ଓଡ଼ିଶାରେ ନୂଆ ସରକାର ପାଇଁ ପ୍ରସ୍ତୁତି ଜୋର୍ଦାର: ୧୦ ପୂର୍ବାହ୍ଣରେ ନେତା ନିର୍ବାଚନ, ସନ୍ଧ୍ୟାରେ ଶପଥ
ଭୁବନେଶ୍ବର : ପ୍ରାୟ ଅଢ଼େଇ ଦଶନ୍ଧି ପରେ ରାଜ୍ୟବାସୀ ଦେଖିବେ ନୂଆ ମୁଖ୍ୟମନ୍ତ୍ରୀ। ନୂତନ ସରକାର ଗଠନ ହେବ। ନୂଆ ମନ୍ତ୍ରିମଣ୍ଡଳ ଦେଖିବାକୁ ମିଳିବ। ଏଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ରାଜ୍ୟରେ ବିଜେପି ପ୍ରଥମ ଥର ଏକାକୀ ସରକାର ଗଢ଼ିବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଚେହେରା ଓ ମନ୍ତ୍ରିମଣ୍ଡଳ ରୂପରେଖ ଉପରୁ ଏପର୍ଯ୍ୟନ୍ତ ପରଦା ହଟୁନି। ଆସନ୍ତା ୧୦ ତାରିଖ ସୁଦ୍ଧା ସ୍ପଷ୍ଟ ଚିତ୍ର ଆସିବ ବୋଲି କୁହାଯାଉଛି। ଅପରପକ୍ଷରେ ଶନିବାର ପ୍ରସ୍ତାବିତ ବିଧାୟକ ଦଳ ବୈଠକ ୧୦ତାରିଖକୁ ଘୁଞ୍ଚିଯାଇଛି। ସେଦିନ ପୂର୍ବାହ୍ଣରେ ବୈଠକ ବସି ନେତା ମନୋନୟନ କରାଯିବ। ପରେ ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ଜଣାପଡ଼ିଛି। ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ଯାଉଥିବାରୁ ଶପଥ ଗ୍ରହଣ ସମାରୋହକୁ ସ୍ମରଣୀୟ କରିବା ପାଇଁ ଜନତା ମଇଦାନରେ ଚାଲିଛି ଜୋରଦାର ପ୍ରସ୍ତୁତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବହୁ କେନ୍ଦ୍ରମନ୍ତ୍ରୀ, ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଶପଥ ସମାରୋହରେ ପ୍ରାୟ ୫୦ ହଜାର ଲୋକଙ୍କ ସମାଗମ ହେବା ଯୋଜନା ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୋଟିଏ ପଟେ ଶପଥ ଗ୍ରହଣ ସମାରୋହ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ଆଉ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏକାଧିକ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲେ ବି ଶୀର୍ଷ ନେତୃତ୍ୱ କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ୧୦ ତାରିଖ ସକାଳେ ବିଜେପି ବିଧାୟକ ଦଳ ବୈଠକ ବସିବ। ଏଥିରେ ବିଧାୟକମାନେ ସେମାନଙ୍କର ନେତା ବାଛିବେ। ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବ ହେବ। ଅପରପକ୍ଷରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ମନ୍ତ୍ରିମଣ୍ଡଳରେ କେତେ ଏବଂ କେଉଁ କେଉଁ ବିଧାୟକ ସାମିଲ ହେବେ, କାହାକୁ କ୍ୟାବିନେଟ୍ ଓ କାହାକୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯିବ; ସେ ସମ୍ପର୍କିତ ଚର୍ଚ୍ଚାରେ ବିରାମ ଲାଗୁନାହିଁ। ଏପରିକି କିଏ କେଉଁ ବିଭାଗର ଦାୟିତ୍ୱ ସଠିକ୍ ଭାବେ ତୁଲାଇ ପାରିବେ, ତା’ର ତାଲିକା ପ୍ରସ୍ତୁତ ହୋଇଛି ବୋଲି କୁହାଯାଉଛି। ଅଭିଜ୍ଞତା ଆଧାରରେ ସୁରେଶ ପୂଜାରୀ, କେଭି ସିଂହଦେଓ, ଜୟନାରାୟଣ ମିଶ୍ର, ମୋହନ ମାଝି, ରବି ନାୟକ, ସୁରମା ପାଢ଼ୀଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ବ ମିଳିପାରେ ବୋଲି ଆଲୋଚନା ହେଉଛି। ସେହିପରି ନୂଆମୁହଁ ଭାବେ ପୃଥ୍ବୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ସମ୍ପଦ ସ୍ବାଇଁ, ସନାତନ ବିଜୁଳି, ଅମର ନାୟକ, ରାମସିଂ ଖୁଣ୍ଟିଆ, ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ସିଦ୍ଧାନ୍ତ ମହାପାତ୍ର, ମୁକେଶ ମହାଲିଙ୍ଗ, ବାବୁ ସିଂ, ପ୍ରଭାତୀ ପରିଡ଼ା, ପଦ୍ମଲୋଚନ ପଣ୍ଡା, ଇଂ ଛବି ମଲ୍ଲିକ ପ୍ରମୁଖଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ମୟୂରଭଞ୍ଜ ଓ ଗଞ୍ଜାମ ଜିଲାରୁ ଦଳକୁ ଅଧିକ ସଫଳତା ମିଳିଥିବାରୁ ଏହି ଜିଲାଗୁଡ଼ିକୁ ଗୁରୁତ୍ବ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଇତିମଧ୍ୟରେ ଦିଲ୍ଲୀରୁ ଫେରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ ୧୦ରେ ଓଡ଼ିଆ ଅସ୍ମିତାର ପ୍ରତିଫଳନ ଦେଖିବାକୁ ମିଳିବ। ୨ ଦିନ ଧୈର୍ଯ୍ୟ ରଖନ୍ତୁ, ସବୁ ଚିତ୍ର ସ୍ପଷ୍ଟ ହୋଇଯିବ। ୧୦ ତାରିଖ ସନ୍ଧ୍ୟାରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରରେ ଶପଥ ନେଉଥିବା ନୂଆ କ୍ୟାବିନେଟ୍ ମନ୍ତ୍ରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦଳର ସଂସଦୀୟ ବୋର୍ଡ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ବିଷୟରେ ନିଷ୍ପତ୍ତି ନେବ।
Comments are closed.