ସମାଜ ଡିଜିଟାଲ ଡେସ୍କ: ଉତ୍ତରାଖଣ୍ଡରେ ମଙ୍ଗଳବାର ଠାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ପରିସ୍ଥିତି ଏଭଳି ହୋଇଛି ଯେ ଚାରି ଧାମ ଯାତ୍ରାରେ ଆସୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ଆଶଙ୍କା ରହିଛି । ନଦୀ ଉଛୁଳିବା ସହ ଡ୍ରେନରେ ପାଣି ଜମିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତିହିରୀ-ଘନସାଲୀ ନିକଟ ଅଞ୍ଚଳରେ ଘଡଘଡି ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ରୁଦ୍ରପ୍ରୟାଗରେ ପ୍ରବଳ ବର୍ଷା ଯୋଗୁଁ କେଦାରନାଥ ଯାତ୍ରାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଭୀମବାଲିରେ କେଦାରନାଥ ଫୁଟପାଥ ରାସ୍ତା ଏବଂ ଦୁଇଟି ପୋଲି ଧୋଇଯାଇଛି । ଭୀମବାଲିରେ ଫସି ରହିଥିବା ୨୦୦ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ସୋନପ୍ରୟାଗ ଏବଂ ଗୌରକୁଣ୍ଡ ମଧ୍ୟରେ ଥିବା ମାର୍ଗର କିଛି ଅଂଶ ଧୋଇଯାଇଛି । ଘନସାଲୀ ଓ ଚିରବିଟିଆକୁ ସଂଯୋଗ କରୁଥିବା କଲଭର୍ଟ ମଧ୍ୟ ଧୋଇଯାଇଛି । ପୁଲିସ ଓ ଏନଡିଆରଏଫ ଟିମ୍ ଘଟଣାସ୍ଥଳକୁ ଯାଉଛନ୍ତି ।
ଡେରାଡୁନ୍ ସହରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ସୋନପ୍ରୟାଗରେ ଏସଡ଼ିଆରଏଫ ଓ ଏନଡିଆରଏଫକୁ ସଜାଗ ରହିଛନ୍ତି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଡେରାଡୁନରେ ଅଗଷ୍ଟ ୧ରେ କ୍ଲାସ ୧ରୁ ୧୨ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି । ପାଣିପାଗ ବିଭାଗର ପୂର୍ବନୁମାନ ଅନୁସାରେ ଉତ୍ତରାଖଣ୍ଡର ପ୍ରବଳ ବର୍ଷା ହେଉଥିବାରୁ ଡେରାଡୁନ୍, ପୋଡି, ତିହିରୀ, ଉତ୍ତରକାଶୀ ଓ ହରିଦ୍ୱାରରେ ସତର୍କ ସୂଚନା ଜାରି କରାଯାଇଛି । ବର୍ଷା ଯୋଗୁଁ ଏସବୁ ଅଞ୍ଚଳରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଏବେବି ନିଖୋଜ ଅଛନ୍ତି । ଟେହରୀରେ ଭୂସ୍ଖଳନ ଯୋଗୁ ତିନି ଜଣଙ୍କ ମୃତ୍ୟୁ ହୋଇଛି ।



