ଡେସ୍କ: ମହିଳା ସଂରକ୍ଷଣ ନେଇ ଲୋକସଭାରେ ଆଲୋଚନା ଆରମ୍ଭ ହୋଇଛି। ଲୋକସଭାରେ ଏବଂ ରାଜ୍ୟସଭାରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ଏହି ବିଲରେ ବ୍ୟବସ୍ଥା ରହିଛି। ଗତକାଲି ନୂତନ ସଂସଦ ଗୃହରେ ଲୋକସଭାର ପ୍ରକ୍ରିୟାର ପ୍ରଥମ ଦିନରେ ସମ୍ବିଧାନ (୧୨୮ ତମ) ସଂଶୋଧନ ବିଲ୍ -୨୦୧୩ ଆଗତ କରାଯାଇଥିଲା। ପ୍ରସ୍ତାବିତ ଆଇନକୁ ନାରୀ ଶକ୍ତି ବନ୍ଦନା ଆକ୍ଟ କୁହାଯିବ। ଏହି ବିଲ୍ ଉପସ୍ଥାପନ କରିବା ବେଳେ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହାକୁ ମହିଳା ସଶକ୍ତିକରଣ ଦିଗରେ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି। ଏହାଦ୍ୱାରା ମହିଳାଙ୍କ ସମ୍ମାନ ଏବଂ ସମାନତା ସୁଯୋଗ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଶ୍ରୀ ମେଘୱାଲ କହିଛନ୍ତି ଯେ ସାମାଜିକ ତଥା ଅର୍ଥନୈତିକ ଅସମାନତାକୁ ଦୂର କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି।
ଆଜି ବିତର୍କ ଆରମ୍ଭ କରି କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ କହିଛନ୍ତି ଯେ ତାଙ୍କ ଦଳ ଏହି ବିଲକୁ ସମର୍ଥନ କରୁଛନ୍ତି। ସେ କହିଛନ୍ତି ଯେ ଭାରତୀୟ ମହିଳାଙ୍କ ଧୈର୍ଯ୍ୟ ସମୁଦ୍ର ପରି ଏବଂ ସେମାନେ ନଦୀ ପରି ସମସ୍ତଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଛନ୍ତି। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ଅନ୍ୟାନ୍ୟ ସଂରକ୍ଷଣ ସହିତ ମହିଳା ସଂରକ୍ଷଣ ବିଲ୍ ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ଶ୍ରୀମତୀ ଗାନ୍ଧୀ ଦାବି କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ବିଲ୍ କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଛି ଭାରତୀୟ ମହିଳାଙ୍କ ପ୍ରତି ଅନ୍ୟାୟ।
ଚନ୍ଦ୍ରାୟନ -୩ର ସଫଳ ଅବତରଣ ସମେତ ଭାରତର ଗୌରବମୟ ମହାକାଶ ଯାତ୍ରା ସମ୍ପର୍କରେ ରାଜ୍ୟସଭାରେ ଆଲୋଚନା ହେଉଛି। ବିଭିନ୍ନ ଆଇନର ରଦ୍ଦ ଏବଂ ସଂଶୋଧନ ବିଲ୍ ୨୦୧୩ ଏବଂ ଡାକଘର ବିଲ୍ -୨୦୧୩ ମଧ୍ୟ ଆଜି ଗୃହରେ ଆଲୋଚନା ହେବ।



