ପରମ୍ପରା ଓ ମୂଲ୍ୟବୋଧର ନୂତନ ଅଭିବ୍ୟକ୍ତି ଆମ ସ୍ୱାଧୀନତା – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଡେସ୍କ: ୭୮ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରି କହିଛନ୍ତି, ଆମ ସ୍ୱାଧୀନତା ହେଉଛି ପରମ୍ପରା ଓ ମୂଲ୍ୟବୋଧର ନୂତନ ଅଭିବ୍ୟକ୍ତି। ସେ କହିଛନ୍ତି, ଲାଲକିଲ୍ଲା ହେଉ କି ରାଜ୍ୟର ରାଜଧାନୀ କିମ୍ବା ସ୍ଥାନୀୟ ଅଞ୍ଚଳ, ଯେଉଁଠାରେ ଆମେ ତ୍ରିରଙ୍ଗା ଉତ୍ତୋଳନ ଦେଖୁ ତାହା ଆମକୁ ସବୁବେଳେ ରୋମାଞ୍ଚିତ କରିଥାଏ। ପର୍ବ ପର୍ବାଣି ପାଳନ ଭଳି ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସକୁ ଆମ ପରିବାର ସହିତ ପାଳନ କରିଥାଉ ବୋଲି ରାଷ୍ଟ୍ରପତି କହିଛନ୍ତି।
ସେ କହିଛନ୍ତି, ଅଗଷ୍ଟ ୧୫ ଦିନ ଆମେ ଯେତେବେଳେ ଛୋଟ ଛୋଟ ପିଲାମାନଙ୍କ ଠାରୁ ଆମ ମହାନ ଦେଶ ବିଷୟରେ ଶୁଣୁ, ସେତେବେଳେ ଆମେ ସେମାନଙ୍କ କଥାରେ ଆମର ମହାନ ସ୍ୱାଧୀନତା ସଂଗ୍ରାମୀମାନେ କ’ଣ କହୁଥିଲେ ତାହାର ପ୍ରତିଫଳନ ଦେଖିବାକୁ ପାଇଥାଉ। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ରାଷ୍ଟ୍ରଭକ୍ତି ଓ ବୀରତ୍ୱରେ ପରିପୂର୍ଣ୍ଣ ବ୍ୟକ୍ତିତ୍ବ ମାନେ ସାହସିକତାର ସହ ବହୁ ବିପଦର ସାମ୍ନା କରି ଦେଶର ସ୍ୱାଧୀନତା ସଂଗ୍ରାମରେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ରାଷ୍ଟ୍ରପତି ସେମାନଙ୍କ ପବିତ୍ର ସ୍ମୃତିକୁ ପ୍ରଣାମ କରିଛନ୍ତି। ସେମାନଙ୍କ ଅକ୍ଳାନ୍ତ ଓ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ଶତାବ୍ଦୀ ଶତାବ୍ଦୀ ଧରି ସୁପ୍ତ ରହିଥିବା ଭାରତର ଆତ୍ମା ଜାଗ୍ରତ ହୋଇଥିଲା ବୋଲି ସେ କହିଛନ୍ତି। ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଆମ ପରମ୍ପରାର ବିବିଧତା ଏବଂ ସଂଗ୍ରାମୀମାନଙ୍କ ଅଭିବ୍ୟକ୍ତିକୁ ଏକାଠି କରିଥିଲେ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି।
Comments are closed.