କେବେ ଦେଖିବେ ସୂର୍ଯ୍ୟକିରଣ
ବୃହତ୍ ପ୍ରକଳ୍ପଗୁଡ଼ିକରେ ଅଘଟଣ ଘଟୁଥିଲେ ମଧ୍ୟ ଆମେ ସଚେତନ ନୋହୁଁ
ଦଶଦିନ ବିତିଲାଣି। ଉତ୍ତରାଖଣ୍ଡର ସିଲ୍କ୍ୟାରା ସୁଡଙ୍ଗ ମଧ୍ୟରେ ମାଟି ଧସିବା କାରଣରୁ ଅଟକି ରହିଥିବା ୪୧ଜଣ ଶ୍ରମିକ ୨୦୦ ଘଣ୍ଟାରୁ ଅଧିକ କାଳ ସୂର୍ଯ୍ୟକିରଣ ଦେଖିପାରିନାହାନ୍ତି। ସେମାନେ ସୁସ୍ଥ ଥିବା କୁହାଯାଉଥିଲେ ମଧ୍ୟ ସେମାନଙ୍କ ମନୋବଳ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ସେମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ଯେତେ ଉଦ୍ୟମ କରାଗଲାଣି ତାହା ପୂର୍ଣ୍ଣତଃ ଫଳପ୍ରଦ ହୋଇପାରିନାହିଁ। କେବଳ ସେମାନଙ୍କ ନିକଟକୁ ଅମ୍ଳଜାନ ଓ କିଛି ଖାଦ୍ୟ ସାମଗ୍ରୀ ପଠାଯାଇ ସେମାନଙ୍କୁ ମାନସିକ ସ୍ତରରେ ମଜଭୁତ ରଖିବା ପ୍ରୟାସ ଚାଲିଛି। ନିଜ ଜୀବନକୁ ନେଇ ନାନା ଆଶଙ୍କା ଓ ଭୟ ମଧ୍ୟରେ ରହିଥିବା ଏହି ୪୧ଜଣଙ୍କ ପାଇଁ ଏକ ଖୁସି ଖବର ହୋଇଛି ଯେ ଆଉ ଏକ ଗର୍ତ୍ତ କରାଯାଇ ସେମାନଙ୍କ ନିକଟକୁ ଛଅ ଇଞ୍ଚର ପାଇପ ଯୋଗେ ଅଧିକ ସହାୟତା ଯୋଗାଣ ଆରମ୍ଭ ହୋଇଛି। ପୂର୍ବରୁ ଚାରି ଇଞ୍ଚ ବ୍ୟାସ ବିଶିଷ୍ଟ ପାଇପ୍ରେ ସେମାନେ ଅଟକି ରହିଥିବା ସ୍ଥାନକୁ ଅମ୍ଳଜାନ ଏବଂ କିଛି ଶୁଖିଲା ଖାଦ୍ୟ ଦିଆଯାଉଥିଲା।
ଏବେ ଦ୍ବିତୀୟ ଗର୍ତ୍ତ କରାଯାଇ ଛଅ ଇଞ୍ଚର ପାଇପ ଖଞ୍ଜାଯାଇଛି। ଏହାଦ୍ବାରା ସେମାନଙ୍କ ନିକଟକୁ ଡାକ୍ତରଙ୍କ ପରାମର୍ଶକ୍ରମେ ରନ୍ଧାଖାଦ୍ୟ ମଧ୍ୟ ପହଞ୍ଚାଯାଇ ପାରିବ। ତାହା ସହିତ ସେହି ବାଟରେ ଶ୍ରମିକଙ୍କ ନିକଟକୁ ଔଷଧ ମଧ୍ୟ ପଠାଯିବ। ପ୍ରତିଟି ଦିନ ଅତିବାହିତ ହେବା ସହିତ ଏହି ଶ୍ରମିକଙ୍କୁ ନେଇ ଆଶଙ୍କା ବଢୁଥିବାବେଳେ ସେମାନଙ୍କ ପରିବାର ବ୍ୟତିବ୍ୟସ୍ତ ଓ ଶଙ୍କାରେ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଶ୍ରମିକମାନେ ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଥିବା ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ସରକାରଙ୍କ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସେମାନେ ପ୍ରତିଟି ମୁହୂର୍ତ୍ତ ଆଶା ଆଶଙ୍କା ମଧ୍ୟରେ ରହିଥିବା ଏବଂ ସେମାନଙ୍କୁ ଯଥାଶୀଘ୍ର ସେଠାରୁ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଶ୍ରମିକମାନେ ନିଜେ ତ୍ରସ୍ତ ଅବସ୍ଥାରେ ଥିବାବେଳେ ସେମାନଙ୍କ ପରିବାରବର୍ଗ କିଭଳି ସମୟ ଅତିବାହିତ କରୁଥିବେ ତାହା ହୃଦୟଙ୍ଗମ କରି ସେମାନଙ୍କୁ ଚିନ୍ତା ନକରିବାକୁ ପରାମର୍ଶ ଦେଇଛନ୍ତି।
