୧୨ କୋଟିର ଆଇଫୋନ ଲୁଟିନେଲେ, ମାମଲା ରୁଜୁ କରିବାକୁ ପୁଲିସକୁ ଲାଗିଗଲା ୧୫ ଦିନ
ସମାଜ ଡିଜିଟାଲ ଡେସ୍କ: ୧୨ କୋଟି ଟଙ୍କାର ପ୍ରାୟ ୧୬୦୦ ଆପଲ ବ୍ରାଣ୍ଡର ଆଇଫୋନ ଚୋରି କରିନେଇଛନ୍ତି ଲୁଟେରା। ହାଇଦ୍ରାବାଦରୁ ଉତ୍ତରଭାରତକୁ ଏହି ଫୋନଗୁଡ଼ିକ ଏକ ଟ୍ରକରେ ନିଆଯାଉଥିବାବେଳେ ଲୁଟେରାମାନେ ମଧ୍ୟପ୍ରଦେଶର ସାଗର ଜିଲାରେ ଏହି ଘଟଣା ଘଟିଛି। ତେବେ ଅଭିଯୋଗ ପରେ ପୁଲିସର ଅବହେଳାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଘଟଣା ପରଦିନ ଅଭିଯୋଗ ହୋଇଥିଲେ ହେଁ ପୁଲିସ ୧୫ ଦିନ ପରେ ମାମଲା ରୁଜୁ କରିଛି।
ଗତ ଅଗଷ୍ଟ ୧୪ ତାରିଖରେ ଏକ ଟ୍ରକ ଯୋଗେ ଆଇଫୋନଗୁଡ଼ିକୁ ହାଇଦ୍ରାବାଦରୁ ଉତ୍ତରଭାରତ ନିଆଯାଉଥିଲା। ଗାଡ଼ିରେ ଜଣେ ସୁରକ୍ଷା କର୍ମୀ ମଧ୍ୟ ଥିଲେ। ତେବେ ଲଖନାଦନ ସହର ନିକଟରେ ସୁରକ୍ଷାକର୍ମୀ ଗାଡ଼ି ଅଟକାଇବାକୁ ଡ୍ରାଇଭରକୁ କହିଥିଲେ। ଉଭୟେ ଅଟକି ଚା’ ପିଇଥିଲେ। ସେଠାରେ ସୁରକ୍ଷାକର୍ମୀ ଜଣକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ଡ୍ରାଇଭରଙ୍କ ପରିଚୟ କରାଇବା ସହ ସେ ବି ସୁରକ୍ଷା ଟିମରେ ଥିବା ଜଣାଇଥିଲେ। ଏହା ପରେ ୨ ଜଣ ସୁରକ୍ଷାକର୍ମୀଙ୍କୁ ନେଇ ଡ୍ରାଇଭର ସେଠାରୁ ବାହାରିଥିଲେ। କିଛି ସମୟ ପରେ ରାତି ହେବାରୁ ରାସ୍ତା ପାର୍ଶ୍ବରେ ଡ୍ରାଇଭର କିଛି ସମୟ ପାଇଁ ଶୋଇବାକୁ ଗାଡ଼ି ରଖିଥିଲେ। ତେବେ ୧୫ ତାରିଖ ସକାଳେ ସେ ଯେତେବେଳେ ନିଦରୁ ଉଠିଲେ ସେତେବେଳେ ତାଙ୍କ ହାତ, ଗୋଡ଼ ବନ୍ଧାଯାଇଥିବା ସହିତ ପାଟିକୁ ବନ୍ଦ କରିଦିଆଯାଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ସେ କୌଣସି ପ୍ରକାରେ ନିଜ ହାତ ଗୋଡ଼ ଖୋଲି ଗାଡ଼ିରୁ ବାହାରି ପଛପଟକୁ ଆସିବା ପରେ ଗାଡ଼ିର କଣ୍ଟେନର ଖୋଲାଥିଲା ଏବଂ ମୋବାଇଲ ଫୋନ ନ ଥିବା ଦେଖିଥିଲେ। ଏ ନେଇ ସେ ତୁରନ୍ତ ନିକଟ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ମାମଲା ରୁଜୁ କରି ନ ଥିଲା। କିଛି ଦିନ ପରେ ଆଇଜିଙ୍କ ନିକଟରେ ଏହି ଖବର ପହଞ୍ଚିବା ପରେ ସେ ଏଥିରେ ହସ୍ତକ୍ଷେପ କରିଥିଲେ। ଏହା ପରେ ଥାନାରେ ମାମଲା ରୁଜୁ ହୋଇଥିଲା।
ଗାଡ଼ିରେ ଥିବା ସୁରକ୍ଷାକର୍ମୀ ହିଁ ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ସୁରକ୍ଷାକର୍ମୀ ଜଣକ ନିଜ ସହଯୋଗୀଙ୍କ ସହିତ ମିଶି ପୂର୍ବ ଯୋଜନା ମୁତାବକ ଡ୍ରାଇଭର ଗୋଡ଼ହାତ ବାନ୍ଧି ଏହି ଲୁଟ୍ କରିଥିବା ପୁଲିସ କହିଛି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଟିମ୍ ଗଠନ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି।
Comments are closed.