କାଣ୍ଡି: ଉପ ମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ଭାରତ ଓ ପାକିସ୍ତାନ ଏକ ହାଇଭୋଲଟେଜ କ୍ରିକେଟ ମ୍ୟାଚରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଚଳିତ ଏସିଆ କପ୍ର ୩ୟ ଲିଗ୍ ମ୍ୟାଚରେ ଶନିବାର ରୋହିତ ଶର୍ମାଙ୍କ ଭାରତୀୟ ଦଳ ବାବର ଆଜାମଙ୍କ ପାକିସ୍ତାନ ଦଳକୁ ଭେଟିବ। ଶ୍ରୀଲଙ୍କାର କାଣ୍ଡିସ୍ଥିତ ପାଲେକେଲେରେ ଖେଳାଯିବାକୁ ଥିବା ଗ୍ରୁପ-ଏ ର ଉକ୍ତ ମ୍ୟାଚ ଉପରେ ସାରା ବିଶ୍ବର ନଜର ରହିଛି। ଏହି ମହାମୁକାବିଲା ପାଇଁ କ୍ରିକେଟପ୍ରେମୀମାନେ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। ତେବେ ବର୍ଷା ହେବାର ସମ୍ଭାବନା ଥିବାରୁ ମ୍ୟାଚ ବାଧାପ୍ରାପ୍ତ ହେବାର ମଧ୍ୟ ଆଶାଙ୍କା ରହିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ରାଜନୈତିକ, କୁଟନୈତିକ ତିକ୍ତତା ଏହି ମ୍ୟାଚର ଗୁରୁତ୍ବକୁ ବଢାଇ ଦେଇଛି। ଏହା ଏକ ସାଧାରଣ ମ୍ୟାଚ ନୁହେଁ ;ଏହା ସ୍ବତନ୍ତ୍ର ମ୍ୟାଚ ବୋଲି ଦୁଇ ଦେଶର ଖେଳାଳି ଓ କ୍ରିକେଟପ୍ରେମୀମାନେ ହୃଦୟଙ୍ଗମ କରିଛନ୍ତି।
ଭାରତ ଓ ପାକିସ୍ତାନ ଅନ୍ତର୍ଜାତୀୟ କ୍ରିକେଟରେ ଶେଷ ଥର ପାଇଁ ୨୦୨୨ ଅକ୍ଟୋବର ୨୩ରେ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ ମ୍ୟାଚରେ ମେଲବୋର୍ଣ୍ଣରେ ମୁହଁାମୁହିଁ ହୋଇଥିଲେ। ଏଥିରେ ଭାରତ ୪ ୱିକେଟରେ ବିଜୟ ହାସଲ କରିଥିଲା। ପାଖାପାଖି ୧୧ ମାସ ପରେ ଦୁଇ ଦଳ ପୁଣି ଥରେ ଅନ୍ତର୍ଜାତୀୟ କ୍ରିକେଟରେ ମୁହଁାମୁହିଁ ହେବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଦିନିକିଆ କ୍ରିକେଟର ଫର୍ମାଟକୁ ଦେଖିବାକୁ ଗଲେ ୪ ବର୍ଷ ପେର ଉଭୟ ଦଳ ମୁହଁାମୁହିଁ ହେବାକୁ ଯାଉଛନ୍ତି। ୨୦୧୯ ଦିନିକିଆ କ୍ରିକେଟ ବିଶ୍ବକପରେ ମାଞ୍ଚେଷ୍ଟରରେ ଜୁନ୍ ୧୬ରେ ଶେଷ ଥର ପାଇଁ ଦୁଇ ଦଳ ମୁହଁାମୁହିଁ ହୋଇଥିଲେ। ଏଥିରେ ଭାରତ ଡକ୍ୱଥ୍ ଲୁଇସ୍ ନିୟମ ଆଧାରରେ ୮୯ରନରେ ବିଜୟୀ ହୋଇଥିଲା।
ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶୁବମାନ ଗିଲ୍, ଶ୍ରେୟାସ ଆୟର, ଇଶାନ କିଷନଙ୍କ ଉପରେ ବ୍ୟାଟିଂ ଭାର ନିର୍ଭର କରୁଛି। ରୋହିତଙ୍କ ସହ ଶୁବମାନ ଓପନିଂ କରିବାବେଳେ କୋହଲି ଫାଷ୍ଟ ଡାଉନରେ ଓହ୍ଲାଇବେ। ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟାସ ଆୟାରଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ମିଳିବା ଆଶା କରାଯାଉଛି। ଆୟର ଆହତ ସମସ୍ୟାରୁ ମୁକୁଳିବା ପରେ ଦଳକୁ ଫେରିଛନ୍ତି। ସୂର୍ଯ୍ୟକୁମାରଙ୍କୁ ସୁଯୋଗ ମିଳିବା ନେଇ ଅଧିକ ସମ୍ଭାବନା ରହିଛି। ଇଶାନ ୱିକେଟରକ୍ଷକ ଭାବେ ୫ ସ୍ଥାନରେ ବ୍ୟାଟିଂ କରିବେ। ଅଲରାଉଣ୍ଡର ଭାେବ ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ଖେଳିବା ନିଶ୍ଚିତ। ବୋଲିଂ ବିଭାଗରେ ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ସାର୍ଦୁଳ ଠାକୁରଙ୍କ ସହ କୁଳଦୀପ୍ ଯାଦବ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ନେଇ ଆଶା କରାଯାଉଛି। ଯଶପ୍ରୀତ ବୁମ୍ରା ପ୍ରତ୍ୟାବର୍ତ୍ତନ କରିବା ପେର ଦଳର ଦ୍ରୁତ ବୋଲିଂ ବିଭାଗ ଦୃଢ ହୋଇଛି।