ଏବେ ସେମାନଙ୍କ ନିକଟରେ ବିଭିନ୍ନ ପାଞ୍ଚଟି ଦିଗରୁ ପହଞ୍ଚିବା ପ୍ରୟାସ ଚାଲିଛି। ଇତି ମଧ୍ୟରେ ଏହି ଉଦ୍ଧାର କାର୍ଯ୍ୟରେ ଭାରତ ସରକାରଙ୍କ ପକ୍ଷରୁ ବୈଦେଶିକ ସହାୟତା ନିଆଯାଇଛି। ସୁଡ଼ଙ୍ଗ ଓ ଭୂତଳ ଖନନ ଭଳି କାର୍ଯ୍ୟରେ ବିଶେଷ ଅଭିଜ୍ଞତା ରହିଥିବା ଜେନେଭାର ବିଶେଷଜ୍ଞମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଜଣାଯାଇଛି।
ମିଳିଥିବା ଖବର ମୁତାବକ ଉକ୍ତ ସୁଡ଼ଙ୍ଗ ଉପର ଭାଗରୁ ଅର୍ଥାତ ପାହାଡ଼ ଉପରୁ ଭୂଲମ୍ବ ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି। ଏଥିରେ ଭାରତୀୟ ସେନା, ଏନ୍ଡିଆରଏଫ୍ ଆଦି ବିଭିନ୍ନ ସଂସ୍ଥା ସାମିଲ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ସୁଡ଼ଙ୍ଗ ଭିତରେ ଅଟକି ରହିଥିବା ଶ୍ରମିକମାନଙ୍କ ଚିତ୍ର ମଙ୍ଗଳବାର ସକାଳେ ସର୍ବସମ୍ମୁଖକୁ ଆସିଛି। ସେମାନେ ଦୀର୍ଘ ଦଶଦିନ କାଳ ସୁଡ଼ଙ୍ଗ ଭିତରେ ଅଟକି ରହିବା ଘଟଣା ମଧ୍ୟ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି। ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର ଦାବିକରି ଦାଏର ଏକ ଜନସ୍ବାର୍ଥ ମାମଲାର ବିଚାରକରି ଉଚ୍ଚ ନ୍ୟାୟାଳୟ ୪୮ଘଣ୍ଟା ମଧ୍ୟରେ ଏହି ପ୍ରସଙ୍ଗରେ ଜବାବ ରଖିବାକୁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଭୂଲମ୍ବ ଗର୍ତ୍ତ ଅପେକ୍ଷାକୃତ ନିରାପଦ ହେବ ବୋଲି ବିଶେଷଜ୍ଞମାନେ ମତ ଦେବାପରେ ତଦନୁଯାୟୀ ତାହା ଖନନ କରାଯାଉଛି।
ଏହା ଭିତରେ ଆଉ ଏକ ଚିନ୍ତାଜନକ ବିଷୟ ଜାଣିବାକୁ ମିଳିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ବିଶେଷଜ୍ଞଙ୍କ ମତରେ ସୁଡ଼ଙ୍ଗେର ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଅତି କମ୍ରେ ୫ ଦିନ ଏବଂ ଅତି ବେଶୀରେ ୧୫ ଦିନ ଲାଗିବ। ଆଉ କେତେକଙ୍କ ମତରେ ଏଥିପାଇଁ ତାହାଠାରୁ ଅଧିକ ସମୟ ଲାଗିପାରେ। ଏହା ସେମାନଙ୍କ ପରିବାରର ମାନସିକ ଯନ୍ତ୍ରଣାକୁ ବଢାଇ ଦେଇଛି। ତେବେ ଏକ ଆଶ୍ବସ୍ତିର ବିଷୟ ଯେ, ଏହି ଶ୍ରମିକମାନେ ଅଟକି ରହିଥିବା ସୁଡ଼ଙ୍ଗ ଭିତରେ ସେମାନଙ୍କ ପାଇଁ ୨କିଲୋମିଟର ଦୀର୍ଘ ପ୍ରଶସ୍ତ ସ୍ଥାନ ରହିଛି। ଅର୍ଥାତ୍ ଉକ୍ତ ୨ କିଲୋମିଟର ସୁଡ଼ଙ୍ଗ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି ଏବଂ ତାହା କଂକ୍ରିଟ କରାଯାଇସାରିଛି। ତେଣୁ ସେହି ଶ୍ରମିକମାନଙ୍କ ପାଇଁ ସେଠାରେ ସୁଡ଼ଙ୍ଗ ଧସିବା ଆଶଙ୍କା ନାହିଁ। ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଏହି ସୁଡ଼ଙ୍ଗ ନିର୍ମାଣ ଦାୟିତ୍ବ ନେଇଛି।
ତେବେ ଏଭଳି ଏକ ସମ୍ବେଦନଶୀଳ ପ୍ରକଳ୍ପ ନିର୍ମାଣ ସମୟରେ ଏପରି ଅଘଟଣ କିଭଳି ଘଟିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ପାହାଡ ଖୋଳାଯାଇ ସୁଡ଼ଙ୍ଗ ନିର୍ମାଣ କରାଯାଉଥିବାବେଳେ ମାଟି ଅତଡ଼ା ଧସିବା ଆଶଙ୍କା ରହିବା ସ୍ବାଭାବିକ। ସେଭଳି ପରିସ୍ଥିତିର ମୁକାବିଲା ନିମନ୍ତେ ନିର୍ମାଣକାରୀ କମ୍ପାନୀ ଆବଶ୍ୟକ ବ୍ୟବସ୍ଥା କରିଥିଲା କି ନାହିଁ ତାହା ତଦନ୍ତସାପେକ୍ଷ। ଏହି ଦୁର୍ଘଟଣାର ପାଖାପାଖି ତିନିମାସ ପୂର୍ବରୁ ନାଗପୁର-ମୁମ୍ବଇ ସମୃଦ୍ଧି ଏକ୍ସପ୍ରେସ ୱେ ନିର୍ମାଣ ଚାଲିଥିବାବେଳେ ଏକ ଭାୟାଡକ୍ଟରୁ ବିଶାଳ କ୍ରେନ୍ ଖସିପଡ଼ିବାରୁ ୨୦ଜଣ ଶ୍ରମିକ ଓ ଇଞ୍ଜିନିୟର ପ୍ରାଣ ହରାଇଥିଲେ। ସେହି କାମର ଠିକା ମଧ୍ୟ ନବଯୁଗ ଏବଂ ଭିଏସଏଲ୍ ପ୍ରାଇଭେଟ ଲିମିଟେଡ ନେଇ ଅନ୍ୟ କମ୍ପାନୀଙ୍କୁ ଉପଠିକାରେ ଦେଇଥିଲେ। ଦେଶରେ ବିଭିନ୍ନ ସମୟରେ ବୃହତ୍ ପ୍ରକଳ୍ପଗୁଡିକର ନିର୍ମାଣ ସମୟରେ ଅଘଟଣ, ଦୁର୍ଘଟଣା ଘଟୁଥିଲେ ମଧ୍ୟ ସେଥିରୁ ଆମେ ସଚେତନ ହେଉନାହୁଁ। ଏଠାରେ ବିଭିନ୍ନ ସ୍ଥାନରେ ଖନନ କରାଯାଉଥିବା ଡିପ୍ ବୋରୱେଲ୍କୁ ଉଦାହରଣ ଭାବରେ ନିଆଯାଇପାରେ। ସେଭଳି ଗର୍ତ୍ତକୁ ଅଧାପନ୍ତରିଆ ଭାବରେ ଛାଡି ଦିଆଯାଉଥିବାବେଳେ ସେଥିରେ ଏକାଧିକ ଶିଶୁ ଗଳିପଡୁଥିବା ନଜିର ରହିଛି। ନିକଟରେ ଜଣେ ବୃଦ୍ଧା ସେଭଳି ବୋର୍ୱେଲରେ ପଡ଼ି ପ୍ରାଣ ହରାଇଛନ୍ତି। ତାହାପରେ ବି ବୋର୍ୱେଲ ଖନନକାରୀ ଏବଂ ନିକଟରେ ବାସ କରୁଥିବା ଜନସାଧାରଣ ସଚେତନ ହେଉନାହାନ୍ତି। ଏବେ ଉତ୍ତରାଖଣ୍ଡର ସୁଡ଼ଙ୍ଗ ଭିତରେ ଅଟକି ରହିଥିବା ୪୧ଜଣ ଶ୍ରମିକ କେବେ ତା’ଭିତରୁ ଉଦ୍ଧାର ହୋଇ ସୂର୍ଯ୍ୟକିରଣ ଦେଖିବେ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି।
Comments are closed.