କେନ୍ଦୁଝରଗଡ଼଼: ଲୋକସଭା ସମେତ ୪ ରାଜ୍ୟର ବିଧାନସଭା ନିର୍ବାଚନ ନିମନ୍ତେ ମାର୍ଚ୍ଚ ୧୬ ତାରିଖ ବିଧିବଦ୍ଧ ଭାବେ ଘୋଷଣା ହେବାପରେ ଟିକେଟ ଆଶାୟୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଦଳ ଡିଆଁ ପର୍ବ। ରାଜନୀତିରେ ନୀତି ଆଦର୍ଶ କଥା କହୁଥିବା ବହୁ ନେତା ନିଜ ନିଜ ଦଳ ଛାଡି ଦଳ ଡେଇଁ ଦଳୀୟ ଟିକେଟ ହାତେଇବାରେ ମଧ୍ୟ ବେଶ୍ ସକ୍ଷମ ହୋଇଥିଲେ। ଏପରିକି ଦଳରେ ଯୋଗ ଦେବା ଦିନେ ଦୁଇଦିନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆସନରୁ ବିଧାୟକ ଓ ସାଂସଦ ଭଳି ଟିକେଟ ହାତେଇବାରେ ଉଭୟ ବିଜେଡି ଓ ବିଜେପି ନେତା ସକ୍ଷମ ହୋଇଥିବା ବେଳେ ଚମ୍ପୁଆର ପୂର୍ବତନ ସ୍ୱାଧିନ ବିଧାୟକ ସନାତନ ମହାକୁଡ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ନଦେଇ ଚମ୍ପୁଆ ଆସନ ପାଇଁ ବିଜେଡି ଟିକେଟ ହାତେଇବା ଜିଲା ରାଜନିତୀ ପାଣିପାଗକୁ ବେଶ୍ ଉଷ୍ମ କରିଛି।
୨୦୦୯ରେ ଚମ୍ପୁଆ ଆସନ ଅଣସଂରକ୍ଷିତ ହେବାପରେ ଶ୍ରୀ ମହାକୁଡ କଂଗ୍ରେସ ଦଳରୁ ପ୍ରତିଦ୍ୱନ୍ଦିତା କରି ସ୍ୱାଧିନ ପ୍ରାର୍ଥୀ ଜିତୁ ପଟ୍ଟନାୟକଙ୍କ ଠାରୁ ମାତ୍ର ୧୪୫ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ। ୨୦୧୪ରେ ଶ୍ରୀ ମହାକୁଡ କଂଗ୍ରେସ ଛାଡି ସ୍ୱାଧିନ ଭାବେ ଲଢ଼ି ତାଙ୍କର ପାରମ୍ପରିକ ରାଜନୈତିକ ପ୍ରତିଦ୍ୱନ୍ଦି ସ୍ୱାଧିନ ପ୍ରାର୍ଥୀ କୁଶ ଆପଟଙ୍କୁ ହରାଇ ବିଜୟୀ ହୋଇଥିବା ବେଳେ ୨୦୧୯ରେ ନିଜେ ପ୍ରାର୍ଥୀ ନହୋଇ ତାଙ୍କର ଏକାନ୍ତ ଅନୁଗତ ମିନାକ୍ଷୀ ମହାନ୍ତଙ୍କୁ ଚମ୍ପୁଆ ବିଧାନସଭା ଏବଂ ରାଜନୀତିରେ ସମ୍ପୂର୍ଣ୍ଣ ନବାଗତା ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ଶାସକ ବିଜେଡିରୁ ଲୋକସଭା ପ୍ରାର୍ଥୀ କରି ଏହି ଦୁଇ ମହିଳା ନେତ୍ରୀଙ୍କୁ ବିଜୟୀ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ଲୋକସଭା ସଦସ୍ୟା ସୁଶ୍ରୀ ମୁର୍ମୁ ଶେଷ ପର୍ଯ୍ୟନ୍ତ ନିଜର ରାଜନୈତିକ ଗୁରୁ ତଥା ମାର୍ଗଦର୍ଶକ ସନାତନଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରି ଆସିଥିବା ବେଳେ ମିନାକ୍ଷୀ ବିଧାୟିକା ଭାବେ ବିଜୟ ଲାଭ ପରେ ଖଣି ଅଞ୍ଚଳରେ ପରିବହନ ବ୍ୟବସାୟକୁ କେନ୍ଦ୍ର କରି ପୂର୍ବତନ ବିଧାୟକ ଶ୍ରୀ ମହାକୁଡଙ୍କ ସହ ରାଜନୈତିକ ତିକ୍ତତା ବେଶ୍ ବଢ଼଼ିବାରେ ଲାଗିଥିଲା। ସେହିଦିନ ଠାରୁ ମିନାକ୍ଷୀଙ୍କ ରାଜନୈତିକ କ୍ୟାରିୟର କିଭଳି ଶେଷ କରିବେ ସେ ନେଇ ସନାତନ ଗୋଟି ଚାଳନା କରି ବିଜେଡି ଦଳର ପ୍ରାଥମିକ ସଦସ୍ୟ ନଥାଇ ସୁଦ୍ଧା ଜିଲାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଠାରୁ ଆରମ୍ଭ କରି ଭି.କେ.ପାଣ୍ଡିଆନଙ୍କ ସମେତ ବଡ ବଡ ନେତା ମନ୍ତ୍ରୀଙ୍କ ସଭା ସମିତିରେ ସନାତନଙ୍କ ଉପସ୍ଥିତି ଜିଲା ବିଜେଡି ନେତାଙ୍କ ମଧ୍ୟରେ ଅନେକ କିଛି ଆଲୋଚନାକୁ ଖୋରାକ୍ ଯୋଗାଇ ଆସୁଥିଲା।
ତେବେ ୨୦୨୪ ନିର୍ବାଚନରେ ସନାତନ ନିଜେ ଚମ୍ପୁଆ ଆସନରୁ ଶାସକ ବିଜେଡିରୁ ପ୍ରତିଦ୍ୱନ୍ଦିତା କରି ଜିଲାରେ ନିଜର ପତିଆରା ବୃଦ୍ଧି ନେଇ ଯେଉଁ ଉଦ୍ୟମ ଜାରି ରଖିଥିଲେ ସେଥିରେ ଶ୍ରୀ ମହାକୁଡଙ୍କ ନାମ ଉପରେ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ମୋହର ଲଗାଇବା ପରେ ଜିଲା ବିଜେଡି ଆଗାମୀ ଦିନରେ ବେଶ୍ ଶକ୍ତିଶାଳୀ ହେବ ବୋଲି ଦଳୀୟ ନେତା ଓ କର୍ମୀ ମହଲରେ ଖୁସିର ଲହରୀ ଖେଳିଯାଇଛି।



