହିତ ମୋବାଇଲ ନମ୍ବର ସଂଯୋଗ ପାଇଁ ଏକଶହ ଟଙ୍କାର ବିଲ ଦେଉଥିବା ବେଳେ ଅଢେଇ ଶହ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି ବୋଲି ବାସନ୍ତି ମହାଳିକ ଓ ରମେଶ ମହାଳିକ କହିଛନ୍ତି। ଆଧାରକାର୍ଡ ସଂଶୋଧନ ଓ ନୂତନ ଆଧାର କାର୍ଡ ପାଇଁ ସରକାରୀ ଭାବେ ଏକଶହ ଟଙ୍କା ଆଦାୟ କରାଯିବାର ବ୍ୟବସ୍ଥା ରହିଥିବା ବେଳେ ଖୁଲମଖୁଲା ଏହାର ଉଲଂଘନ କରାଯାଉଥିବା ଅଭିଯୋଗ ହେଉଛି।

ଏନେଇ ତହସିଲଦାର ସୈାଭାଗ୍ୟ ରଞ୍ଜନ ପଣ୍ଡା କୁହନ୍ତି, ଜନସେବା କେନ୍ଦ୍ର ହେଉକି ଆଧାର କେନ୍ଦ୍ର ହେଉ ଲୋକଙ୍କୁ ଠକୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସଂପୃକ୍ତ କେନ୍ଦ୍ର ସଂପର୍କରେ ଶୁଣିବାକୁ ମିଳିବା ପରେ ତଦନ୍ତ ଚାଲିଛି, ଜିଲ୍ଲା ପ୍ରଶାସନକୁ ଏନେଇ ଖୁବଶିଘ୍ର ଅବଗତ କରାଯିବ। ଆଧାର କେନ୍ଦ୍ରମାନଙ୍କରେ ଆଦାୟ ହେବାକୁ ଥିବା ଅର୍ଥରାଶିକୁ ନେଇ ସୂଚନା ଲଗାଯିବା ପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି ବିଡିଓ ସଞ୍ଜିବ କୁମାର ସାହୁ ଜଣାଇଛନ୍ତି। ଏନେଇ ମାହେଶ୍ୱରୀ କମନ ସର୍ଭିସ ସେଣ୍ଟର ପରିଚାଳକ ସାଗର ନାୟକ କୁହନ୍ତି, ମୋ ନିକଟରେ ଆଧାର ସଂଶୋଧନ ପାଇଁ କୈାଣସି ବ୍ୟବସ୍ଥା ନାହିଁ। ଆଧାର କାର୍ଡରେ ମୋବାଇଲ ନମ୍ବର ସଂଯୋଗ ପାଇଁ କେନ୍ଦୁଝର ହାଟଡିହି ଅଞ୍ଚଳରେ ଥିବା ଏକ ଆଇଡିରେ ଏଠାରେ ସଂଶୋଧନ କରାଯାଉଛି। ସରକାରୀ ଧାର୍ଯ୍ୟଦର ଶହେ ଟଙ୍କା ନିଆଯିବା ସହିତ ଯେଉଁ ଆଇଡିରେ ଏହା କରାଯାଉଛି ସେହି ପରିଚାଳକଙ୍କୁ ଯାତାୟାତ ବାବଦକୁ ଖର୍ଚ୍ଚ ଦିଆଯାଉଛି।

Comments are closed.