www.samajalive.in
Monday, December 8, 2025
16.1 C
Bhubaneswar

ଅଜଣା ରୋଗରେ ମରୁଛନ୍ତି ଶହ ଶହ କୁକୁଡା, ଚିନ୍ତାରେ ଚାଷୀ

  • ମଲା କୁକୁଡାଙ୍କୁ ମାଟିରେ ପୋତାଯିବା ସହ କୁକୁଡା ଫାର୍ମକୁ ବିଶୋଧନ କରାଯାଉଛି
  • ମଲା କୁକୁଡାଙ୍କ ମଳ, ଗଳାର ଲାଳ ଓ ଜିଅନ୍ତା କୁକୁଡାଙ୍କ ରକ୍ତ ନମୁନା ସଂଗ୍ରହ କରାଗଲା

ପିପିଲି:ପିପିଲି ଅଞ୍ଚଳରେ ଅଜଣା ରୋଗରେ ଦୈନିକ ଶହ ଶହ ସଂଖ୍ୟାରେ ବ୍ରଏଲର କୁକୁଡା ମରୁଛନ୍ତି। ଏହାକୁ ନେଇ କୁକୁଡା ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ କୁକୁଡା ମଡକର ପ୍ରକୃତ କାରଣ ସଂପର୍କରେ ଅଦ୍ୟାବଧି କୌଣସି ସୂଚନା ମିଳିପାରିନାହିଁ। ଇତି ମଧ୍ୟରେ ପଶୁ ସଂପଦ ବିଭାଗ ପକ୍ଷରୁ ମଲା କୁକୁଡାଙ୍କ ମଳ, ଗଳାର ଲାଳ ଓ ଜିଅନ୍ତା କୁକୁଡାଙ୍କ ରକ୍ତ ନମୁନାକୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଲ୍ୟାବ୍‌‌କୁ ପଠାଯାଇଛି। ମଲା କୁକୁଡାଙ୍କୁ ଏଣେତେଣେ ନଫୋପାଡି ତାହାକୁ ମାଟି ମଧ୍ୟରେ ଗଭୀର ଭାବେ ପୋତିବାକୁ କୁକୁଡା ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ପଶୁସଂପଦ ବିଭାଗ ପକ୍ଷରୁ କୁକୁଡା ଫାର୍ମ ଗୁଡିକୁ ବିଶୋଧନ କରାଯାଉଥିବା ବେଳେ ରାସ୍ତା କଡରେ ଫୋପଡା ଯାଉଥିବା ମଲାକୁକୁଡାଙ୍କୁ ଜେସିବି ଦ୍ୱାରା ମାଟି ଖୋଳି ପୋତାଯାଉଛି।

ମିଳିଥିବା ସୂଚନା ଅନୁଯାଇ, ତେଇସିପୁର ପଞ୍ଚାୟତର ଆବଲପୁର ଗ୍ରାମର ଏକ କୁକୁଡା ଫାର୍ମରେ ଗତ ୫ଦିନ ତଳେ ହଠାତ୍‌‌ ୫୦ରୁ ଉର୍ଦ୍ଧ ବ୍ରଏଲର କୁକୁଡା ମରିଥିଲେ। ପରଦିନ ଉକ୍ତ ଫାର୍ମରେ ଶହେରୁ ଉର୍ଦ୍ଧ କୁକୁଡା ମରିଥିଲେ। ବ୍ରଏଲର କୁକୁଡା ଗୁଡିକୁ ହଠାତ୍‌‌ ଗୋଟିଏ ଜାଗାରେ ବସି କିଛି ସମୟ ଘୁମେଇବା ପରେ ଛାଟିପିଟି ହୋଇ ଗୋଡ ଉପରକୁ କରି ମରି ପଡୁଥିବା ଦେଖିବାକୁ ମିଳିଥିଲା। ଏହାପରେ ପାଖରେ ଥିବା ଅନ୍ୟ କେତେକ କୁକୁଡା ଫାର୍ମରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଯେତେ ମେଡିସିନ ଦେଲେ ମଧ୍ୟ ବ୍ରଏଲର କୁକୁଡା ମୃତ୍ୟୁ ହାର କମିବା ପରିବର୍ତ୍ତେ ବୃଦ୍ଧି ପାଇବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ବ୍ରଏଲର ଚାଷୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି।

- Advertisement -

ଏ ସଂପର୍କରେ ଖବର ପାଇ ପିପିଲି ବ୍ଲକ ପଶୁସଂପଦ ବିଭାଗ ପକ୍ଷରୁ ରୋଗ ସଂକ୍ରମିତ କୁକୁଡା ଫାର୍ମ ପରିଦର୍ଶନ କରାଯାଇଥିଲା। ଫୁଲନଖରା ସ୍ଥିତ ପ୍ରାଣୀସଂପଦ ରୋଗ ଅନୁସନ୍ଧାନ କେନ୍ଦ୍ରର (ଏ.ଡି.ଆର୍‌‌.ଆଇ) ବିଶେଷଜ୍ଞ ମାନେ ଗତ ୨ଦିନ ତଳେ ଆବଲପୁର ଅଞ୍ଚଳର କେତେକ ସଂକ୍ରମିତ କୁକୁଡା ଫାର୍ମ ପରିଦର୍ଶନ କରିବା ସହ ମଲା କୁକୁଡାଙ୍କ ମଳ, ଗଳାର ଲାଳ ଓ ଜିଅନ୍ତା କୁକୁଡାଙ୍କ ରକ୍ତ ନମୁନାକୁ ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବ୍‌‌କୁ ନେଇଛନ୍ତି। ଶହ ଶହ ସଂଖ୍ୟାରେ କୁକୁଡା ମରିବା ଯୋଗୁଁ କେତେକ ଚାଷୀ ମଲା କୁକୁଡାଙ୍କୁ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କଡରେ ଫୋପାଡି ଦେଇଥିବା ପରିଲକ୍ଷିତ ହୋଇଥିବା ବେଳେ ପଶୁସଂପଦ ବିଭାଗ ପକ୍ଷରୁ ସେଗୁଡିକୁ ଜେସିବି ଦ୍ୱାରା ମାଟି ଖୋଳାଯାଇ ପୋତାଯାଉଥିବା ସୂଚନା ମିଳିଛି।

