ଡେସ୍କ: ରାଜ୍ୟ ପୁଲିସ ମୁଖ୍ୟାଳୟ ପରିସରରେ ୬୪ ତମ ପୁଲିସ ଶହୀଦ ସ୍ମୁତି ଦିବସ ଆନୁଷ୍ଠାନିକ ଭାବେ ପାଳନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ହୋଇଥିବା ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାସହ ଶହୀଦ ବୀର ଯବାନଙ୍କ ପରିବାରବର୍ଗ ପ୍ରତି ସେ ସମବେଦନା ଜ୍ଞାପନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବୀର ଶହୀଦମାନଙ୍କ ପାଇଁ ରାଜ୍ୟ ଆରକ୍ଷୀ ବାହିନୀ ତରଫରୁ ଆନୁଷ୍ଠାନିକ ଶୋକଶସ୍ତ୍ର ପ୍ରଦର୍ଶନ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଅନେକ ପୁଲିସ ଅଫିସର ଓ କର୍ମଚାରୀ ଆଇନ୍ଶୃଙ୍ଖଳାଏବଂ ଅପରାଧ ନିୟନ୍ତ୍ରଣ, ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା, ଆତଙ୍କବାଦ ଓ ବାମପନ୍ଥୀ ଉଗ୍ରବାଦ ଦମନ ତଥା ଶାନ୍ତି ବଜାୟ କରିବାକୁ ଯାଇ ନିଜ ଜୀବନକୁ ବଳିଦାନ ଦେଇଥିବା ଅମର ଯବାନଙ୍କ ନିକଟରେ ଚିର କୃତଜ୍ଞ ରହିବୁ ବୋଲି ଡିଜିପି ଶ୍ରୀ ବଂସଲ ମତପ୍ରକାଶ କରିଥିଲେ।
ଏହି ଅବସରରେ ଡିଜିପି ଶ୍ରୀ ବଂସଲ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ପୁଲିସର ଏକ ସ୍ଵତନ୍ତ୍ର ସ୍ଥାନ ରହିଛି ବୋଲି କହିବା ସହ ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା, ଆଇନ୍ଶୃଙ୍ଖଳା ନିୟନ୍ତ୍ରଣ, ଆତଙ୍କବାଦ ଓ ବାମପନ୍ଥୀ ଉଗ୍ରବାଦ ଦମନ, ଶାନ୍ତି ପ୍ରତିଷ୍ଠା ଏବଂ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାରେ ପୋଲିସ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ସାଧାରଣ ଜନତାଙ୍କୁ ନିରନ୍ତର ସେବା ପ୍ରଦାନ କରୁଥିବା ରାଜ୍ୟର ପୋଲିସ ଅଧିକାରୀ/ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ। ରାଜ୍ୟର ନକ୍ସଲ ପ୍ରଭାବିତ ଜିଲ୍ଲାରେ ନିୟୋଜିତ ଥିବା ସମସ୍ତ ଯବାନ ମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କର ସହଯୋଗ ଏବଂ ପ୍ରୟାସ ପାଇଁ ରାଜ୍ୟରେ ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡିକର ସଂଖ୍ୟା ହ୍ରାସ ପାଇଛି ବୋଲି ମତବ୍ୟକ୍ତ କରିଥିଲେ। ବିଭିନ୍ନ ସମୟରେ ପୁଲିସ ପ୍ରତି ସବୁବେଳେ ନୂଆ ନୂଆ ଆହ୍ୱାନ ଆସୁଛି ଏବଂ ତାକୁ ସାମ୍ନା କରିବାକୁ ଆମେ ସବୁବେଳେ ପ୍ରସ୍ତୁତ ରହିଛୁ ବୋଲି ଡିଜିପି ଶ୍ରୀ ବଂସଲ କହିଥିଲେ।
ଚଳିତ ବର୍ଷ ଭାରତ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ପୁଲିସ ବଳ ଓ ରାଜ୍ୟ ପୁଲିସର ୧୮୮ଜଣ ଆରକ୍ଷୀ ପ୍ରାଣବଳି ଦେଇ ନିଜ ମାତୃଭୂମିକୁ ଗୌରବାନ୍ଵିତ କରିଛନ୍ତି ଏବଂ ଓଡିଶାରୁ ଶହୀଦ ହୋଇଥିବା ଜଗତସିଂହପୁର ଜିଲ୍ଲାର ସୁଶାନ୍ତ କୁମାର ମହାନ୍ତିଙ୍କ ବିଷୟରେ ଡିଜିପି ଉଲ୍ଲେଖ କରିଥିଲେ।
ଚଳିତ ବର୍ଷ ଆନ୍ଧ୍ରପ୍ରଦେଶର ୧, ଆରୁଣାଚଳ ପ୍ରଦେଶର ୨, ଆସମର ୨, ବିହାରର ୮, ଛତିଶଗଡର ୧୯, ଗୁଜରାଟର ୨, ହିମାଚଳ ପ୍ରଦେଶର ୭, ଝାଡ଼ଖଣ୍ଡର ୨, କର୍ଣାଟକର ୧୬, କେରଳର ୨, ମଧ୍ୟପ୍ରଦେଶର ୧୭, ମହାରାଷ୍ଟ୍ରର ୬, ମଣିପୁରର ୮, ନଗାଲାଣ୍ଡର ୨, ଓଡିଶାର ୧, ପଞ୍ଜାବର ୩, ରାଜସ୍ଥାନର ୧, ତାମିଲନାଡୁର ୩, ଉତ୍ତରପ୍ରଦେଶର ୩, ଉତ୍ତରାଖଣ୍ଡର ୪, ପଶ୍ଚିମବଙ୍ଗର ୪, ଦିଲ୍ଲୀର ୩, ଜମ୍ମୁ ଓ କାଶ୍ମୀରର ୮, ଲାଦାଖର ୧, ଆସାମ ରାଇଫଲ୍ସର ୧, ବିଏସଏଫର ୨୨, ସିଆଇଏସଏଫର ୧, ସିଆରପିଏଫର ୧୫, ଆଇଟିବିପିର ୫, ଏସଏସବିର ୫, ଏନଡିଆରଏଫର ୧, ଆରପିଏଫର ୧୩ ଜଣ ଶହୀଦ ହୋଇଛନ୍ତି।
ଆଜିର ଏହି କାର୍ୟ୍ୟକ୍ରମରେ ଆରକ୍ଷୀ ମହାନିର୍ଦ୍ଦେଶକ (ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା) ଡ଼ଃ ସୁଧାଂଶୁ ଷଡଙ୍ଗୀ, ନିର୍ଦ୍ଦେଶକ (ଏସସିଆରବି) ବିନୟତୋଷ ମିଶ୍ର, ନିର୍ଦେଶକ (ଭିଜିଲାନ୍ସ) ୟଶୱନ୍ତ ଜେଠୱା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଆର. କେ. ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ) ଏସ.ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ରାଜେଶ କୁମାରଙ୍କ ସମେତ ପୁଲିସ ବିଭାଗର ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଶହୀଦ ବୀର ଯବାନ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।



