୨୦୨୭ ସୁଦ୍ଧା ୩ୟ ବୃହତ୍ତମ ଅର୍ଥନୀତି ପାଲଟିବ ଭାରତ
ନୂଆଦିଲ୍ଲୀ: ୨୦୨୭ ସୁଦ୍ଧା ଭାରତ ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି ପାଲଟିବ ବୋଲି କହିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ)ର ଉପ ପରିଚାଳନା ନିର୍ଦେଶକ ଗୀତା ଗୋପୀନାଥ। ସୂଚନାଥାଉ କି ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଖୁବ୍ଶୀଘ୍ର ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି ପାଲଟିବାକୁ ଯାଉଥିବା କହିଥିଲେ। ମୋଦୀଙ୍କ ମନ୍ତବ୍ୟ ନେଇ ନିଜ ପ୍ରତିକ୍ରିୟାରେ ଗୀତା କହିଛନ୍ତି ବର୍ତ୍ତମାନ ଭାରତ ବିଶ୍ବର ୫ମ ବୃହତ୍ତମ ଅର୍ଥନୀତି ହୋଇ ରହିଛି। ବିଭିନ୍ନ କ୍ଷେତ୍ରରେ ଭାରତ ଦ୍ରୁତ ବିକାଶ କରୁଛି, ବିଶେଷ କରି ଗ୍ରାମୀଣ ଅର୍ଥନୀତି କ୍ଷେତ୍ରରେ ଭାରତର ବିକାଶ ଉଲ୍ଲେଖନୀୟ ରହିଥିବାରୁ ୨୦୨୭ ବେଳକୁ ଏହି ଦେଶ ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି ପାଲଟିବାର ଦୃଢ଼ ଆଶା ରହିଛି। ଭାରତୀୟ ବଜାରରେ ବିଭିନ୍ନ ସାମଗ୍ରୀର ବିକ୍ରି ଉତ୍ସାହଜନକ ରହିଥିବା ବେଳେ ଭଲ ମୌସୁମୀ ବର୍ଷା ଯୋଗୁଁ କୃଷି ଉତ୍ପାଦନ ବୃଦ୍ଧି ପାଇବାର ଆଶା ରହିଛି ଯାହା କି ଭାରତୀୟ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ ବୋଲି ଗୀତା କହିଛନ୍ତି। ଆସନ୍ତା ୫-୬ ବର୍ଷ ମଧ୍ୟରେ ଭାରତରେ ଅଧିକରୁ ଅଧିକ କର୍ମନିଯକ୍ତି ସୃଷ୍ଟି କରିବାର ଆବଶ୍ୟକତା ରହିଥିବା ସେ କହିଥିଲେ।
Comments are closed.