ରାଜ୍ୟର ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ଲାଭ କଲା ଏମ୍ସ ଭୁବନେଶ୍ୱର
ଡେସ୍କ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ)ରେ ଏମ୍ସ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୧୫ତମ ସ୍ଥାନ ମିଳିଛି। ଗତ ବର୍ଷ ଏହି ଜାତୀୟ ଅନୁଷ୍ଠାନ ଏନଆଇଆରଏଫ ତାଲିକାରେ ୧୭ତମ ସ୍ଥାନରେ ଥିଲା। ତେବେ ୨୦୨୨ରେ ୨୬ତମ ସ୍ଥାନ ହାସଲ କରିଥିବା ଏହି ଅନୁଷ୍ଠାନ ମାତ୍ର ଦୁଇ ବର୍ଷ ମଧ୍ୟରେ ଏଗାର ସୋପାନ ଉପରକୁ ଉଠି ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଘୋଷଣା କରିଥିବା ୨୦୨୪ ବର୍ଷ ପାଇଁ ଏନଆଇଆରଏଫ ତାଲିକା ଅନୁସାରେ ଏମ୍ସ ଭୁବନେଶ୍ୱରକୁ ଓଡ଼ିଶାର ସର୍ବୋତ୍ତମ ମେଡିକାଲ୍ କଲେଜର ମାନ୍ୟତା ପ୍ରଦାନ କରାଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ବାସଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଏହି ଜାତୀୟ ଅନୁଷ୍ଠାନ ଭିତ୍ତିଭୂମି, ଶିକ୍ଷା, ରୋଗୀସେବା ଏବଂ ଗବେଷଣା ସମେତ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି।
ଏହି ଅବସରରେ ଡ. ବିଶ୍ବାସ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ତଥା ଏମ୍ସର ବିଶାଳ ପରିବାରକୁ ସେମାନଙ୍କର ଉତ୍ସର୍ଗୀକୃତ ମନୋଭାବ ତଥା କଠିନ ପରିଶ୍ରମ ପାଇଁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି। ଏମ୍ସ ଭୁବନେଶ୍ୱର ଚଳିତ ବର୍ଷ ୧୦୦ରୁ ୬୨.୯୭ ସ୍କୋର କରିଛି।
Comments are closed.