ସଂକ୍ରମଣକୁ ଦୃଷ୍ଟିରେ ରଖି ମଲା କୁକୁଡାକୁ ଏଣେତେଣେ ନଫୋପାଡି ମାଟିଖୋଳି ସେଗୁଡିକୁ ଗଭୀର ଭାବରେ ପୋତିବାକୁ ପଶୁସଂପଦ ବିଭାଗ ପକ୍ଷରୁ ପିପିଲି ବିଭିଓ ଆଲୋକ ମିଶ୍ର କୁକୁଡା ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସଂକ୍ରମିତ କୁକୁଡା ଫାର୍ମର ୧କିଲୋମିଟର ପରିସୀମା ମଧ୍ୟରେ ରହିଥିବା ୪୭ଟି କୁକୁଡା ଫାର୍ମକୁ ଫର୍ମାଲିନ ଦ୍ୱାରା ବିଶୋଧନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଇତି ମଧ୍ୟରେ ପଶୁସଂପଦ ବିଭାଗ ପକ୍ଷରୁ ୨୦ରୁ ଉର୍ଦ୍ଧ କୁକୁଡା ଫାର୍ମକୁ ବିଶୋଧନ କରାଯାଇଛି। କୁକୁଡା ଫାର୍ମରୁ ବାହାରୁଥିବା ବର୍ଜ୍ଜ୍ୟବସ୍ତୁକୁ ରାସ୍ତାକଡରେ ନଫୋପାଡି ସେସବୁକୁ ମାଟିଖୋଳି ପୋତିବା ପାଇଁ ବିଭାଗ ପକ୍ଷରୁ କୁକୁଡା ଚାଷୀଙ୍କୁ ପରାମର୍ଶ ଦିଆଯିବା ସହ କୁକୁଡା ଫାର୍ମ ଗୁଡିକୁ ନିଜ ଉଦ୍ୟମରେ ସଂପୂର୍ଣ୍ଣ ଭାବେ ବିଶୋଧନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଲ୍ୟାବ୍‌‌ରୁ ରିପୋର୍ଟ ଆସିବା ପରେ ଓ ରୋଗ ସଂପର୍କରେ ଜଣାପଡିବା ପରେ ଏହାର ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପିପିଲି ବିଭିଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ଏହି ସଂକ୍ରମଣ ଯେପରି ଅନ୍ୟ ଅଞ୍ଚଳକୁ ନବ୍ୟାପେ ସେଦିଗରେ ବିଭାଗ ପକ୍ଷରୁ ପ୍ରାଥମିକତା ଦିଆଯାଇଥିବା ବେଳେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଛନ୍ତି। ଏହି କୁକୁଡା ମଡକ ଘଟଣା ଯୋଗୁଁ ଅଞ୍ଚଳର କୁକୁଡା ଚାଷ ଉପରେ ପ୍ରତିକୂଳ ପ୍ରଭାବ ପଡିଥିବା ସୂଚନା ମିଳିଛି। ଏଥିଯୋଗୁଁ ଅଞ୍ଚଳର କେତେକ କୁକୁଡା ଫାର୍ମରେ ସାମୟିକ ଭାବେ ବ୍ରଏଲର କୁକୁଡା ଚାଷ ବନ୍ଦ ରଖାଯାଇଥିବା ସଂପର୍କରେ ପୋଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମ, ଓଡିଶା ର ରାଜ୍ୟ ସଂପାଦକ ପ୍ରଦ୍ୟୁମ୍ନ ପରିଡା ସୂଚନା ଦେଇଛନ୍ତି। ପିପିଲି ଭଳି ଡେଲାଙ୍ଗ ବ୍ଲକର ନିର୍ଦ୍ଧିଷ୍ଟ କେତେକ ଅଞ୍ଚଳରେ ମଧ୍ୟ ଅଜଣା ରୋଗରେ ଦୈନିକ ଶହ ଶହ ସଂଖ୍ୟାରେ କୁକୁଡା ମରୁଥିବା ସଂପର୍କରେ ଶ୍ରୀପରିଡା ସୂଚନା ଦେଇଛନ୍ତି। ଏହାର ଜରୁରୀ ପ୍ରତିକାର ପାଇଁ ରାଜ୍ୟ ସରକାର ଓ ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କ ନିକଟରେ ଶ୍ରୀପରିଡା ଦାବି କରିବା ସହ କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ ପାଇଁ ନିବେଦନ କରିଛନ୍ତି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories