ଚିକିଟି ମଦ ମୃତ୍ୟୁ ଘଟଣା, ଆଜିବି କମ୍ପିଲା ବିଧାନସଭା

ଡେସ୍କ: ଚିକିଟି ମଦ ମୃତ୍ୟୁ ଘଟଣାକୁ ନେଇ ଆଜି ବିଧାନସଭାରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ ଫଳରେ ବାଚସ୍ପତିଙ୍କୁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡିଥିଲା। ଆଜି ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସି ପ୍ରବଳ ହଟ୍ଟଗୋଳ ଆରମ୍ଭ କରିଥିଲେ। ଫଳରେ ବାଚସ୍ପତି ପ୍ରଥମେ ୧୧.୩୦ ମିନିଟ୍‌‌ ଏବଂ ପରେ ୧୫ ମିନିଟ୍‌‌ ପାଇଁ ଗୃହକୁ ମୁଲତବୀ କରିଥିଲେ ଓ ପରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଥିଲେ। ଅପରାହ୍ନ ଅଧିବେଶନରେ ମଧ୍ୟ ଗୃହରେ ସମାନ ପରିସ୍ଥିତି ଜାରି ରହିଥିଲା। ତେବେ ବିରୋଧି ଦଳ ସଦସ୍ୟଙ୍କ ଅନୁପସ୍ଥିତିରେ ରାଜସ୍ୱ, ବିପର୍ଯ୍ୟୟ ଓ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା।

ଆଜି ଚିକିଟି ମଦମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟ ମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଆଲୋଚନା ପାଇଁ ଆଜି ଜଳ ସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଯୋଜନା ଓ ସଂଯୋଜନ, ବାଣିଜ୍ୟ, ସୂଚନା ଓ ଲୋକ ସମ୍ପର୍କ ଏବଂ ପରିବହନ ବିଭାଗ ସମ୍ପର୍କିତ ମୋଟ ୩୦ଟି ପ୍ରଶ୍ନାବଳୀ ଆସିଥିଲା। ତେବେ ପ୍ରବଳ ହଟ୍ଟଗୋଳ ଯୋଗୁ ଜଳ ସମ୍ପଦ ବିଭାଗ ସଂକ୍ରାନ୍ତୀୟ ଗୋଟିଏ ପ୍ରଶ୍ନର ଉତ୍ତର ଦେବା ସମ୍ଭବ ହୋଇପାରିଥିଲା। ଅନ୍ୟପକ୍ଷରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ବିଭାଗର ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ମୋଟ ୧୭୬୮କୋଟି ୫୪ଲକ୍ଷ ୨୫ ହଜାର ଟଙ୍କାର ଖର୍ଚ୍ଚ ଦାବି ଗୃହରେ ଆଗତ କରିଥିଲେ। ଗୃହରେ କେବଳ ଶାସକ ଦଳର ସଦସ୍ୟମାନଙ୍କ ଉପସ୍ଥିତିରେ ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ପର୍କିତ ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା।

Comments are closed.