ଅନ୍ୟପକ୍ଷରେ ବାବର ଆଜାମଙ୍କ ନେତୃତ୍ବାଧିନ ପାକିସ୍ତାନ ମଧ୍ୟ ବହୁତ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି। ଏବେ ପାକିସ୍ତାନ ଦିନିକିଆ ମାନ୍ୟତାର ଏକ ନମ୍ବର ଦଳ ରହିଛି। ମହମ୍ମଦ ରିଜ୍ୱାନ, ଇମାନ ଉଲ୍ ହକ୍, ଫକର ଜମାନ, ଇଫ୍ତିକାର ଅହମ୍ମଦ,ସାଦବ ଖାନ ପ୍ରମୁଖ ବ୍ୟାଟିଂରେ ରହିଥିବାବେଳେ ବୋଲିଂରେ ନସିମ ସାହ, ସାହିନ ସାହା ଆଫ୍ରିଦି ଓ ହାରିଶ ରୈଫ ରହିଛନ୍ତି। ସ୍ପିନର ଭାବେ ସାଦବ ଖାନ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ଦଳ ପ୍ରଥମ ମ୍ୟାଚରେ ନେପାଳକୁ ୨୩୮ରନରେ ପରାସ୍ତ କରିଛି। ବ୍ୟାଟିଂରେ ବାବର ଆଜାମ ୧୫୧ ଓ ଇଫତିକାର ଅହମ୍ମଦ ୧୦୯ରନ କରିଥିଲେ। ବୋଲିଂରେ ସାଦବ ଖାନ ୪ଟି ୱିକେଟ ନେଇଥିଲେ। ଦ୍ରୁତ ବୋଲିଂ ପାକିସ୍ତାନର ମୁଖ୍ୟ ଅସ୍ତ୍ର । ସାହିନ ସାହା ଆଫ୍ରିଦି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇବା ନେଇ ମଧ୍ୟ ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଏସିଆ କପ୍ର ଇତିହାସକୁ ଦେଖିଲେ ଦିନିକିଆ ଫର୍ମାଟରେ ଉଭୟ ଦଳ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚରେ ମୁହଁାମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୭ଟି ଓ ପାକିସ୍ତାନ ୫ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ଗୋଟିଏ ମ୍ୟାଚ ବିନା ଫଳାଫଳରେ ଶେଷ ହୋଇଛି। ଶେଷ ୪ଟି ମ୍ୟାଚରୁ ଭାରତ ୩ଟି ବିଜୟ ହାସଲ କରିଥିବାବେଳେ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି। ଶେଷ ଥର ପାଇଁ ଏସିଆ କପ୍ରେ ଦୁଇ ଦଳ ୨୦୧୮ ସେପ୍ଟେମ୍ବର ୨୩ରେ ଦୁବାଇରେ ମୁହଁାମୁହିଁ ହୋଇଥିଲେ। ଏଥିରେ ଭାରତ ୯ ୱିକେଟରେ ବିଜୟ ହାସଲ କରିଥିଲା।
ସ୍ଥାନୀୟ ପାଣିପାଗ ବିଶେଷଜ୍ଞଙ୍କ ରିପୋର୍ଟ ଅନୁଯାୟୀ, କାଣ୍ଡିରେ ଶନିବାର ୯୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିିଛି। ଉକ୍ତ ଦିନ ତାପମାତ୍ରା ୨୮ ଡିଗ୍ରୀ ରହିବା ନେଇ ଆଶା କରାଯାଇଛି। ବର୍ଷା ହେବାର ଅଧିକ ସମ୍ଭାବନା ରହିଥିବାରୁ ମ୍ୟାଚ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଆଗକୁ ଦିନିକିଆ ବିଶ୍ବକପ ଥିବାରୁ ଉକ୍ତ ପ୍ରତିଯୋଗିତାର ଗୁରୁତ୍ବ ବେଶ ରହିଛି। ଭାରତ ପ୍ରତିଯୋଗିତାରେ ସର୍ବାଧିକ ସଫଳତମ ଦଳ ଭାବେ ରହିିଛି। ଦଳ ସର୍ବାଧିକ ୭ଥର ଏସିଆ କପ୍ ଜିତିଥିବାବେଳେ ୮ମ ଟ୍ରଫି ଜିତିବା ନେଇ ଲକ୍ଷ୍ୟ ରଖିଛି।



