କଟକ ସହର: ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତାକାଲିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିିିତା ଅନୁଷ୍ଠିତ ହେବ। ନଅ ବର୍ଷ ପରେ ପୁନର୍ବାର ରେଭେନ୍ସାରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାରେ ଇଷ୍ଟ ଜୋନ୍ (ପୂର୍ବାଞ୍ଚଳ) ଅନ୍ତର୍ଗତ ୧୨ଟି ରାଜ୍ୟର ୬୬ଟି ବିଶ୍ୱବିଦ୍ୟାଳୟର କ୍ରିକେଟ୍ ଟିମ୍ ଅଂଶଗ୍ରହଣ କରିବେ। ଆୟୋଜକ ରେଭେନ୍ସା ସମେତ ରାଜ୍ୟର ୧୨ ବିଶ୍ୱବିଦ୍ୟାଳୟ କ୍ରିକେଟ୍ ଦଳ ଏହି ପ୍ରତିଯୋଗିତାରେ ଭାଗ ନେବେ। ଦୈନିକ ପାଞ୍ଚଟି ମ୍ୟାଚ୍ ନକ୍ଆଉଟ୍ ଭାବେ ଖେଳାଯିବ ବୋଲି ଶନିବାର ଅପରାହ୍ଣରେ କୁଳପତି ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁଳପତି ପ୍ରଫେସର ଈଶାନ କୁମାର ପାତ୍ର କହିଛନ୍ତି।
ରେଭେନ୍ସାର ଦୁଇଟି ଖେଳପଡ଼ିଆ, ଏସ୍ସିବି ମେଡ଼ିକାଲ କଲେଜ ପଡିଆ, ନିମପୁର, ଡ୍ରିମ୍ସ ଖେଳପଡ଼ିଆରେ ଏହି ମ୍ୟାଚ୍ ଗୁଡ଼ିକ ଖେଳାଯିବ। ଏହା ବ୍ୟତୀତ ଇଚ୍ଛାଧୀନ ଭାବେ କିଟ୍ ଖେଳପଡ଼ିଆକୁ ମଧ୍ୟ ମନୋନୟନ କରାଯାଇଛି। ଏହି ମ୍ୟାଚ୍ ପାଇଁ ମୋଟ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସମସ୍ତ ଖେଳାଳି ବାରବାଟୀ ଷ୍ଟାଡ଼ିୟମରେ ରହିବେ ବୋଲି ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଅଧିକାରୀ ତଥା ଆୟୋଜନ କମିଟିର ସମ୍ପାଦକ ଅଞ୍ଜନ କୁମାର ଖୁଣ୍ଟିଆ କହିଛନ୍ତି।
ଓସିଏ ପ୍ୟାନେଲର ଅମ୍ପାୟାର ଖେଳ ପରିଚାଳନା କରିବେ। ଏହି ପ୍ରତିଯୋଗିତାରେ ଚମ୍ପିଆନ ଓ ରନର୍ସଅପ୍ ଦଳ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଯେଉଁ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବେ, ସେମାନଙ୍କୁ ବିସିସିଆଇ ଦ୍ୱାରା ପରିଚାଳିତ ଭିଜି ଟ୍ରଫି ପାଇଁ ମନୋନୟନ କରାଯିବ ବୋଲି କ୍ରୀଡ଼ା ଅଧିକାରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ଏହି ପ୍ରତିଯୋଗିତାକୁ ସୂଚାର ରୂପେ ପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ କୁଳସଚିବ ଅଶୋକ କୁମାର ଦାଶ, ସିସିଡି ପ୍ରଫେସର ସଙ୍ଗୀତା ରଥ, ଆୟୋଜକ କମିଟିର ସଭାପତି କେ.ଏସ୍.କେ ଭରଦ୍ୱାଜ, ‘ରୁଷା’ ସଂଯୋଜକ ପ୍ରଫେସର ପଦନ କୁମାର ଜେନା, ଡିଏସ୍ଡବ୍ଲ୍ୟୁ ପ୍ରଫେସର ରୀତା ପାଇକରାୟ, ଲୋକ ସମ୍ପର୍କ ଅଧିକାରୀ ଡ. ଜ୍ଞାନରଞ୍ଜନ ସ୍ୱାଇଁ, ପ୍ରଫେସର ପ୍ରଦୀପ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଆଜିଠାରୁ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା
Popular Categories



