ପୁରୀ : ଶ୍ରୀମନ୍ଦିର ସଂସ୍କାର ମାମଲାରେ ନୂତନ ଆମିକସ୍ କ୍ୟୁରି ଭାବେ ରଞ୍ଜିତ କୁମାର ନିଯୁକ୍ତ ହୋଇଛନ୍ତି। ବୁଧବାର ସୁପ୍ରିମକୋର୍ଟ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି। ରଞ୍ଜିତ କୁମାର ଭାରତ ସରକାରଙ୍କ ପୂର୍ବତନ ସଲିସିଟର ଜେନେରାଲ ଥିଲେ। ଆମିକସ୍ କ୍ୟୁରିଙ୍କୁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରିୟା ହିଙ୍ଗୁରାନୀ ସହଯୋଗ କରିବେ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଶ୍ରୀମନ୍ଦିରର ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତ ହୋଇଥିବା ଗୋପାଳ ସୁବ୍ରମଣ୍ୟମ୍ ଦାୟିତ୍ବରୁ ଅବ୍ୟାହତି ନେଇଥିଲେ। ଗୋପାଳ ସୁବ୍ରମଣ୍ୟମଙ୍କ ପରେ ଆମିକସ୍ କ୍ୟୁରି ପଦ ଖାଲି ପଡିଥିଲା। ବୁଧବାର ଦିନ ସୁପ୍ରିମକୋର୍ଟ ନୂତନ ଆମିକସ୍ କ୍ୟୁରି ଭାବେ ରଞ୍ଜିତ କୁମାରଙ୍କୁ ନିଯୁକ୍ତ କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆବେଦନକାରୀ ମୃଣାଳିନୀ ପାଢୀଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଘୁଞ୍ଚି ଯାଇଛି। ପରବର୍ତ୍ତୀ ଶୁଣାଣି ଫେବୃଆରୀ ୫ରେ ହେବ ବୋଲି ସୂଚନା ମିଳିଛି।



