www.samajalive.in
Tuesday, December 9, 2025
16.1 C
Bhubaneswar

ବାର୍‍ହା ଶିକାରୀଙ୍କ ବିଦ୍ୟୁତ ଫାଶରେ ହାତୀ ମୃତ

ଢେଙ୍କାନାଳ : ହିନ୍ଦୋଳ ବନଖଣ୍ଡର ଦୁଦୁରୁକୋଟ ଗ୍ରାମ ନିକଟସ୍ଥ କଞ୍ଚାମାଣ୍ଡିଆ ପାହାଡ଼ରେ ବାର୍‍ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‍ ତାର ସ୍ପର୍ଶରେ ଆସି ଗୋଟିଏ ଅଣ୍ଡିରା ମାଖନା ହାତୀ ମଙ୍ଗଳବାର ରାତିରେ ପ୍ରାଣ ହରାଇଥିଲା। ଏହି ଘଟଣାର ତଦନ୍ତ କରାଯାଇ ଦୁଦୁରୁକୋଟ ଗ୍ରାମର ବାପି ବେହେରା (୨୮) ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ତାଙ୍କ ସହଯୋଗୀମାନଙ୍କୁ ଗିରଫ କରିବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।
ଦୁଦୁରକୋଟ କଞ୍ଚାମାଣ୍ଡିଆ ପାହାଡ଼ରେ ବାର୍‍ହା ଶିକାର କରିବା ପାଇଁ କେତେକ ଯୁବକ ଜିଆଇ ତାରକୁ ଗୋଟିଏ ବାଡ଼ିରେ ବାନ୍ଧି ସେଠାରେ ଟାଣି ସେଥିରେ ବିଦ୍ୟୁତ୍‍ ସଂଯୋଗ କରିଥିଲେ। ସେହି ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ବନ ବିଭାଗ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବୁଧବାର ଭୋର ସମୟରେ କେତେକ ଗ୍ରାମବାସୀ ଜଙ୍ଗଲକୁ ନିତ୍ୟକର୍ମ ସାରିବାକୁ ଯାଉଥିବାବେଳେ ହାତୀଟି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେମାନେ ବନବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର, ଏସିଏଫ୍‍ ଜିତେନ୍ଦ୍ର ନାଥ ଦାସ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ବ୍ୟବଚ୍ଛେଦ କରାଇ ପୋତି ଦେଇଥିଲେ। ମୃତ ହାତୀଟି ଏକ ମାଖନା ହାତୀ ବୋଲି ଏସିଏଫ୍‍ ଜିତେନ୍ଦ୍ର ନାଥ ଦାସ ସୂଚନା ଦେଇଥିଲେ। ମୃତ ହାତୀଟିର ବୟସ ଆନୁମାନିକ ୩୫ବର୍ଷ ହେବ ବୋଲି ଜଣାଯାଇଛି। ବନବିଭାଗ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଦୁଦୁରୁକୋଟ ଗ୍ରାମର ବାପି ବେହେରାଙ୍କୁ ଗିରଫ କରି ପଚରାଉଚରା କରିଥିଲା। ସେ ତାର ସହଯୋଗୀଙ୍କ ସହ ବାର୍‍ହା ଶୀକାର କରିବା ପାଇଁ ସେଠାରେ ତାର ବିଛାଇ ବିଦ୍ୟୁତ୍‍ ସଂଯୋଗ କରିଥିବା ସ୍ୱୀକାର କରିବାସହ ସହଯୋଗୀଙ୍କ ନାମ ପ୍ରକାଶ କରିଛି। ବନବିଭାଗ ପକ୍ଷରୁ ଖୁବ୍‍ଶୀଘ୍ର ସହଯୋଗୀମାନଙ୍କୁ ଗିରଫ କରାଯିବ ବୋଲି ଏସିଏଫ୍‍ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଢେଙ୍କାନାଳ ଜିଲାର ବିଭିନ୍ନ ବନାଞ୍ଚଳରେ ବାର୍‍ହା ଓ ଅନ୍ୟାନ୍ୟ ବନ୍ୟଜନ୍ତୁମାନଙ୍କୁ ଶୀକାର କରିବା ପାଇଁ କିଛି ଲୋକ ଜନ୍ତୁମାନେ ଯାତାୟତ କରୁଥିବା ରାସ୍ତାରେ ଜିଆଇ ତାର ବିଛାଇ ସେଥିରେ ବିଦ୍ୟୁତ୍‍ ସଂଯୋଗ କରି ଆସୁଛନ୍ତି। ବିଭିନ୍ନ ସମୟରେ ବିଦ୍ୟୁତ୍‍ ବିଭାଗ ଓ ବନକର୍ମଚାରୀ ମିଶି ଏଗୁଡ଼ିକୁ ବାହାର କରିଦେଇଥାନ୍ତି। ବନବିଭାଗ ପକ୍ଷରୁ ଏହିଭଳି ଭାବେ କେତୋଟି ସ୍ଥାନରେ ଚଢ଼ାଉ କରାଯାଇ ୪୨କେଜି ଓଜନର ତାରକୁ ଜବତ କରାଯାଇଛି। ବିଭିନ୍ନ ସମୟରେ ସେଥିରେ ସମ୍ପୃକ୍ତ ଥିବା ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। କିନ୍ତୁ ଜନ୍ତୁ ଶୀକାର ପାଇଁ ଶୀକାରୀମାନେ ଏହି ଉପାୟକୁ ଅବଲମ୍ବନ କରୁଛନ୍ତି। ଯାହାଦ୍ୱାରାକି ବନ୍ୟଜନ୍ତୁଙ୍କ ସହ ହାତୀଙ୍କର ମଧ୍ୟ ମୃତ୍ୟୁ ହେଉଛି। ବିଗତ ୫ବର୍ଷ ଭିତରେ ଢେଙ୍କାନାଳ ଜିଲାରେ ୭୬ ହାତୀ ପ୍ରାଣ ହରାଇଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ ବିଦ୍ୟୁତ୍‍ ଆଘାତରେ ୧୮ଟି ହାତୀଙ୍କର ମୃତ୍ୟୁ ହୋଇଛି। ୨୦୧୮ ଜାନୁୟାରୀରୁ ୨୦୧୯ ଜାନୁୟାରୀ ମଧ୍ୟରେ ୧୫ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ କେବଳ ବିଦ୍ୟୁତ୍‍ ଆଘାତରେ ୧୦ଟି ହାତୀଙ୍କର ମୃତ୍ୟୁ ହୋଇଛି। ୨୦୧୮ ଅକ୍ଟୋବର ୨୭ ତାରିଖରେ ବିଦ୍ୟୁତ୍‍ ତାର ସଂସ୍ପର୍ଶରେ ଆସି ୭ଟି ହାତୀଙ୍କର ମୃତ୍ୟୁ ହୋଇଥିବା ଘଟଣା ଚର୍ଚ୍ଚିତ ହୋଇଥିଲା। ହାତୀମାନଙ୍କ ପାଇଁ ଢେଙ୍କାନାଳ ଜିଲା ଏବେ ଅସୁରକ୍ଷିତ ହୋଇପଡ଼ିଛି।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories